ଆନ୍ଧ୍ର ହସ୍ପିଟାଲରେ 'ମାତୃ ଦୁଗ୍ଧ ବ୍ୟାଙ୍କ'କୁ ଉଦଘାଟନ କଲେ ମହେଶବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର

ପୂର୍ବତନ ମିସ୍ ଇଣ୍ଡିଆ ତଥା ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର ବିଜୟୱାଡାର ଆନ୍ଧ୍ର ହସ୍ପିଟାଲରେ ଆନ୍ଧ୍ରପ୍ରଦେଶର ପ୍ରଥମ ମଦର୍ସ ମିଲ୍କ ବ୍ୟାଙ୍କର ଉଦଘାଟନ କରିଛନ୍ତି । ମାତୃ କ୍ଷୀର ପାଇବାରୁ ବଞ୍ଚିତ ନବଜାତ ଶିଶୁଙ୍କୁ ସହାୟତା କରିବା ଏହି ପଦକ୍ଷେପର ଲକ୍ଷ୍ୟ, ଯାହା ବାର୍ଷିକ ପ୍ରାୟ ୭,୨୦୦ ଶିଶୁଙ୍କୁ ଉପକୃତ କରିବାର ସମ୍ଭାବନା ରହିଛି ରୋଟାରୀ ଇଣ୍ଟରନ୍ୟାସନାଲର ସହଯୋଗରେ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା ସମ୍ଭବ ହୋଇପାରିଥିଲା ।
ଉଦଘାଟନ ଅବସରରେ ନମ୍ରତା ଏଭଳି ସୁବିଧାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ମା' କ୍ଷୀର ଅଭାବରୁ ଅନେକ ଶିଶୁ ସଂଘର୍ଷ କରୁଥିବା ଦର୍ଶାଇଥିଲେ। ନବଜାତଶିଶୁଙ୍କୁ ପୋଷଣ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହାର ଭୂମିକା ଉପରେ ଆଲୋକପାତ କରି ସେ ଏହି ପଦକ୍ଷେପ ପଛରେ ଥିବା ଲୋକମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ବିଭିନ୍ନ କାରଣରୁ ଏହା ପାଇବାରେ ଅସମର୍ଥ ନବଜାତ ଶିଶୁଙ୍କୁ ମା' କ୍ଷୀର ଯୋଗାଇଦେବା ପାଇଁ ରୋଟାରୀ କ୍ଲବ୍ ଅଫ୍ ବିଜୟୱାଡ଼ା ଆନ୍ଧ୍ର ହସ୍ପିଟାଲ ସହଯୋଗରେ ୩୭ ଲକ୍ଷ ରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଆରମ୍ଭ କରିଛି। ଏଭଳି ନବଜାତ ଶିଶୁଙ୍କୁ ଦାନ କରାଯାଇଥିବା ସ୍ତନକ୍ଷୀର ସଂଗ୍ରହ କରି ବଣ୍ଟନ କରିବା ଏହି ପ୍ରକଳ୍ପର ପ୍ରାଥମିକ ଲକ୍ଷ୍ୟ। ଦୁଗ୍ଧ ବ୍ୟାଙ୍କ ବ୍ୟତୀତ ଆନ୍ଧ୍ର ହସ୍ପିଟାଲରେ ଝିଅମାନଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା, ଯାହା ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ପଦକ୍ଷେପ।