Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କାହିଁକି ଭାଙ୍ଗିଗଲା ମହେଶ ଭଟ୍ଟ ଏବଂ ପରବୀନ ବାବିଙ୍କ ସମ୍ପର୍କ ?

Banajyotshna Ray
Browse all articles by Banajyotshna Ray
·1 year ago·3 min read
କାହିଁକି ଭାଙ୍ଗିଗଲା ମହେଶ ଭଟ୍ଟ ଏବଂ ପରବୀନ ବାବିଙ୍କ ସମ୍ପର୍କ ?

Key Points

ମହେଶ ଭଟ୍ଟ ଏବଂ ପରବୀନ ବାବିଙ୍କ ପ୍ରେମ କାହାଣୀ

ପରିବାରକୁ ଛାଡି ପରବୀନଙ୍କ ସହ ରହୁଥିଲେ ମହେଶ

ମହେଶଙ୍କ ପାଇଁ ଚାଲିଗଲା ପରବୀନଙ୍କ ଜୀବନ

ମାୟାନଗରୀର ମାୟା ଜାଲରେ ବାନ୍ଧି ଫସିଗଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ ପରବୀନ ବାବି। ୭୦ ଓ ୮୦ ଦଶକରେ ଗୁଜୁରାଟର ଜୁନାଗଡରୁ ଜଣେ ସାଧାରଣ ଝିଅ ବଲିଉଡକୁ ଆସି ନିଜ ଗ୍ଲାମରସ ଲୁକରେ ସମସ୍ତଙ୍କ ହୃଦୟରେ ରାଜ୍‌ କରିଥିଲେ। ହିନ୍ଦୀ ସିନେମାରେ ପରବୀନ ବାବିଙ୍କର ନିଜର ସ୍ବତନ୍ତ୍ର ପରିଚୟ ରହିଛି। ମାତ୍ର ୫୦ ବର୍ଷ ବୟସରେ, ଜାନୁୟାରୀ ୨୦, ୨୦୦୫ରେ ବବି ଏହି ଦୁନିଆକୁ ବିଦାୟ ଦେଇଥିଲେ। ବାବି ପ୍ରାୟ ୧୮ରୁ ୧୯ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ତାଙ୍କ ସମୟର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। କେବଳ ଏତିକି ନୁହେଁ, ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ପ୍ରସିଦ୍ଧ ଟାଇମ ମାଗାଜିନର କଭର ପେଜ୍‌ରେ ସ୍ଥାନ ପାଇଥିଲେ।

୧୯୭୨ରେ ମଡେଲିଂରେ କ୍ୟାରିଅର୍‌ ଆରମ୍ଭ କରିଥିବା ପରବୀନ ବାବି ୧୯୭୩ରେ ‘ଚରିତ୍ର’ ଫିଲ୍ମ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ବାବି ୧୯୭୪ ଚଳଚ୍ଚିତ୍ର ‘ମଜବୁର’ ରେ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ସେ କାମ କରିଥିଲେ। ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିୱାର’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ର ପାରବୀନ ବବିଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା।ମହେଶ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ । ମହେଶ ଭଟ୍ଟ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏପର୍ଯ୍ୟନ୍ତ 'ଅର୍ଥ', 'ଆଶିକୀ', 'ସାରଂଶ' ଭଳି ଏକାଧିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ନିର୍ଦ୍ଦେଶକ 1970 ମସିହାରେ ଡକ୍ୟୁମେଣ୍ଟାରୀ 'ସଙ୍କଟ' ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ, ଚଳଚ୍ଚିତ୍ର ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଛି ତାଙ୍କ ବ୍ୟକ୍ତିଗତ ଜୀବନ । ଏକ ସମୟ ଥିଲା ଯେତେବେଳେ ମହେଶ ଭଟ୍ଟ ଭେଟେରାନ ସିନେ ଅଭିନେତ୍ରୀ ପରବୀନ ବାବିଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଜୋର ହେଉଥିଲା ।

ମହେଶ ଭଟ୍ଟ ପରବୀନ ବାବିଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ଲୋରିଏନ୍ ବ୍ରାଇଟ୍‌ଙ୍କୁ ଭଲ ପାଉଥିଲେ । ଲୋରେନ୍ ମହେଶ ଭଟ୍ଟଙ୍କ ଜୀବନରେ ତାଙ୍କ ଜୀବନ ସାଥୀ ଭାବରେ ଆସିଥିଲେ । ପରେ ଉଭୟ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଥିଲେ । ଜୀବନ ଏବଂ ପରିବାର ଦୁହିଁଙ୍କର ଖୁସିରେ ଚାଲିଥିଲା, ହେଲେ ହଠାତ୍ ମହେଶ ଭଟ୍ଟ ପରବୀନ ବାବିଙ୍କୁ ହୃଦୟ ଦେଇବସିଲେ । ସେ ସମୟରେ ପରବୀନ ବାବି ଏକ ବଡ ଷ୍ଟାର ଥିଲେ । ମହେଶ ଭଟ୍ଟ ପରବୀନ ବାବିଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ପରବୀନଙ୍କ ସହ ଲିଭ୍ ଇନରେ ରହିବାକୁ ଲାଗିଲେ । ମହେଶ ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ, ପରବୀନ ବାବିଙ୍କ ସହ ତାଙ୍କର ସମ୍ପର୍କ 1977 ମସିହାରେ ଆରମ୍ଭ ହୋଇଥିଲା ।

ମହେଶ ଭଟ୍ଟଙ୍କ ସହ ରହିବା ସମୟରେ ପରବୀଙ୍କ ମାନସିକ ରୋଗ ଆରମ୍ଭ ହୋଇଯାଇଥିଲା, ଯାହାକୁ ମହେଶ ଭଟ୍ଟ ତାଙ୍କର ଅନେକ ସାକ୍ଷାତକାରରେ ଏହାକୁ ପାରାନୋଇଡ ସ୍କିଜୋଫ୍ରେନିଆ ବୋଲି କହିଛନ୍ତି । ସାକ୍ଷାତକାରରେ ମହେଶ ଭଟ୍ଟ ତାଙ୍କ ଏବଂ ପରବୀନଙ୍କ ସମ୍ପର୍କ ବିଷୟରେ ଅନେକ ରହସ୍ୟ ଖୋଲିଥିଲେ । ଏହାସହିତ ତାଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ । ମହେଶ ଭଟ୍ଟ କହିଥିଲେ, 'ଦିନେ ମୁଁ ଘରକୁ ଫେରିବା ପରେ ଦେଖିଲି ପରବୀନ ଘରର ଏକ କୋଣରେ ଫିଲ୍ମ ପୋଷାକ ପିନ୍ଧି ହାତରେ ଛୁରୀ ଧରି ବସିଛନ୍ତି । ମୋତେ ଦେଖି ପରବୀନ ଚୁପ୍ ରହିବାକୁ ଇଶାରା କଲେ । କବାଟ ବନ୍ଦ କରିଦିଅ କେହି ଆମକୁ ମାରିଦେବେ ବୋଲି କହୁଥିଲେ । ଏହି ଘଟଣା ପରେ ପରବୀନ ବାରମ୍ବାର ଏପରି କାର୍ଯ୍ୟ କରିବା ଆରମ୍ଭ କରିଦେଲେ ।

ମହେଶ ଭଟ ଭଲ ଡାକ୍ତରଙ୍କ ପାଖରେ ତାଙ୍କର ଚିକିତ୍ସା କରିବା ଆରମ୍ଭ କରିଥିଲେ । ସମସ୍ତ ଚିକିତ୍ସା ସତ୍ତ୍ବେ ପରବୀନଙ୍କ ରୋଗ ଠିକ୍‌ ହେଉନଥିଲା । ପରବୀନଙ୍କ ଅବସ୍ଥା ଦେଖି ତାଙ୍କୁ ଏକ କୋଠରୀରେ ବନ୍ଦ କରି ରଖାଯାଉଥିଲା । ତାଙ୍କୁ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ନଜରରୁ ଦୂରରେ ରଖିବାକୁ ପଡ଼ିଲା । ଏହି ସମୟ ମଧ୍ୟରେ ମହେଶ ଭଟ୍ଟଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଆସିଥିଲା । ଲୋକମାନେ କହିଥିଲେ ଯେ, ମହେଶ ପରବୀନଙ୍କୁ ବ୍ୟବହାର କରିଥିଲେ । ତାଙ୍କ ଫାଇଦା ପାଇଁ ପରବୀନଙ୍କ ଷ୍ଟାରଡମ୍ ଏବଂ ସ୍ଥିତିକୁ ବ୍ୟବହାର କରିଥିଲେ ଏବଂ ସେ ତାଙ୍କୁ ସୁସ୍ଥ ହେବାକୁ ଦେବାକୁ ଚାହୁଁନଥିଲେ ।

ଥରେ ମହେଶ ରାତି ଅଧରେ ପରବୀନଙ୍କ ଘରୁ ବାହାରିଗଲେ । ପରବୀନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ପରବୀନ ଅଧା ପୋଷାକ ପିନ୍ଧି ରାସ୍ତାରେ ଦୌଡୁଥିଲେ, ତଥାପି ମହେଶ ଅଟକି ନଥିଲେ । ମହେଶ ତାଙ୍କ ଘର ଓ ତାଙ୍କ ଜୀବନରୁ ଦୂରେଇଗଲେ । ହେଲେ ହଠାତ୍ ପରବୀନ୍‌ଙ୍କ ଦେହାନ୍ତ ହୋଇଥିଲା । ଏହିପରି, ଏକ ଫିଲ୍ମର ସେଟରୁ ଆରମ୍ଭ ହୋଇଥିବା ଦୁହିଁଙ୍କ ସମ୍ପର୍କ ଏକ ଚଳଚ୍ଚିତ୍ର କାହାଣୀ ପରି ଶେଷ ହୋଇଗଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored