Bollywood: ପରିବାରରେ ସବୁ ଷ୍ଟାର-ସୁପରଷ୍ଟାର, ହେଲେ ପାଠପଢ଼ା କଥା ପଚାରନ୍ତୁନି....

କପୁର ଫ୍ୟାମିଲିରେ ନାହାନ୍ତି ପାଠ ପଢ଼ୁଆ ମଣିଷ । ପ୍ରାୟ ସମସ୍ତେ ଅଣ୍ଡର ଗ୍ରାଜୁଏଟ୍ । ଚିକ ଚିକ୍ ଡ୍ରେସ ସାଙ୍ଗକୁ ଦାମୀ ଗାଡ଼ି, ଦାମୀ ଘର, ଦାମୀ ପୋଷାକ ଓ ପାଟିରୁ ଅନର୍ଗଳ ଇଂଲିସ ବାହାରୁଥିଲେ ବି ସମସ୍ତେ ପାଠ ପଢ଼ାରେ ଦୁର୍ବଳ । ଆମେ ସେହି କପୁର ଫ୍ୟାମିଲି କଥା କହୁଛୁ ଯିଏ ଦୀର୍ଘ ବର୍ଷ ହେଲା ବଲିଉଡ୍ରେ ରାଜ କରୁଛନ୍ତି । ଏମିତିକି ତାଙ୍କ ପରିବାର ବଲିଉଡ୍ର ମୂଳ ଦୂଆ କହିଲେ ଭୁଲ ହେବନି । ଅନେକ ପାଠ ପଢ଼ୁଆ ପିଲାଙ୍କ ଆଇଡଲ ଥିବା ଷ୍ଟାର କିମ୍ବା ସୁପର ଷ୍ଟାର ବାସ୍ତବରେ ପାଠ କ'ଣ ଜାଣନ୍ତି ନାହିଁ । ହେଲେ ସେମାନେ ନିଜ କାମରେ ଏକ ନମ୍ବର ।
କପୁର ପରିବାରର ରକ୍ତରେ ରହିଛି ନିଖୁଣ ଅଭିନୟର ଯାଦୁଗରୀ । ଭାରତୀୟ ସିନେ ଜଗତକୁ ଏମାନଙ୍କର ସ୍ୱତନ୍ତ୍ର ଅବଦାନ ରହିଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ଅଭିନୟ ହେଉ କି ନିର୍ଦେଶନା କିମ୍ବା ସ୍କ୍ରିପ୍ଟ ରାଇଟିଂ ହେଉ.. ସବୁଥିରେ କପୁର ପରିବାର ଆଗରେ । ବଲିଉଡରେ ଦଶନ୍ଧି ଦଶନ୍ଧି ଧରି ରହିଛି କପୁର ପରିବାରର ଦବଦବା ।
ଏହି ପରିବାର ଭାରତୀୟ ସିନେମାକୁ ଅଗଣିତ ସୁପରଷ୍ଟାର ଭେଟି ଦେଇଛି । ହେଲେ ଏହି ପରିବାରର ଏପରି କିଛି ଅଜଣା କଥା ଅଛି, ଯାହା ଖୁବ କମ ଲୋକ ହିଁ ଜାଣନ୍ତି । କପୁର ପରିବାରର କୌଣସି ପୁଅ କେବେ ଉଚ୍ଚଶିକ୍ଷା ପ୍ରାପ୍ତ କରିନାହାନ୍ତି । ସିନେ ଦୁନିଆରେ ନାଁ କରିବା ନିଶାରେ ପରିବାରର କୌଣସି ପୁଅ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେଇନାହାନ୍ତି ।
ହେଲେ ଅନେକ ବର୍ଷ ପରେ ଏହି ପରମ୍ପରା ଭାଙ୍ଗି ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲେ ପରିବାରର ଜଣେ ସଦସ୍ୟ । ସେହି ସଦସ୍ୟ ଜଣକ ଆଉ କେହି ନୁହଁନ୍ତି, ସେ ହେଲେ ଶମି କପୁରଙ୍କ ପୁଅ ଆଦିତ୍ୟ ରାଜ କପୁର । ସେ କପୁର ପରିବାରର ଏକମାତ୍ର ବ୍ୟକ୍ତି, ଯିଏ ନିଜର ପାଠପଢ଼ା ପୂରା କରିଛନ୍ତି । ୬୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି । ସେ ହିଁ କପୁର ଫ୍ୟାମିଲିର ଏକମାତ୍ର ସ୍ନାତକ ଡିଗ୍ରିଧାରୀ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିତ୍ୟ ୬୭ ବର୍ଷ ବୟସରେ ଆଦିତ୍ୟ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟିରୁ ଦର୍ଶନ ଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ଭାରତରେ ଏହି ଡିଗ୍ରୀ ହାସଲ କରିଥିବା ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଛନ୍ତି ଆଦିତ୍ୟ ରାଜ କପୁର । ଅନ୍ୟପଟେ ଏତିକିରେ ସେ ଥମି ଯାଇନାହାନ୍ତି । ପାଠପଢ଼ା ଶେଷ ପରେ ଆଉ ପାଦେ ଆଗେଇ ଅଗଷ୍ଟ ୨୦୨୪ରେ ଶିକ୍ଷକତା ଜୀବନ ଆରମ୍ଭ କରିଛନ୍ତି ।
୧୯୫୬ ମସିହାରେ ଶମି କପୁର ଓ ଗୀତା ବାଲିଙ୍କ ପୁଅ ଆଦିତ୍ୟ ରାଜ କପୁର ଜନ୍ମଗ୍ରହଣ କରିଥିଲେ । ଲରେନ୍ସ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ସେ `ବବି' ସିନେମାରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ । ଏଥିରେ ତାଙ୍କ ଦାଦା `ରାଜ କପୁର' ମୁଖ୍ୟ ଡାଇରେକ୍ଟର ଥିଲେ । ଧରମ୍ କରମ୍', 'ସତ୍ୟମ୍ ଶିବମ୍ ସୁନ୍ଦରମ୍ ସିନେମାରେ ମଧ୍ୟ ଆଦିତ୍ୟ କାମ କରିଛନ୍ତି । ହେଲେ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ପରି ତାଙ୍କୁ ଅଭିନୟରେ କିଛି ଖାସ ସଫଳତା ମିଳିପାରି ନଥିଲା ।
ପରେ ବ୍ୟବସାୟ ପାଇଁ ସେ ନିଜକୁ ସିନେ ଜଗତରୁ ଦୂରେଇ ରଖିଥିଲେ । ସିନେମା ଚେଞ୍ଜ ଜରିଆରେ ୨୦୧୦ରେ ପୁଣି ଥରେ ବଲିଉଡକୁ କମ ବ୍ୟାକ କରିଥିଲେ । ୨୦୧୪ରେ ଟିଭି ଜଗତକୁ ଡେବ୍ୟୁ କରିଥିଲେ । କିନ୍ତୁ ପାଠପଢ଼ା ପାଇଁ ପୁଣି ଅଭିନୟରୁ ସେ ନିଜକୁ ଦୂରେଇ ନେଇଥିଲେ । ସେହି ପାଠପଢ଼ା ନିଶା ପାଇଁ ଏବେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।
ତେବେ ରାଜ କପୁର ପିଲାଟି ଦିନରୁ ହିଁ ସିନେ ଜଗତକୁ ଏଣ୍ଟ୍ରି ମାରିଥିଲେ । ଅଭିନୟ ପାଇଁ ସେ ସ୍କୁଲ ବି ଶେଷ କରିପାରି ନଥିଲେ । ଆଉ ସେ ଆର.କେ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ରାଜ କପୁର 'ବଲିଉଡର ଶୋମ୍ୟାନ୍' ଭାବରେ ମଧ୍ୟ ଜଣାଶୁଣା । ସେ ଏକାଧାରରେ ଜଣେ ପ୍ରସିଦ୍ଧ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ ।
📱 Get Argus News App
✨ଖାଲି ସେ ନୁହଁନ୍ତି ତାଙ୍କ ଭାଇ ଶମି ଏବଂ ଶଶିଙ୍କ ଠାରୁ ଆରମ୍ଭ କରି ପୁଅ ଋଷି, ରଣଧୀର ଏବଂ ରାଜୀବଙ୍କ ପର୍ଯ୍ୟନ୍ତ.. ସମସ୍ତେ ପାଠପଢ଼ା ଛାଡ଼ି ସିନେ ଜଗତରେ ପାଦ ଥାପିଥିଲେ । ଅଳ୍ପ ବୟସର ହିଁ ସମସ୍ତେ ପାଠପଢ଼ା ଛାଡ଼ି ସିନେମାରେ ଅଭିନୟ ଆରମ୍ଭ କରିଦେଇଥିଲେ । ତେବେ ରଣବୀର କପୁର ସ୍କୁଲ ଶିକ୍ଷା ଶେଷ କରି କଲେଜରେ ଆଡମିସନ ନେଇଥିଲେ । ହେଲେ ସିନେମାରେ ଅଭିନୟ ପାଇଁ ସେ ବି ଅଧାରୁ କଲେଜ ଛାଡ଼ି ଦେଇଥିଲେ ।