ଲାଇଭ କନସର୍ଟରେ ଅଣନିଃଶ୍ବାସୀ ହେଲେ ମୋନାଲି ଠାକୁର

ଅର୍ଗସ ବ୍ୟୁରୋ: ଲାଇଭ୍ କନସର୍ଟ ସମୟରେ ଅଣନିଶ୍ବାସୀ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ କଣ୍ଠଶିଳ୍ପୀ ମୋନାଲି ଠାକୁର। ସେ ବର୍ତ୍ତମାନ ପଶ୍ଚିମବଙ୍ଗର କୁଚବେହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୧ ତାରିଖ ସନ୍ଧ୍ୟାରେ କୁଚବେହାରସ୍ଥିତ ଦିନହାଟା ମହୋତ୍ସବରେ ମୋନାଲି ଠାକୁର ସଙ୍ଗୀତ ପରିବେଶଣ କରିଥିଲେ। ଫେସବୁକରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଗାୟିକା ଲାଇଭ କନସର୍ଟରେ ଗୀତ ଗାଉଥିବା ବେଳେ ହଠାତ୍ ଅଟକି ଯାଇଥିଲେ। ଆଉ ଦର୍ଶକଙ୍କୁ କହିଥିଲେ ଯେ, ଅସୁସ୍ଥ ଅନୁଭବ କରୁଛି, ଆଗକୁ ଗୀତ ଗାଇପାରିବି।
ଆଉ ଯେଉଁମାନେ ମୋତେ ଶୁଣିବାକୁ ଆସିଥିଲେ ମୋତେ କ୍ଷମା କରିଦେବେ।ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଉଛି। କୁହାଯାଉଛି ଯେ, ମୋନାଲିଙ୍କୁ ପ୍ରଥମେ ଦିନହାଟା ଉପ-ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ତା'ପରେ, ଗାୟିକାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଆଉ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। କିଛି ସପ୍ତାହ ପୂର୍ବେ ମଧ୍ୟ ମୋନାଲି ଠାକୁର ଚର୍ଚ୍ଚାରେ ଥିଲେ। ଉପଯୁକ୍ତ ମଞ୍ଚ ବ୍ୟବସ୍ଥାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଦର୍ଶାଇ ଗାୟିକା ହଠାତ୍ ବାରାଣସୀରେ ତାଙ୍କର କନସର୍ଟ ବନ୍ଦ କରିଦେଇଥିଲେ।