ରଣବୀର ମୋ ସମ୍ମୁଖକୁ ଆସିଲେ କେହି ବଞ୍ଚେଇ ପାରିବେନି, ଏମିତି କହିଲେ ସୌରଭ ଗୁର୍ଜର...

ଅର୍ଗସ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ରଣବୀର ଆହ୍ଲାବାଦିଆଙ୍କ ବିବାଦ । 'ଇଣ୍ଡିଆ ଗଟ୍ ଲାଟେଣ୍ଟ' ସୋ'ରେ ନିଜର ବିବାଦୀୟ ମନ୍ତବ୍ୟକୁ ଦେଇ ସମାଲୋଚନାର ଶିକାର ହୋଇଥିଲେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ । ଏପରିକି ତାଙ୍କ ନାଁରେ ଅଭିଯୋଗ ଦାଖଲ କରାଯାଇଛି ।
ଏହି ବିବାଦ ପରେ ବହୁତ ସେଲିବ୍ରିଟି ରଣବୀରଙ୍କ ବିରୋଧରେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । ଜାଭେଦ ଅଖତର, ମୁକେଶ ଖାନ୍ନା ଏବଂ ସୁନିଲ ପାଲଙ୍କ ପରେ ପରେ ଏବେ ପୁଣି ରଣବୀରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ମହାଭାରତର ଭୀମ ଚରିତ୍ର ନିଭେଇଥିବା ସୌରଭ ଗୁର୍ଜର ।
ସୌରଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ରଣବୀର ଆହ୍ଲାବାଦିଆ ଯାହା କହିଛନ୍ତି, ତାହା କେବେ ବି କ୍ଷମାଯୋଗ୍ୟ ନୁହେଁ । ଯଦି ତାଙ୍କୁ କ୍ଷମା କରାଯାଏ ଏମିତି କଥା ଅନେକ ଲୋକ ଖୋଲାଖୋଲି କହିବାକୁ ଆରମ୍ଭ କରିବେ । ତେଣୁ ରଣବୀରଙ୍କ ଉପରେ ଆକ୍ସନ ନିଆଯିବା ନିହାତି ଦରକାର । "ଫ୍ରିଡମ ଅଫ ସ୍ପିଚ"ର ଅର୍ଥ ନୁହେଁ କି ଯାହା ମନକୁ ଆସିବ ତାହା କହିଯିବା । ମହାରାଷ୍ଟ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କୁ ରଣବୀରଙ୍କୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି କହିଛନ୍ତି ସୌରଭ ।
ଆହୁରି ମଧ୍ୟ ରଣବୀରଙ୍କୁ ଧମକ ଦେଇ ସୌରଭ କହିଛନ୍ତି, "ଯଦି କେବେ ରଣବୀର ମୋ ସମ୍ମୁଖକୁ ଆସେ, ତେବେ ତାର ସିକ୍ୟୁରିଟି ଗାର୍ଡ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବ ନାହିଁ ।"
ସୌରଭଙ୍କ ଏପରି ଭିଡିଓକୁ ନେଇ କିଛି ୟୁଜର୍ସ ତାଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ୟୁଜର୍ସ ରଣବୀରଙ୍କ ସପକ୍ଷରେ ମଧ୍ୟ କମେଣ୍ଟ ଦେଇଛନ୍ତି ।
ତେବେ ରଣବୀରଙ୍କ ବିରୋଦ୍ଧରେ ଆଗକୁ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଦେଖିବା ବାକି ରହିଲା ।