ସୈଫ ଅଲ୍ଲୀଙ୍କୁ ଆକ୍ରମଣ ମାମଲା , ପୋଲିସ ଖୋଲିଲା ଅଭିଯୁକ୍ତର କାହାଣୀ

ଅର୍ଗସ ବ୍ୟୁରୋ : ବଲିଉଡ ଆକ୍ଟର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲା ଉପରେ ନୂଆ ତଥ୍ୟ ସାମନାକୁ ଆସିଛି । ସୈଫଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଜଣେ ବାଂଲାଦେଶୀ, କିନ୍ତୁ ୭ ମାସ ପୂର୍ବରୁ ଅବୈଧ ଭାବେ ସେ ଦେଶ ଭିତରକୁ ପ୍ରବେଶ କରିଥିଲା । ମୁମ୍ବାଇ ଆସିବା ପୂର୍ବରୁ ସିମ କିଣିବା ପାଇଁ ସେ ପଶ୍ଚିମବଙ୍ଗ ବାସୀଙ୍କ ଆଧାରକାର୍ଡ ବ୍ୟବହାର କରିଥିଲା ।
ପୋଲିସ ରବିବାର ହିଁ ସେହି ଅଭଯୁକ୍ତ ସରିଫୁଲ ଇସଲାମ ଶେହଜାଦକୁ ଗିରଫ କରିଥିଲା । ସରିଫୁଲ ନିଜର ନାଁ ବଦଳାଇ ବିଜୟ ଦାସ ରଖିଥିଲା ଏବଂ ସାତ ମାସ ପୂର୍ବରୁ ପ୍ଲାନ କରି ଦାବକି ନଦୀ ପାର କରି ଭାରତରେ ପ୍ରବେଶ କରିଥିଲା ।
ପୋଲିସ ମୁତାବକ ଅଭିଯୁକ୍ତ କିଛିଦିନ ଯାଏଁ ପଶ୍ଚିମବଙ୍ଗରେ ରହିଥିଲା, ଏବଂ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଆଧାରକାର୍ଡ ଜରିଆରେ ସିମକାର୍ଡ କିଣିଥିଲା । ଏହାପରେ ଚାକିରି ଖୋଜିବା ଉଦ୍ଦେଶ୍ୟରେ ମୁମ୍ବାଇ ଆସିଥିଲା ଅଭିଯୁକ୍ତ । ଏବଂ ଏପରି ସ୍ଥାନରେ କାମ କରିବାକୁ ଖୋଜିଥିଲା, ଯେଉଁଠି ନିଜର ପରିଚୟ ପତ୍ରର ଦରକାର ନଥିଲା । ଏହାପରେ ସେ ଏକ ପବ୍ ଏବଂ ହୋଟେଲରେ ହାଉସକିପିଙ୍ଗ ଭାବେ କାମ କରୁଥିଲା ।
ପୋଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ଏହି ଅଭିଯୁକ୍ତ ଜଣକ ବାଂଲାଦେଶରେ ନିଜର ପଡୋଶୀଙ୍କୁ ଅନେକ ଫୋନକଲ କରିଥିଲା, ଏବଂ ନିଜର ପରିବାର ଲୋକଙ୍କ ସହ କଲ ଯୋଗେ କଥା ହୋଇଥିଲା ।
ସୈଫଙ୍କୁ ଜାନୁଆରୀ ୧୬ ଦିନ ନିଜର ଆପାର୍ଟମେଣ୍ଟ ଭିତରେ ହିଁ ବାରମ୍ବାର ଛୁରୀ ମାରିଥିଲା ଅଭିଯୁକ୍ତ । ଯେଉଁ କାରଣରୁ ତାଙ୍କୁ ସର୍ଜରୀ କରିବାକୁ ପଡିଛି ।