ଆଇପିଏଲ୍ର ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ଶ୍ରେୟା ଓ ଦିଶାଙ୍କ ଜଲୱା

ଆଇପିଏଲ୍ର ୨୦୨୫ ସଂସ୍କରଣ ବିଗୁଲ ବାଜିସାରିଛି। ଏଥିପାଇଁ ଖେଳପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏବେ ଖବର ଆସୁଛି ଯେ ଆଇପିଏଲ୍ର ଉଦ୍ଘାଟନୀ ଉତ୍ସବରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ହେବାକୁ ଯାଉଛି। ଯେଉଁଥିରେ ଅନେକ ପ୍ରଦର୍ଶନ ରହିବ। ସଦ୍ୟତମ ସୂଚନା ଅନୁଯାୟୀ, ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ଓ ଗାୟିକା ଶ୍ରେୟା ଘୋଷାଲ ନିଜ ନିଜର ଜଲୱା ଦେଖାଇବେ। ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ)ର ଅଫିସିଆଲ ଏକ୍ସ ପୃଷ୍ଠାରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଆହୁରି ବି ଜଣାପଡ଼ିଛି ଯେ ଗାୟକ କରଣ ଆଉଜଲା ମଧ୍ୟ ଏହି ମହାନ ସମାରୋହରେ ପ୍ରଦର୍ଶନ କରିବେ। ବହୁ ପ୍ରତୀକ୍ଷିତ ଆଇପିଏଲ ଚଳିତବର୍ଷ ମାର୍ଚ ୨୨ ତାରିଖରେ ହେବାକୁ ଯାଉଛି। ଗତ ବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସର ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଉଦ୍ଘାଟନୀ ଓ ଉଦ୍ଯାପନୀ ମ୍ୟାଚ୍ ଖେଳାଯିବ।
ମାର୍ଚ୍ଚ ୨୨ରେ ଉଦ୍ଘାଟନୀ ମ୍ୟାଚ୍ କେକେଆର୍ ଓ ଆର୍ସିବି ମଧ୍ୟରେ ଆୟୋଜିତ ହେବ। ମେ’ ୨୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଥି ସହିତ କ୍ବାଲିଫାୟାର୍-୨ ମଧ୍ୟ ମେ’ ୨୩ ତାରିଖରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। କୋଲକାତାରେ ଦଶନ୍ଧି ପରେ ପ୍ରଥମ ଥର ଏକ ଫାଇନାଲ୍ ଖେଳାଯିବ। ଶେଷ ଥର ପାଇଁ ୨୦୧୩ ଓ ୨୦୧୫ରେ ଫାଇନାଲ୍ ଖେଳାଯାଇଥିଲା। ୨୦୨୪ରେ ଉପ ବିଜେତା ହୋଇଥିବା ସନ୍ରାଇଜର୍ସ ହାଇଦ୍ରାବାଦର ଘରୋଇ ପଡ଼ିଆ ହାଇଦ୍ରାବାଦରେ କ୍ବାଲିଫାୟାର୍-୧ ମେ’ ୨୦ ତାରିଖରେ ଏବଂ ଏଲିମିନେଟର୍ ମେ’ ୨୧ରେ ଖେଳାଯିବ। ଆଇପିଏଲ୍-୨୦୨୫ରେ ମୋଟ ୬୫ ଦିନ ଭିତରେ ୭୪ ମ୍ୟାଚ୍ ଖେଳାଯିବ।
📱 Get Argus News App
✨ଏହା ମଧ୍ୟରେ ୧୨ ଦିନ ଡବଲ୍ ହେଡର୍ ରହିଛି। ଦ୍ବିତୀୟ ଦିବସରେ (ମାର୍ଚ୍ଚ ୨୩) ହିଁ ପ୍ରଥମ ଡବଲ୍ ହେଡର୍ ରହିଛି। ସନ୍ରାଇଜର୍ସ ହଇଦ୍ରାବାଦ ସହ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବେ। ମୋଟ ୧୩ଟି ଭେନ୍ୟୁରେ ଏହା ଖେଳାଯିବ। ଗୁଆହାଟୀ ରାଜସ୍ଥାନ ରୟାଲ୍ସର ଦ୍ବିତୀୟ ଘରୋଇ ପଡ଼ିଆ, ବିଶାଖାପାଟଣା ଦିଲ୍ଲୀ କ୍ୟାପିଟାଲ୍ସର ଦ୍ବିତୀୟ ଘରୋଇ ପଡ଼ିଆ ଏବଂ ଧର୍ମଶାଳା ପଞ୍ଜାବ କିଙ୍ଗ୍ସର ଦ୍ବିତୀୟ ଘରୋଇ ପଡ଼ିଆ ରହିଛି। ଗୁହାହାଟୀ ଓ ବିଶାଖାପାଟଣାରେ ୨ ଲେଖାଏଁ ଏବଂ ଧର୍ମଶାଳାରେ ୩ଟି ମ୍ୟାଚ୍ ଖେଳାଯିବ।