ପୁଣିଥରେ ଭେଟ ହେବା: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ

Key Points
ଆଜି ପବିତ୍ର ରାଖୀ ପୂର୍ଣ୍ଣିମା
ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇଲେ ଭଉଣୀ ଶ୍ବେତା
ଆଜି ହେଉଛି ପବିତ୍ର ରାଖୀ ପୂର୍ଣ୍ଣିମା। ରାଖୀ ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ । ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ । ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ । ଏ ବର୍ଷ ଅର୍ଥାତ୍ ଅଗଷ୍ଟ ୯ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳୁଛି ରାଜ୍ୟ ସମେତ ଭାରତ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ପବିତ୍ର ରାଖୀ ପୂର୍ଣ୍ଣିମାରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ତାଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତି ଭାବପୂର୍ଣ୍ଣ ହୋଇଯାଇଛନ୍ତି।
ଇନଷ୍ଟାଗ୍ରାମରେ ସେ ସୁଶାନ୍ତଙ୍କ ସହିତ ବିତାଇଥିବା ଭଉଣୀମାନଙ୍କର କିଛି ଅଭୁଲା ମୁହୂର୍ତ୍ତର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ଵେତା କହିଛନ୍ତି ଯେ ସେ ଆଜି ବି ତାଙ୍କୁ ନିଜ ଆଖପାଖରେ ଅନୁଭବ କରିପାରୁଛନ୍ତି । ଏହି ଭିଡିଓରେ ସୁଶାନ୍ତ ଭଉଣୀମାନଙ୍କ ସହିତ ମଜା କରୁଥିବା ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଏଥିମଧ୍ୟରୁ କିଛି ଝଲକ ଶ୍ଵେତାଙ୍କ ବିବାହର ମଧ୍ୟ ଦେଖିବାକୁ ମିଳୁଛି ।
ଏହି ଭିଡିଓ କ୍ୟାପ୍ସନରେ ସେ ଲେଖିଛନ୍ତି, 'କେବେ କେବେ ଏମିତି ଲାଗୁଛି ଯେମିତି ତୁମେ କୁଆଡ଼େ ଯାଇନାହଁ । ତୁମେ ଏବେ ବି ଏଇଠି ଅଛ, କିନ୍ତୁ ଦେଖାଯାଉନାହଁ । ସୁଶାନ୍ତ କ'ଣ ମୁଁ ତୁମକୁ ସତରେ ଆଉ କେବେ ଦେଖିପାରିବି ନାହିଁ ? ସେ ଆହୁରି ଲେଖିଛନ୍ତି, 'ତୁମକୁ ହରାଇବାର ଦୁଃଖ ଏତେ ଗଭୀର ଯେ ତା’ ଆଗରେ ଶବ୍ଦ ସଙ୍କୁଚିତ ହୋଇଯାଏ । ଏହା ମୋ ଭିତରେ ଚୁପଚାପ ରହେ, ଏତେ ପବିତ୍ର ଯେ ଜୋରରେ ବ୍ୟକ୍ତ କରିହୁଏ ନାହିଁ, ଏତେ ବିଶାଳ ଯେ ତାକୁ ଏକାଠି କରିହୁଏ ନାହିଁ । ମୁଁ ଜାଣିଛି ଆମେ ପୁଣିଥରେ ଭେଟ ହେବା ଭାଇ। ଯେଉଁଠି ସମୟର ମୂଲ୍ୟ ନଥିବ , ଯେଉଁଠାରେ ଆତ୍ମାମାନେ ପରସ୍ପରକୁ ନାମ ଦ୍ଵାରା ନୁହେଁ ବରଂ ପ୍ରେମର ନୀରବ ଭାଷା ଦ୍ଵାରା ଚିହ୍ନିଥା’ନ୍ତି । ସେପର୍ଯ୍ୟନ୍ତ ମୁଁ ଏଇଠି ଅଛି, ନିଜ ହୃଦୟରେ ତୁମ ହାତରେ ରାକ୍ଷୀ ବାନ୍ଧୁଛି । ପ୍ରାର୍ଥନା କରୁଛି କି ତୁମେ ଯେଉଁଠାରେ ବି ଥାଅ, ଖୁସି, ଶାନ୍ତି ଏବଂ ଆଲୋକରେ ଘେରି ରହିଥାଅ । ବିଦାୟ, ଯେପର୍ଯ୍ୟନ୍ତ ଆମେ ପୁଣିଥରେ ନ ଭେଟିବା । ତୁମର ପ୍ରିୟ ଗୁଡିଆ ଦି ..’
ଜୁନ୍ ୧୪ ତାରିଖ ୨୦୨୦ ବାନ୍ଦ୍ରାରେ ସୁଶାନ୍ତ ସିଂ ରାଜପୁତଙ୍କର ନିଜ ଘରୁ ମୃତଦେହ ମିଳିଥିଲା।