Videos
|
Entertainment

କାଲିଠୁ ଆରମ୍ଭ ଭାଲେଣ୍ଟାଇନ ୱିକ, ଏମିତି କରନ୍ତୁ ପାଳନ...

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
କାଲିଠୁ ଆରମ୍ଭ ଭାଲେଣ୍ଟାଇନ ୱିକ, ଏମିତି କରନ୍ତୁ ପାଳନ...

ଅର୍ଗସ ବ୍ୟୁରୋ : କବାଠ ଠକ ଠକ କଲାଣି ପ୍ରେମ ସପ୍ତାହ । ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି କେହି ନିଜର ଏକତରଫା ପ୍ରେମକୁ ସଫଳ କରିବାକୁ ପୁରା ପ୍ରୟାସ କରିଥାନ୍ତି । ଯେମିତିକି ପ୍ରମିକାର ମନ ପସନ୍ଦର ଚକୋଲେଟ, ଟେଡି, ଗୋଲାପ ଦେଇ ମନର କଥା କହିଥାଏ ପ୍ରେମିକ । ଆଉ ହସିଦିଏ ସବୁ ବୁଝିଯାଏ ଅବୁଝା ପ୍ରେମିକା । ଇଏ ପ୍ରେମ ନୁହେଁ ତ ଆଉ କଣ ...

ଦର୍ଶକବନ୍ଧୁ , ପ୍ରେମ ପ୍ରତିଟି ମଣିଷ ଜୀବନରେ ହୋଇଥାଏ । ସେ ପୁଅ ହେଉ କି ଝିଅ ପ୍ରେମର ସ୍ପର୍ଶ ସମସ୍ତଙ୍କୁ ହୋଇଥାଏ । କୁହନ୍ତି ପ୍ରେମରେ ପଡିଲେ ମଣିଷ ବଦଳିଯାଏ । ଆଉ ଏହି ପ୍ରେମ ଯଦି ଏକ ସଚ୍ଚାପ୍ରେମ ହୋଇଥାଏ , ତେବେ ମଣିଷର ଖରାପ ସ୍ବଭାବକୁ ବଦଳାଇ ଦିଏ , ମଣିଷ ଭଲ ପାଇବା ଶିଖାଇଦିଏ । ବୁଝିବାକୁ ଗଲେ, ପ୍ରେମ ଏକ ନିଆରା ଅନୁଭୁତି, ଏକ ମିଠା ସମ୍ପର୍କର ଆରମ୍ଭ ।
ଫେବୃଆରୀ ୭-୧୪ ଯାଏଁ ପ୍ରେମ ସପ୍ତାହ ପାଳନ କରାଯାଏ । ବିଶେଷ ଭାବେ ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ ନିଜ ପ୍ରେମକୁ ଉପସ୍ଥାପନ କରିବା ପାଇଁ ସବୁଠୁ ଭଲ ଦିନ ବୋଲି ପ୍ରେମୀଯୁଗଳ ମାନେ ମାନିଥାଆନ୍ତି । କିନ୍ତୁ ଏହି ଦିନ ଯେ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ତା ନୁହେଁ, ନିଜର ପରିବାରର ନିଜ ପ୍ରିୟ ସଦସ୍ୟ ସହ ବି ଭାଲେଣ୍ଚାଇନ ଡେ ସେଲିବ୍ରେଟ କରାଯାଏ । ଆଉ କେହି କେହି ନିଜ ସହ ମଧ୍ୟ ଏହି ଦିନ ସେଲିବ୍ରେଟ କରିଥାଆନ୍ତି ।

ଶୁକ୍ରବାର ଅର୍ଥାତ ଫେବୃଆରୀ ୭ରୁ ଆରମ୍ଭ ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ପ୍ରଥମ ଦିନରୁ ୧୪ ତାରିଖ ଯାଏଁ ଏହି ପର୍ଯ୍ୟାୟ କ୍ରମେ ଡେ ଗୁଡିକ ଆସିଥାଏ । ରୋଜ୍ ଡେ, ପ୍ରପୋଜ ଡେ, ଚକୋଲେଟ୍ ଡେ, ଟେଡି ଡେ , ପ୍ରମିଜ୍ ଡେ, ହଗ୍‌ ଡେ, କିସ୍‌ ଡେ ଆଉ ଶେଷରେ ଭାଲେଣ୍ଟାଇନ ଡେ ।
ଫେବୃଆରୀ ୭, ରୋଜ୍‌ ଡେ :

ପ୍ରେମ ସପ୍ତାହର ଆରମ୍ଭ ଏହି ଦିନରୁ ହୋଇଥାଏ । ଏହି ଦିନ ପ୍ରେମିକ/ପ୍ରେମିକା ଗୋଲାପ ଫୁଲ ଦେଇ ନିଜର ପାର୍ଟନରକୁ ପ୍ରେମ ପ୍ରତିପାଦନ କରିଥାନ୍ତି । କାରଣର ଗୋଲାପକୁ ପ୍ରେମର ଏକ ପ୍ରତିକ ବୋଲି କୁହାଯାଏ ।

ଫେବୃଆରୀ ୮, ପ୍ରପୋଜ୍ ଡେ :
ଏହିଦିନ ନିଜର ମନର କଥା ନିଜ ପାର୍ଟନରକୁ କହିଥାନ୍ତି । ମନରେ ରଖିଥିବା ଭଲ ପାଇବାକୁ ନିଜ ପ୍ରେମ ଆଗରେ ପ୍ରକାଶ କରାଯାଏ । ଅନେକ ଦିନରୁ ମନରେ ଲୁଚାଇ ରଖିଥିବା ଭଲପାଇବାକୁ ପ୍ରପୋଜ ଡେ ରେ ଉପସ୍ଥାପନା କରିଥାଏ ପ୍ରେମିକ/ପ୍ରେମିକା । ତେଣୁ ଆପଣ ବି ଯଦି ଅନେକ ଦିନରୁ ନିଜ ମନକଥା ନିଜ ମନର ମଣିଷକୁ କହିପାରୁ ନଥାନ୍ତି, ତେବେ ମନର କଥା କହିବାକୁ ଏହି ଦିନ ଆପଣଙ୍କ ପାଇଁ ଖୁବ ଭଲ ଦିନ ।

ଫେବୃଆରୀ ୯, ଚକୋଲେଟ ଡେ :
ଯେତେ ରାଗ ଅଭିମାନ ଥିଲେ, ସବୁ ଦୂର ହୋଇଯାଏ ଗୋଟେ ଚକୋଲେଟରେ। ତେଣୁ ଚକୋଲେଟକୁ ମଧ୍ୟ ପ୍ରେମର ଏକ ପ୍ରତିକ ବୋଲି ଧରାଯାଏ । ଯେତେବେଳେ ମନ ପସନ୍ଦର ଚକୋଲେଟ ମିଳିଯାଏ , ସେତେବେଳେ ମନ ସତରେ ଖୁସିରେ ପୁରିଉଠେ । କିନ୍ତୁ ଯଦି ନିଜେ ହାତରେ ତିଆରି ଚକୋଲେଟକୁ ଆପଣ ନିଜ ପାର୍ଟନରକୁ ଦିଅନ୍ତି, ତାର ଖୁସି ଟିକେ ନିଆରା । ତେଣୁ ଚେଷ୍ଟା କରନ୍ତୁ ନିଜ ପାର୍ଟନରକୁ ନିଜ ହାତରେ ଚକୋଲେଟ ତିଆରି କରି ଦେବାପାଇଁ । ଯେଉଁଥିରେ ପ୍ରେମ ଆହୁରି ବଢେ ।

ଫେବୃଆରୀ ୧୦, ଟେଡି ଡେ :
ଟେଡି ସାଧାରଣତଃ ଝିଅମାନଙ୍କୁ ବେଶ ପସନ୍ଦ । ତେଣୁ ନିଜ ପ୍ରେମିକାକୁ ପସନ୍ଦର ଟେଡି ଦେଲେ ଉଭୟଙ୍କ ମଧ୍ୟରେ ଖୁସି ଆଉ ଭଲପାଇବା ଆହୁରି ବଢେ ।

ଫେବୃଆରୀ ୧୧, ପ୍ରମିଜ୍‌ ଡେ :
ପ୍ରମିଜ୍ ଡେ । ଯେଉଁଠି ଉଭୟ ନିଜ ଭଲ ପାଇବାର ରାଣ ଖାଆନ୍ତି । ପରସ୍ପର ସହ ସାଥି ହୋଇ ଚାଲିବାର ପ୍ରତିଶୃତି ଦିଅନ୍ତି । ପ୍ରେମର ଆରମ୍ଭରେ ଯେମିତି ପ୍ରତ୍ୟେକ ମୁହୁର୍ତ୍ତ ମିଠା ଲାଗେ, ସାରା ଜୀବନ ମଧ୍ୟ ଦୁଇଜଣଙ୍କ ପ୍ରେମ ସେମିତି ହିଁ ରହୁ ବୋଲି ପରସ୍ପରକୁ କଥା ଦିଅନ୍ତି ।

ଫେବୃଆରୀ ୧୨, ହଗ୍‌ ଡେ :
ଆଲିଙ୍ଗନ ଦିବସ । ପ୍ରେମର ଆଲିଙ୍ଗନର ଅନୁଭୁତି ଏକ ନିଆରା ଅନୁଭୁତି । ଯେଉଁଠି
ଗୋଟିଏ ଆଲିଙ୍ଗନ ସବୁ ଦୁଃଖ , କଷ୍ଟକୁ ଦୂର କରେ । ଯେଉଁଠି ଉଭୟ ଉଭୟଙ୍କ ପାଇଁ ଥିବା ଭଲ ପାଇବା, ସ୍ନେହ, ପ୍ରେମକୁ ପ୍ରତିପାଦନ କରେ । କୁହାଯାଇପାରେ ଆଲିଙ୍ଗନ ହେଉଛି, ଭାବପ୍ରବଣର ସଂଯୋଗ ।

ଫେବୃଆରୀ ୧୩ , କିସ୍‌ ଡେ :
ପ୍ରେମ ବା ଭଲପାଇବାରେ ଗୋଟିଏ ଚୁମ୍ବନରେ ନିଜ ମନର ହଜାର କଥା କହି ହେଇଯାଏ । ନିଜ ପାର୍ଟନରକୁ ସ୍ପେଶାଲ ଫିଲ୍ କରାଇବା ପାଇଁ ଗୋଟେ ଚୁମ୍ବନ ହିଁ ଯଥେଷ୍ଟ । ଯେଉଁଥିରେ ମିଠାପଣ ଭରିଯାଏ ସମ୍ପର୍କରେ ।

ଫେବୃଆରୀ ୧୪, ଭାଲେଣ୍ଟାଇନ ଡେ :
ଭାଲେଣ୍ଟାଇନ ଡେ । ଯେଉଁଥିରେ ପ୍ରେମୀଯୁଗଳ ପରସ୍ପର ସହ ସମୟ ଅତିବାହିତ କରନ୍ତି । ନିଜ ପାର୍ଟନରକୁ ସ୍ପେଶାଲ ଫିଲ କରାଇବାକୁ ମନ ପସନ୍ଦର ଗିଫ୍ଟ, ମନ ପସନ୍ଦର ଜାଗାକୁ ବୁଲେଇ ନେଇଥାନ୍ତି । ଯେଉଁଥିରେ ପ୍ରେମ ଆହୁରି ବଢିଥାଏ ।
କିଛି ଏମିତି ଏହି ସମ୍ପୁର୍ଣ୍ଣ ପ୍ରେମ ସପ୍ତାହକୁ ପାଳନ କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Valentine's week starts from tomorrow | Argus News