Videos
|
Entertainment

୮୭ ବର୍ଷ ବୟସରେ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୮୭ ବର୍ଷ ବୟସରେ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ

ବି-ଟାଉନ୍‌ରୁ ଆଉ ଏକ ଦୁଃଖଦ ଖବର । ଚାଲିଗଲେ ବରିଷ୍ଠ ଅଭିନେତା ମନୋଜ କୁମାର । ୮୭ ବର୍ଷ ବୟସରେ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ତାଙ୍କ ଫିଲ୍ମ କ୍ୟାରିୟରରେ ମନୋଜ ଏକାଧିକ ଦେଶଭକ୍ତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଫ୍ୟାନ୍ସ ଶ୍ରଦ୍ଧାରେ 'ଭାରତ କୁମାର' ଡାକନ୍ତି । କ୍ରାନ୍ତି, ଉପକାର ଭଳି ଦେଶଭକ୍ତି ଫିଲ୍ମ ପାଇଁ ଚର୍ଚ୍ଚିତ ଥିଲେ ମନୋଜ ।


ଅଭିନେତା ମନୋଜ କୁମାରଙ୍କ ପରଲୋକ ଖବର ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି । ସୋସିଆଲ୍ ମିଡିଆରେ ସମସ୍ତେ ମନୋଜଙ୍କୁ ଅଶ୍ରୁଳ ବିଦାୟ ଜଣାଉଛନ୍ତି । ସହାରା, ଚାନ୍ଦ, ହନିମୁନ, ପୂରବ ଔର ପଶ୍ଚିମ, ନସିବ, ମେରି ଆୱାଜ ସୁନୋ, ନୀଳ କମଲ, ଉପକାର, ପନ୍ତର କେ ସନମ, ପିୟା ମିଳନ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଜାତୀୟ ପୁରସ୍କାର ସହ ପଦ୍ମଶ୍ରୀ ଓ ଦାଦା ସାହେବ ଫାଲ୍‌କେ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଥିଲେ ।


୧୯୫୭ରେ ଫିଲ୍ମ ଫ୍ୟାସନ ଜରିଆରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ମନୋଜ କୁମାର । ୧୯୬୫ ମସିହା ଥିଲା ତାଙ୍କ କ୍ୟାରିୟର ପାଇଁ ଗେମ୍ ଚେଞ୍ଜର୍ । ସେହି ବର୍ଷ ଆସିଥିବା ସହିଦ ଫିଲ୍ମ ତାଙ୍କ କ୍ୟାରିୟରକୁ ମାଇଲେଜ୍ ଦେଇଥିଲା । ଆଉ ଏହା ପରେ ସେ ପଛକୁ ଫେରି ଚାହିଁ ନଥିଲେ । ସେ କୌଣସି ବି ରୋ ହେଉ, ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଉଥିଲେ ମନୋଜ କୁମାର ।


କେବଳ ମନୋଜଙ୍କ ଫିଲ୍ମ ହିଟ୍ ହେଉ ନଥିଲା, ତାଙ୍କ ଗୀତରେ ଝୁମୁଥିଲେ ଲୋକ । ସେ ଅଭିନୟ କରିଥିବା ଉପକାର ଫିଲ୍ମର ଗୀତ 'ମେରେ ଦେଶ କି ଧରତୀ' ଆଜି ବି ଗୁଞ୍ଜରିତ ହେଉଛି ଦେଶର ପିଲାଠୁ ବୁଢ଼ାଙ୍କ ତୁଣ୍ଡରେ । ୧୯୩୭ ଜୁଲାଇ ୨୪ରେ ମନୋଜ କୁମାର ପରାଧୀନ ଭାରତ ଆଜିର ପାକିସ୍ତାନରେ ଜନ୍ମ ହୋଇଥିଲେ । ତାଙ୍କ ନାଁ ଥିଲା ହରିକୃଷ୍ଣ ଗିରି ଗୋସ୍ଵାମୀ । ଦେଶ ବିଭାଜନ ବେଳେ ତାଙ୍କ ପରିବାର ଦିଲ୍ଲୀ ପଳାଇ ଆସିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: