Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଲରେନ୍ସ ଗ୍ୟାଙ୍ଗର ୫ ଜଣ ସଦସ୍ୟ ଗିରଫ, ପୋଲିସର ତନାଘନା ଜାରି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଲରେନ୍ସ ଗ୍ୟାଙ୍ଗର ୫ ଜଣ ସଦସ୍ୟ ଗିରଫ, ପୋଲିସର ତନାଘନା ଜାରି

ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଲରେନ୍ସ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଅନ୍ଧେରି ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ପାଖରୁ ୭ଟି ପିସ୍ତଲ ଏବଂ ୨୧ଟି ଲାଇଭ କାର୍ଟ୍ରିଜ ଜବତ କରିଛି। ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ଧମକ ଦେଉଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆତଙ୍କ ମୁମ୍ବାଇରେ କମିଲା ପରି ମନେହେଉ ନାହିଁ। କୃଷ୍ଣସାର ମୃଗ ଅର୍ଥାତ୍ ବ୍ଲାକ୍ ବକ୍ ହତ୍ୟା ମାମଲା ପରଠାରୁ ଅଭିନେତା ସଲମାନ ଖାନ ଲରେନ୍ସ ଗ୍ୟାଙ୍ଗରୁ କ୍ରମାଗତ ଧମକ ପାଇ ଆସୁଛନ୍ତି। ଏଭଳି ପରିସ୍ଥିତିରେ ୫ଜଣ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିବା ଏବଂ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ସଲମାନ ଖାନଙ୍କ ସୁରକ୍ଷା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି।

ପୋଲିସ ଏହା ମଧ୍ୟ କହିଛି ଯେ, ସୁମିତ କୁମାର ଏବଂ ବିକାଶଙ୍କର ଅପରାଧ ଇତିହାସ ରହିଛି। ପ୍ରାୟ ୮ ମାସ ପୂର୍ବେ, ସକାଳ ୫ଟାରେ ସଲମାନ ଖାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ୭.୬ ବୋର ବନ୍ଧୁକରୁ ୪ ରାଉଣ୍ଡ ଗୁଳି ଚଲାଯାଇଥିଲା। ଏହି ଆକ୍ରମଣ ପରେ ଜାନୁଆରୀରେ ସଲମାନ ଖାନଙ୍କ ଆପାର୍ଟମେଣ୍ଟର ବାଲକୋନି ବୁଲେଟପ୍ରୁଫ କରାଯାଇଥିଲା। ଏହା ବ୍ୟତୀତ ଆପାର୍ଟମେଣ୍ଟରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ମଧ୍ୟ ଲଗାଯାଇଛି ବୋଲି ପୋଲିସ କହିଛି। ଲରେନ୍ସ ଗ୍ୟାଙ୍ଗଙ୍କ ଧମକ ବାରମ୍ଵାର ପାଇବା ପରେ ସଲମାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ସଲମାନ ଖାନ ବର୍ତ୍ତମାନ ବ୍ୟବହାର କରୁଥିବା କାରଟି ବୁଲେଟପ୍ରୁଫ ଏବଂ ମହାରାଷ୍ଟ୍ର ସରକାର ତାଙ୍କୁ Y Plus କ୍ୟାଟେଗୋରୀର ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିରେ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ସୁରକ୍ଷା ୟୁନିଟର ୧୧ ଜଣ ସଶସ୍ତ୍ର ଯବାନ ସଲମାନ ଖାନଙ୍କ ସହ ଅଛନ୍ତି।

ମାର୍ଚ୍ଚ ୩୦ ଶନିବାର ଦିନ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଅନୁମାନ କରିଛି ଯେ, ଜଣେ ସେଲିବ୍ରିଟି ଏହି ଗ୍ୟାଙ୍ଗର ଟାର୍ଗେଟ ହୋଇପାରେ। ସୂଚନା ଅନୁସାରେ ଗିରଫ୍ ଅଭିଯୁକ୍ତଙ୍କ ନାମ ବିକାଶ ଠାକୁର ଓରଫ ବିକି, ସୁମିତ କୁମାର ଦିଲୱର, ଶ୍ରେୟସ ଯାଦବ, ଦେବେନ୍ଦ୍ର ସକ୍ସେନା ଏବଂ ବିବେକ ଗୁପ୍ତା। ପୋଲିସ କହିଛି ଯେ ଏ ସମସ୍ତେ ରାଜସ୍ଥାନ, ବିହାର ଏବଂ ଉତ୍ତରପ୍ରଦେଶର ବାସିନ୍ଦା। କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ନେଇ ମୁମ୍ବାଇ ଆସିଥିଲେ ବୋଲି ଗୁଇନ୍ଦା ତଥ୍ୟ ପାଇଥିଲା। ଏହା ପରେ ତଦନ୍ତ କରି ପୋଲିସ ୫ ଜଣଙ୍କୁ ଗିରଫ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
was-salman-khan-the-target-mumbai-police-arrest-five-shooters-linked-to-lawrence-bishnoi-gang | Argus News