ପହେଲଗାମରେ ଆମେ ସୁରକ୍ଷିତ ଅଛୁ: ବ୍ଲଗ ଖୁବ ଶୀଘ୍ର ଆସିବ କହି ଟ୍ରୋଲ ହେଲେ ଦୀପିକା-ସୋଏବ

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି। କିଏ ସ୍ବାମୀ ହରାଇଛି ତ କିଏ ପୁଅ ଆଉ କିଏ ଭାଇ। ଏହି ଆକ୍ରମଣକୁ ସାରା ଦେଶ ନିନ୍ଦା କରିଥିବା ବେଳେ ବିଭିନ୍ନ କଳାକାର ଓ କ୍ରିକେଟର ମଧ୍ୟ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ହେଲେ ଟେଲି ଅଭିନେତା ଶୋଏବ ଇବ୍ରାହିମ୍ କରିଥିବା ପୋଷ୍ଟ ଏବେ ତାଙ୍କୁ ଟ୍ରୋଲିଂର ଶିକାର କରାଇଛି। କିଛି ଦିନ ତଳେ ଶୋଏବ୍ ତାଙ୍କ ପତ୍ନୀ ଅଭିନେତ୍ରୀ ଦୀପିକା କକ୍କର ଓ ପୁଅକୁ ନେଇ କଶ୍ମୀର ବୁଲିବାକୁ ଯାଇଥିଲେ। ସେମାରେ ରକ୍ତାକ୍ତ ହୋଇଥିବା ପହଲଗାମକୁ ମଧ୍ୟ ଯାଇଥିଲେ। ମଙ୍ଗଳବାର ଆକ୍ରମଣ ହେବା ପୂର୍ବରୁ ହିଁ ସେ ନିଜ ଘରକୁ ଫେରିସାରିଥିଲେ।
ଘରକୁ ଫେରିବା ପରେ ଆକ୍ରମଣ ହେବା ଜାଣି ସେ ନିଜ ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଥିଲା, "ନମସ୍କାର ବନ୍ଧୁଗଣ, ଆପଣ ସମସ୍ତେ ଆମ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ। ହେଲେ ଆମେ ସୁରକ୍ଷିତ ଅଛୁ । ଆଜି ସକାଳେ ଆମେ କାଶ୍ମୀର ଛାଡ଼ିଥିଲୁ। ଖୁବଶୀଘ୍ର ନୂଆ ବ୍ଲଗ୍ ଆସିବ।" ତାଙ୍କର ଏହି ପୋଷ୍ଟ ପରେ ଶୋକପ୍ରକାଶ କରିବା ପରିବର୍ତ୍ତେ କିଭଳି ବ୍ଲଗ୍ ବିଷୟରେ ଲେଖିପାରିଲେ ବୋଲି ଲେଖି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଆଉ କିଛି ୟୁଜର୍ସ ଲେଖିଛନ୍ତି ତୁମର କିଛି ହେବନି କାରଣ ତୁମେ ହିନ୍ଦୁ ନୁହଁ।