Gold Sales / ଅକ୍ଷୟ ତୃତୀୟାରେ ରାଜ୍ୟରେ ୨୦୦ କୋଟିର ସୁନା ବିକ୍ରି ହେଲେ କାହିଁକି...

Key Points
ଅକ୍ଷୟ ତୃତୀୟାରେ ଗହଣା ବିକ୍ରିରେ ବୃଦ୍ଧି ।
ମହଙ୍ଗା ସୁନା, ତଥାପି ଜୋରଦାର କ୍ରୟ ।
୨୦୦ କୋଟିର ଗହଣା ବିକ୍ରି ।
ସୁନା ଓ ରୁପାର ଅସ୍ବାଭାବିକ ଉଚ୍ଚଦର ଚଳିତବର୍ଷ ଅକ୍ଷୟ ତୃତୀୟାରେ ଗହଣା ବଜାରକୁ ମାନ୍ଦା କରିପାରିନାହିଁ । ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ଅକ୍ଷୟ ତୃତୀୟାରେ କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ଲୋକଙ୍କ ମନରେ ରହିଥିବା ବିଶ୍ବାସ ବ୍ୟବସାୟକୁ ଆଗକୁ ନେଇଛି । ଗତବର୍ଷ ଅକ୍ଷୟ ତୃତୀୟା ତୁଳନାରେ ଚଳିତବର୍ଷ ସୁନା ଗହଣା ବିକ୍ରିରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଅକ୍ଷୟ ତୃତୀୟାରେ ରାଜ୍ୟର ସୋରୁମଗୁଡ଼ିକ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଓ କଏନ ଆଦି ବିକ୍ରି କରିଛନ୍ତି । ପରିମାଣ ଦୃଷ୍ଟିରୁ ବିକ୍ରି ପ୍ରାୟ ଦେଢ଼ କ୍ବିଣ୍ଟାଲ ହେବ ବୋଲି ଆକଳନ କରାଯାଉଛି ।
ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଥିଲା ପ୍ରାୟ ପାଖାପାଖି ୯୦ ହଜାର ଟଙ୍କା ରହିଥିଲା । ଏ ବର୍ଷ ଏହା ଲକ୍ଷେ ୪୨ ହଜାର ଟଙ୍କା ଉପରେ । ଅର୍ଥାତ୍ ବର୍ଷକରେ ଦର ପାଖାପଖି ୬୦% ବଢ଼ିଯାଇଛି । ୨୪ କ୍ୟାରେଟ୍ ସୁନା ଦର ଏବେ ଲକ୍ଷେ ୫୫ ହଜାର ଉପରେ। ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଛନ୍ତି । ରୁପା ସାମଗ୍ରୀ ମଧ୍ୟ ଭଲ ଆକାରରେ ବିକ୍ରି ହୋଇଛି । ଅକ୍ଷୟ ତୃତୀୟା ଅଫରରେ ଗ୍ରାହକ ବିବାହ ଗହଣା ମଧ୍ୟ କିଣିଥିବା ଏମାନେ ପ୍ରକାଶ କରିଛନ୍ତି ।
ସୁନା ଦର ବଢ଼ିଥିଲେ ମଧ୍ୟ କାରବାର ସ୍ୱାଭାବିକ ରହିଛି । ପ୍ରାୟ ୧୦% ଯାଏ କାରବାର ବଢ଼ିଥିବା କହିଛନ୍ତି ଜୁଏଲର୍ସ । ୨ ଦିନ ଅକ୍ଷୟ ତୃତୀୟା ମୁହୁର୍ତ୍ତ ରହିଥିବାରୁ ଲୋକେ ୨ ଦିନ ସୁନା ଗହଣା କିଣିଛନ୍ତି । ପୁରୁଣା ଗହଣା ଗୁଡ଼ିକର ଏକ୍ସଚେଞ୍ଜ କରାଇ ମଧ୍ୟ ନୂଆ ଗହଣା କିଣିଛନ୍ତି । ଗହଣା ଏକ୍ସଚେଞ୍ଜ କରି ନୂଆ ଗହଣା କିଣିବା ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି ।
ଏବେ ହୀରା ଗହଣାଗୁଡ଼ିକର ଚାହିଦା ବଢ଼ିଛି । ସୁନା ଗହଣା ଠାରୁ ଅପେକ୍ଷାକୃତ କମ୍ ଦରରେ ମିଳୁଥିବାରୁ ଏହି ଗହଣା ଗୁଡ଼ିକର ବିକ୍ରି ବଢ଼ିଛି । ହୀରାର ଗିଫ୍ଟ କଲେକ୍ସନଗୁଡ଼ିକ ୧୫ ହଜାର ଟଙ୍କାରୁ ଆରମ୍ଭ ହେଉଥିବାରୁ ଲୋକେ ଏହାକୁ କିଣିବାକୁ ବେଶ ଆଗଭର ହେଉଛନ୍ତି । ୧୮ କ୍ୟାରେଟ ବର୍ଗରେ ଗହଣା ଚାହିଦାକୁ ନଜରରେ ରଖି ଜୁଏଲର୍ସ ମାନେ ଏଥର ବିଶେଷ ପ୍ରସ୍ତୁତି କରିଥିଲେ । ଏହି ଗହଣା ଗୁଡିକର ବିକ୍ରି ମଧ୍ୟ ବେଶ ଉନ୍ନତ ରହିଛି ।
ବଜେଟ ଦୃଷ୍ଟିରୁ ୨୨ କ୍ୟାରେଟ ତୁଳନାରେ ୧୮ କ୍ୟାରେଟ ସୁନା ଗହଣା ପ୍ରତି ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ଗିଫ୍ଟ ଆଇଟମରେ ହୀରା ମୁଦି ଟ୍ରେଣ୍ଡରେ ରହିଛି । ୧୫ରୁ ୨୦ ହଜାର ଟଙ୍କାରେ ହୀରା ମୁଦି ଉପଲବ୍ଧ ରହୁଛି । ସେହିଭଳି ହାଲୁକା ଗହଣାଗୁଡ଼ିକର ବିକ୍ରି ବେଶ ଭଲ ରହିଥିଲା । କର୍ମଜୀବି ଏବଂ ଦୈନନ୍ଦିନ ବ୍ୟବହାର କ୍ଷେତ୍ରରେ ମହିଳାମାନେ ଏହି ଗହଣାଗୁଡ଼ିକୁ ବେଶି ପସନ୍ଦ କରୁଛନ୍ତି । ଏଥିରେ ନେକ୍ଲେସ, କାନଫୁଲ, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ସାମିଲ ରହିଛି । ଏହାବାଦ ବିବାହ ପାଇଁ ପାରମ୍ପରିକ ଗହଣା ଏବଂ ବିବାହ ଗହଣା କିଣା ମଧ୍ୟ ଜାରି ରହିଛି ।
ଅକ୍ଷୟ ତୃତୀୟା ଉପଲକ୍ଷେ ଗହଣା ବ୍ୟବସାୟୀମାନେ ଗଢ଼ା ମଜୁରି ଉପରେ ବିଶେଷ ରିହାତି ପ୍ରଦାନ କରିଥିଲେ । ସେହିଭଳି ହୀରା ଗହଣା ମୂଲ୍ୟ ଏବଂ ଗଢ଼ା ମଜୁରି ଉପରେ ଅଫର ରହିଥିଲା । ନିର୍ଦ୍ଧିଷ୍ଟ କ୍ରୟ ଉପରେ କ୍ୟାସ୍ବ୍ୟାକ, ସୁନା ମୂଲ୍ୟ ଉପରେ ରିହାତି, ପ୍ରିବୁକିଂ ଭଳି ସୁବିଧା ଗ୍ରାହକଙ୍କୁ ଗହଣା କ୍ରୟ ପ୍ରତି ବେଶ ଆକୃଷ୍ଟ କରୁଛି । ଅକ୍ଷୟ ତୃତୀୟା ପାଇଁ ସୋ’ରୁମ ଗୁଡ଼ିକ ସକାଳ ୮ଟାରୁ ଖୋଲିଥିଲା । ସେହିଭଳି ଗ୍ରାହକଙ୍କ ସୁବିଧା ଲାଗି ଅତିରିକ୍ତ କାଉଣ୍ଟର ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।
📱 Get Argus News App
✨Related Topics
Explore more stories