Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Rate Drop / ଆଜି ଏତିକି କମିଲା ସୁନା ଦର... ଗ୍ରାହକଙ୍କ ମନରେ ଖୁସି ଖେଳାଇଲା ସୁନା

Rashmita Mishra
Browse all articles by Rashmita Mishra
·5 months ago·3 min read
ଆଜି ଏତିକି କମିଲା ସୁନା ଦର... ଗ୍ରାହକଙ୍କ ମନରେ ଖୁସି ଖେଳାଇଲା ସୁନା
Gold Rate Drop

Key Points

କାହିଁକି ଖସୁଛି ସୁନା ଓ ରୁପା ଦର?
ଖସିଲା ସୁନା ଦର ଖେଳାଇଲା ଖୁସି । 
ଆଜି ଏତିକି କମିଲା ସୁନା ଦର... ଗ୍ରାହକଙ୍କ ମନରେ ଖିସି ଖେଳାଇଲା ସୁନା

ଜାନୁଆରୀ ୨୯ ତାରିଖରେ ସର୍ବକାଳୀନ ରେକର୍ଡ ଛୁଇଁଥିଲା ୨୪ କ୍ୟାରେଟ୍ ସୁନାର ଦର । ହେଲେ ଚାରିଦିନ ଭିତରେ ୩୫ ହଜାର ଟଙ୍କା କମିଲାଣି । ଆଜି ଗୋଟିଏ ଦିନରେ ଦୁଇଥର କମି ସଂଧ୍ୟା ସୁଦ୍ଧା ୧ ଲକ୍ଷ ୪୭ ହଜାର ୧୬୦ ଟଙ୍କାରେ ପହଞ୍ଚିଛି । ଦର କମ ରହିଥିବାରୁ ବର୍ତ୍ତମାନ ସୁନା ଗହଣା କିଣିବାକୁ ବ୍ୟବସାୟୀ କହୁଛନ୍ତି । ହେଲେ କମୋଡିଟି ଏକ୍ସଚେଞ୍ଜ ମାର୍କେଟରେ ଅସ୍ଥିରତା ଲାଗିରହିଛି । ତେଣୁ ସୁନାରେ ଦେଖି ଚାହିଁ ନିବେଶ କରବାକୁ ପରାମର୍ଶ ଦେଇଛନ୍ତି ବଜାର ବିଶେଷଜ୍ଞ । ଏପଟେ ୪ ଲକ୍ଷ ଟଙ୍କା ଛୁଇଁଥିବା ରୁପା ମୂଲ୍ୟ ମଧ୍ୟ ୨ ଲକ୍ଷ ୬୦ ହଜାର ଟଙ୍କାକୁ ଖସିଆସିଛି ।

ସୂଚନାନୁଯାୟୀ ଲଗାତର ଉପରମୁହାଁ ଥିବା ସୁନା ଦର ଗତ ୪ଦିନ ହେଲା ଅଚାନକ୍ ତଳକୁ ଖସିବାରେ ଲାଗିଛି । ଏପରିକି ଆଜି ଗୋଟିଏ ଦିନରେ ଦୁଇ ଦୁଇଥର ଖସିଛି ସୁନାର ବଜାର ମୂଲ୍ୟ । ସକାଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ଖସି ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କାରେ ପହଞ୍ଚିଥିଲା । ପୁଣି ସଂଧ୍ୟା ସୁଦ୍ଧା ଦର ଆହୁରି ଖସି ୧ ଲକ୍ଷ ୪୭ ହଜାର ୧୬୦   ଟଙ୍କାରେ ପହଞ୍ଚିଛି ।

ସମାନ ଢଙ୍ଗରେ ୨୨ କ୍ୟାରେଟ୍ ସୁନାର ଦର ମଧ୍ୟ ଆଜି ସକାଳୁ ତଳମୁହାଁ ହୋଇଛି । ସକାଳେ ୧୦ ଗ୍ରାମ ପିଛା ଦର ଖସି ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା, ଯାହା ସଂଧ୍ୟା ସୁଦ୍ଧା ଆହୁରି ନିମ୍ନଗାମୀ ହୋଇ ୧ ଲକ୍ଷ ୩୪ ହଜାର ୯୦୦ ଟଙ୍କାରେ ବନ୍ଦ ହୋଇଛି ।

ରୂପାର କିଲୋପିଛା ଦର ମଧ୍ୟ ଆଜି ସଂଧ୍ୟା ସୁଦ୍ଧା ଖସି ୨ ଲକ୍ଷ ୬୦ ହଜାରରେ ପହଞ୍ଚିଛି । ଉଭୟ ସୁନା ଓ ରୁପା ଦର ଖସିବା ପରେ ଗ୍ରାହକ, ବ୍ୟବସାୟୀ ସମସ୍ତେ ଉତ୍ସାହିତ ହୋଇପଡ଼ିଛନ୍ତି । ତଥାପି ସୁନା ଦର ସାଧାରଣ ଗ୍ରାହକଙ୍କୁ ବାଧୁଥିବାରୁ ବିଭିନ୍ନ ସ୍କିମ ଜରିଆରେ ସୁନା ଗହଣା କରିବାକୁ ପରାମର୍ଶ ଦେଉଛନ୍ତି ବ୍ୟବସାୟୀ ।

୨୯ ଜାନୁଆରୀରେ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୮୩ ହଜାର ଛୁଇଁଥିବା ସୁନା ଦର ଗତ ଚାରିଦିନ ହେଲା ଲଗାତର ଖସିଚାଲିଛି । ନଜର ପକାନ୍ତୁ ଏହି ତଥ୍ୟ ଉପରେ -
ଲଗାତର ୪ ଦିନ ହେଲା ଖସୁଛି ସୁନା
୨୪ କ୍ୟାରେଟ୍ ସୁନାର ଦର (୧୦ ଗ୍ରାମ୍)
୩୦ ଜାନୁଆରୀ- ୧ ଲକ୍ଷ ୭୫ ହଜାର ଟଙ୍କା
୩୧ ଜାନୁଆରୀ- ୧ ଲକ୍ଷ ୬୫ ହଜାର ୭୯୫ ଟଙ୍କା
୧ ଫେବ୍ରୁଆରୀ- ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା
୨ ଫେବ୍ରୁଆରୀ- ୧ ଲକ୍ଷ ୪୭ ହଜାର ୧୬୦   ଟଙ୍କା

ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ପ୍ରତିଦିନ ବଢ଼ି ଚାଲିଥିବା ସୁନା ଓ ରୁପାର ଦର ଅଚାନକ କାହିଁକି ଶସ୍ତା ହେଉଛି ।

କାହିଁକି ଖସୁଛି ସୁନା ଓ ରୁପା ଦର?
ଫେଡେରାଲ ରିଜର୍ଭରେ କେଭିନ ୱାର୍ସଙ୍କ ନିଯୁକ୍ତି ଘୋଷଣା ପରେ ବଢ଼ିଛି ଡଲାର ମୂଲ୍ୟ । 
ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେଲେ କମେ ସୁନା ଓ ରୁପାର ଚାହିଦା ।
ପ୍ରଫିଟ ବୁକିଂ ବା ଅଧିକ ଲାଭ ଆଶାରେ ସୁନା, ରୁପା ବିକ୍ରି କରୁଛନ୍ତି ବଡ଼ ନିବେଶକ ।
ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ଟ୍ରେଡିଂ ପାଇଁ ମାର୍ଜିନ ବଢାଇବାରୁ ନଗଦ ଆବଶ୍ୟକ କରୁଛନ୍ତି ନିବେଶକ ।
ବଜେଟରେ ସୁନା, ରୁପାରେ ଆମଦାନୀ ଶୁଳ୍କ କମିଲା ନାହିଁ ତେଣୁ ବିକ୍ରି ବଢ଼ିଯାଇଛି ।
ଘରୋଇ ବଜାରରେ ଗହଣା କିଣାକିଣି କମିଗଲା ଓ ଚାହିଦା କମିବାରୁ ଦର ଖସିଲା । 

ଦର କମିଥିବାରୁ ବର୍ତ୍ତମାନ ସମୟରେ ସୁନା, ରୁପା କିଣାକିଣି କରିବାକୁ ବ୍ୟବସାୟୀ ପରାମର୍ଶ ଦେଉଛନ୍ତି । ହେଲେ କମୋଡିଟି ଏକ୍ସଚେଞ୍ଜ ମାର୍କେଟରେ ଅସ୍ଥିରତା ଲାଗି ରହିଥିବାରୁ ବର୍ତ୍ତମାନ ସୁନା, ରୁପାରେ ଦେଖିଚାହିଁ ନିବେଶ କରିବାକୁ ପରାମର୍ଶ ଦେଉଛନ୍ତି ବଜାର ବିଶେଷଜ୍ଞ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Rate Drop | Gold Price Drops Today, Bringing Cheer to Buyers | Argus News