ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠୁ ବଡ଼ ଉପଲବ୍ଧି

ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆସନ୍ତାକାଲି ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ସିଲଭରସିଟି କଟକରୁ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ହେବ ଲାଗୁ । ରାଜ୍ୟର ୧୪୦୫ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଗୋଟିଏ ସମୟରେ କାର୍ଯ୍ୟକ୍ରମ ହେବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ.. ଆଜି କଟକରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଦେଶର ପ୍ରାୟ ୨୯ ହଜାର ମେଡିକାଲରେ କାମ ଦେବ ଏହି ସ୍ଵାସ୍ଥ୍ୟ କାର୍ଡ । ଆସନ୍ତା ୩ ମାସ ଭିତରେ ସମସ୍ତଙ୍କ ପାଖରେ ପହଞ୍ଚିବ କାର୍ଡ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବିଏସକେୱାଇ କାର୍ଡରେ ସ୍ଵାସ୍ଥ୍ୟ ସେବା କମ ମିଳୁଥିଲା, ସ୍କାମ ଅଧିକ ହେଉଥିଲା । ହେଲେ ଆୟୁଷ୍ମାନ ଭାରତରେ ସ୍ଵାସ୍ଥ୍ୟ ସେବା ଅଧିକ ମିଳିବ, ସ୍କାମ୍ ହେବ ନାହିଁ ।
କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 34 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ହସପିଟାଲରେ ଯୋଗ୍ୟ ହିତାଧିକାରୀ ପାଇବେ ଯୋଜନାର ଲାଭ । ଯୋଜନା ଅଧିନରେ ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାର ହେବେ ଯୋଜନାରେ ସାମିଲ୍। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଦେବେ ସରକାର । ସେହିପରି ୭୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ମାନେ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମାଧ୍ୟମରେ ଉପକୃତ ହେବେ । ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ମିଳିବ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ଲୋକ ମାନଙ୍କୁ ଦିଆଯିବ ସ୍ଵତନ୍ତ୍ର କାର୍ଡ । ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ବି ପାଇବେ କାର୍ଡ ମାଧ୍ୟମରେ ମାଗଣା ସ୍ବାସ୍ଥ୍ୟ ସେବା ।
📱 Get Argus News App
✨ଆସନ୍ତା କାଲିଠାରୁ 7 ଦିନ ଧରି ଆୟୁଷ୍ମାନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଗାଁ ଗାଁରେ ବୁଲିବ ସ୍ବାସ୍ଥ୍ୟ ଚେତନା । ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ଆଶା କର୍ମୀି । ରାଜ୍ୟର 35 ହଜାର ଜନସେବା କେନ୍ଦ୍ର ସହ ଯୋଡି ହେବେ ଆଶା କର୍ମୀ । ନୂଆ ଆୟୁଷ୍ମାନ କାର୍ଡ ସହ ଆଧାର ଅଥଣ୍ଟେନିକେସନ କରାଯିବ ।
