Heart Attack / ଅଧିକ ରାଗୁଥିଲେ ସାବଧାନ, ଆପଣଙ୍କୁ ହୋଇପାରେ ହାର୍ଟଆଟାକ୍

Key Points
ଅଧିକ ରାଗୁଥିଲେ ସାବଧାନ, ଆପଣଙ୍କୁ ହୋଇପାରେ ହାର୍ଟଆଟାକ୍ ।
ଯଦି ଆପଣ ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । ଏକ ଅଧ୍ୟୟନରୁ ରାଗ ଓ ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ମଧ୍ୟରେ ସମ୍ପର୍କ ଉପରେ ଏକ ନୂଆ ତଥ୍ୟ ମିଳିଛି । ଗବେଷଣାରୁ ଜଣାପଡ଼ିଛି ଯେ, ମାତ୍ର ଆଠ ମିନିଟ୍ ଅତ୍ୟଧିକ କ୍ରୋଧ ଶରୀରର ରକ୍ତବାହୀ ନଳୀକୁ ପ୍ରଭାବିତ କରିପାରେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଖୁବ କମ୍ ସମୟର କ୍ରୋଧ ପରେ ରକ୍ତବାହୀ ନଳୀଗୁଡ଼ିକର ବିସ୍ତାର କ୍ଷମତା ପ୍ରାୟ ଅଧା ହ୍ରାସ ପାଇବା ସହ ଏହି ପ୍ରଭାବ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ଏହାର ଅର୍ଥ, କ୍ରୋଧ କେବଳ ଏକ ଭାବପ୍ରବଣ ପ୍ରତିକ୍ରିୟା ନୁହେଁ, ବରଂ ହୃଦୟ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ ।
ଆମେରିକାର କେତେକ ଅନୁଷ୍ଠାନର ଗବେଷକମାନେ ୨୮୦ ଜଣ ସୁସ୍ଥ ବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ । ଏଥିରେ ଅଂଶଗ୍ରହଣକାରୀଙ୍କୁ ଚାରିଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । କିଛି ଲୋକଙ୍କୁ ଏପରି ଏକ ଘଟଣା ମନେ ପକାଇବାକୁ ଆଠ ମିନିଟ୍ ସମୟ ଦେବାକୁ କୁହାଯାଇଥିଲା, ଯାହା ସେମାନଙ୍କୁ ରାଗି, ଦୁଃଖିତ କିମ୍ବା ଚିନ୍ତିତ କରିଥିଲା । ଅନ୍ୟ ଏକ ଗୋଷ୍ଠୀକୁ ନିରପେକ୍ଷ ରହିବା ଓ କେବଳ ଗଣନା କରିବାକୁ କୁହାଯାଇଥିଲା । ପରେ ବୈଜ୍ଞାନିକମାନେ ସେମାନଙ୍କ ରକ୍ତବାହୀ ନଳୀଗୁଡ଼ିକର ପରୀକ୍ଷା କରିଥିଲେ ।
ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା। ଯେଉଁମାନେ କ୍ରୋଧିତ ହେଲାଭଳି ଘଟଣା ମନେ ପକାଇଥିଲେ, ସେମାନଙ୍କ ରକ୍ତବାହୀ ନଳୀଗୁଡ଼ିକର ପ୍ରସାରଣ କ୍ଷମତାରେ ହ୍ରାସ ଦେଖାଯାଇଥିଲା । ଦୁଃଖ କିମ୍ବା ଚିନ୍ତା ଅନୁଭବ କରୁଥିବା ଗୋଷ୍ଠୀରେ ଏହି ପ୍ରଭାବ ପରିଲକ୍ଷିତ ହୋଇ ନଥିଲା । ଏଥିରୁ ଜଣାପଡ଼ୁଛି ଯେ, ଅନ୍ୟ ନକାରାତ୍ମକ ଭାବନା ଅପେକ୍ଷା କ୍ରୋଧ ହିଁ ଭିନ୍ନ ଓ ଅଧିକ ଶକ୍ତିଶାଳୀ ଭାବେ ଆମ ହୃଦୟ ଉପରେ ଚାପ ପକାଇଥାଏ ।
ଯେତେବେଳେ ଆମେ କ୍ରୋଧିତ ହେଉ, ଶରୀରରେ କର୍ଟିସୋଲ୍ ଓ ଆଡ୍ରେନାଲିନ୍ ଭଳି ଚାପ ହରମୋନ୍ ଦ୍ରୁତ ବୃଦ୍ଧିପାଏ । ଏହି ହରମୋନ୍ ଧମନୀଗୁଡ଼ିକର ଭିତର ଆବରଣକୁ ସଙ୍କୁଚିତ କରିଥାଏ, ଯାହା ରକ୍ତ ପ୍ରବାହକୁ ପ୍ରଭାବିତ କରିବା ସହ ରକ୍ତଚାପ ବୃଦ୍ଧି କରିଥାଏ। ଏହା ଦୀର୍ଘକାଳ ପାଇଁ ରହିଲେ ହୃଦ୍ଘାତ କିମ୍ବା ଷ୍ଟ୍ରୋକ୍ର ଆଶଙ୍କା ବଢ଼ାଇଥାଏ ।
ସେଥିପାଇଁ ବିଶେଷଜ୍ଞମାନେ କହନ୍ତି ଯେ କ୍ରୋଧକୁ ହାଲୁକା ଭାବେ ନେବା ଭଲ ନୁହେଁ। ଯଦି ଜଣେ ବ୍ୟକ୍ତି ପ୍ରାୟତଃ ଚିଡ଼ିଚିଡ଼ା ହୁଅନ୍ତି କିମ୍ବା ଛୋଟ ଛୋଟ କଥାରେ କ୍ରୋଧିତ ହୁଅନ୍ତି, ତେବେ ତାଙ୍କୁ ଚାପ ପରିଚାଳନା କୌଶଳ ଶିଖିବା ଉଚିତ। ଗଭୀର ନିଃଶ୍ୱାସ ପ୍ରଶ୍ୱାସ, ନିୟମିତ ବ୍ୟାୟାମ, ଯୋଗ କିମ୍ବା ଧ୍ୟାନ ପରି କୌଶଳ ହୃତ୍ପିଣ୍ଡକୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରେ ।
📱 Get Argus News App
✨Related Topics
Explore more stories