Flood Update: ବାଲେଶ୍ବର, ଭଦ୍ରକ, ଯାଜପୁରରେ ପାଣି ଛାଡିଛି, ହେଲେ ବଢିଛି ଦୁଃଖ

Key Points
ବୈତରଣୀ, ସୁବର୍ଣ୍ଣରେଖା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା
କେନ୍ଦ୍ରାପଡ଼ା ଆଳି-ରାଜକନିକାରେ ଅନେକ ଗାଁରେ ପଶିଲା ପାଣି
ବାଲେଶ୍ବର, ଭଦ୍ରକ, ଯାଜପୁରରେ ପାଣି ଛାଡିଛି, ହେଲେ ବଢିଛି ଦୁଃଖ
ଏବେ ବି ୫୦ରୁ ଅଧିକ ପଞ୍ଚାୟତ ଜଳବନ୍ଦୀ, ହନ୍ତସନ୍ତ ଲୋକେ
ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ଥର ବନ୍ୟା ଆସିଛି । ବ୍ରାହ୍ମଣୀ, ଖରସ୍ରୋତା ଓ ଶାଖା ନଦୀ କାଣୀରେ ବନ୍ୟା ଜଳ ଆସି ଆଳି ବ୍ଲକ ୧୭ ପଞ୍ଚାୟତର ୭୫ ହଜାର ଲୋକେ ଜଳବନ୍ଦୀ ସହ ୧୦ ହଜାରରୁ ଅଧିକ ଚାଷ ଜମି ବୁଡି ରହିଛି l ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୬ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି l ସେହିଭଳି ରାଜକନିକା ବ୍ଲକ ପଶ୍ଚିମ କନିକାର ହାବଳଗଣ୍ଡ ପାଟଣା, ଜେନାସାହି, କନପୁର, ଗହମପାଳ, ବାଲିସାହି, ଜେନାସାହି ଗାଁ ବୈତରଣୀ ନଦୀ କୂଳରେ ଥିବା ଯୋଗୁଁ ବନ୍ୟାରେ ପ୍ରଭାବିତ ହେଇଛି l
ସୁବର୍ଣ୍ଣରେଖା ନଦୀରେ ପାଣି ସିନା କମିଛି । ମାତ୍ର ଲୋକଙ୍କ କଷ୍ଟ ବଢିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକର ବହୁ ଗାଁ ପାଣି ଘେରରେ ରହିଛନ୍ତି । ୧୬ଟି ପଞ୍ଚାୟତର ୬୮୦୯.୫ ହେକ୍ଟର ଚାଷ ବୁଡି ରହିଛି । ପାଣିରେ ବୁଡି ରହି ପଚି ସଢି ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ସେହିପରି ବାଲିଆପାଳ ବ୍ଳକର ୯ଟି ପଞ୍ଚାୟତରେ ପରିବା ଚାଷ ସହ ।
ଭଦ୍ରକ ଜିଲ୍ଲାରେ ବୈତରଣୀ ଓ କୋଚିଳା ନଦୀରେ ଜଳସ୍ତର କମିଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲିର ଅନେକ ପଞ୍ଚାୟତରେ ବନ୍ୟାଜଳରେ ପ୍ରଭାବିତ ହୋଇଛି । ମୁଆଁ, ସନ୍ତରା ଗାଁ ରାସ୍ତାରେ ଓ ଚାଷ ଜମିରେ ପାଣି ଜମି ରହିଛି ।୪ ଦିନ ହେବ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ଯୋଗୁଁ ଆରଡ଼ିରୁ ଯାଜପୁର ମୁଖ୍ୟ ରାସ୍ତା NH-୨୦ରେ ଫ୍ରୁଟ୍ ବ୍ରିଜ ତଳେ ୨୯ ଫୁଟ ଘାଇ ସୃଷ୍ଟି ହୋଇଥିବାବେଳେ ମରାମତି କାମ ଆରମ୍ଭ ହୋଇଛି ।
📱 Get Argus News App
✨ଯାଜପୁର ଜିଲ୍ଲା ଦଶରଥପୁରରେ କାଣୀ ନଦୀର ଭାଙ୍ଗିଥିବା ବନ୍ଧର ମରାମତି କାର୍ଯ୍ୟ ଆରମ୍ଭ କରିଛି । ଗତ ୨୫ତାରିଖରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ଭୟଙ୍କର ବନ୍ୟା ଯୋଗୁଁ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।ବର୍ତ୍ତମାନ ଅସ୍ଥାୟୀ ଭାବେ ବାଲି ବସ୍ତା ପକାଇ ଯୁଦ୍ଧକାଳୀନ ଭିତିରେ ମରାମତି ଚାଲିଛି ।
ମୌସୁମୀ ଟ୍ରପ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସମାନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ପାଇଁ ୱାର୍ଣ୍ଣିଂ ଦିଆଯାଇଛି । ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ୩୧ରୁ ବଢିବ ବର୍ଷାର ପରିମାଣ । ୩ ଯାଏ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।