ଆୟୁଷ୍ମାନ କାର୍ଡ ପହଞ୍ଚିନଥିଲେ ଏହି କାର୍ଡ ଦେଖାଇ ଚିକିତ୍ସିତ ହୋଇପାରିବେ

ଆଜିଠୁ ରାଜ୍ୟରେ ଲାଗୁ ହେଉଛି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ। ଆଜି କଟକ ବାଲିଯାତ୍ରା ପଡିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି। କାର୍ଯ୍ୟକ୍ରମରେ ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପ୍ପି ନଡ୍ଡା ଯୋଗଦେଇ ଶୁଭାରମ୍ଭ କରିବେ। ଆଜିଠାରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏଥି ସଂଯୁକ୍ତ ହେବ। ଯେଉଁଥିରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ସାମିଲ ହେବେ। ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ନୂଆ ଯୋଜନାରେ ଏବେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ।
ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବେ ସରକାର। ଦେଶର ପ୍ରାୟ ୨୯ ହଜାର ମେଡିକାଲରେ ଏହି କାର୍ଡ କାମ କରିବ। ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଡ ସମସ୍ତଙ୍କ ପାଖରେ ପହଞ୍ଚିବ। ଯିଏ ଯେଉଁଠାରେ ଥିବେ ସେ ଏହି କାର୍ଡରେ ଚିକିତ୍ସା ସୁବିଧା ପାଇ ପାରିବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଏକ ସ୍ବତନ୍ତ୍ର କାର୍ଡ ମିଳିବ। ତେବେ କାର୍ଡ ପହଞ୍ଚି ନଥିଲେ ମଧ୍ୟ ଆଧାରକାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇ ପାରିବେ। ଯେଉଁ ମାନେ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି, ସେମାନେ ସ୍ବାଭାବିକ ଭାବେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଯିବେ। ନୂଆକାର୍ଡ ମିଳିବା ପୂର୍ବରୁ କୌଣସି ଅସୁବିଧା ହେଲେ ଆଧାରକାର୍ଡ ଦେଖାଇ ଚିକିତ୍ସିତ ହୋଇ ପାରିବେ।
📱 Get Argus News App
✨ସମସ୍ତଙ୍କୁ ବିନା ଆର୍ଥିକ ଅସୁବିଧାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଭାରତ ସରକାର ୨୩ ସେପ୍ଟେମ୍ବର ୨୦୧୮ରେ ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଆରମ୍ଭ କରିଥିଲେ। ଆୟୁଷ୍ମାନ ଭାରତ ହେଉଛି ବିଶ୍ବର ସର୍ବ ବୃହତ୍ତ ସ୍ବାସ୍ଥ୍ୟ ବୀମା ଯୋଜନା। ଯାହା ସାରା ଦେଶରେ ୧୨.୩୪ କୋଟି ପରିବାରର ୫୫ କୋଟି ଲୋକ ଉପକୃତ ହେଉଛନ୍ତି।