Brain Eating Amoeba: କରୋନା ଭଳି ବଢ଼ିଲାଣି ଭୟ, ବ୍ୟାପିଲା ମସ୍ତିଷ୍କ ଖିଆ ରୋଗ ! ୧୮ ମଲେଣି...

Key Points
ଗରମ ଜଳବାୟୁ ଏହି ଜୀବାଣୁ ପାଇଁ ଅତ୍ୟନ୍ତ ଲାଭଦାୟକ ।
ଏହି ସମୟରେ ସେ ନିଜର ବଂଶବିସ୍ତାର କରିଥାଏ ।
ପାଣିରେ ବିଭିନ୍ନ କାର୍ଯ୍ୟକଳାପ ସମୟରେ ଏହା ମଣିଷ ସଂସ୍ପର୍ଶରେ ଆସିଥାଏ ।
କେରଳର ଅନେକ ଲୋକ ଏକ ଜୀବନ୍ତ ସୁକ୍ଷ୍ମଜୀବାଣୁ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଜୀବାଣୁର ନାମ ନେଗ୍ଲେରିଆ ଫାଉଲେରି, ଯାହାକୁ ସାଧାରଣ ଭାଷାରେ 'ମସ୍ତିଷ୍କ ଖାଉଥିବା ଆମିବା' କୁହାଯାଏ। ଚଳିତ ବର୍ଷ ଏପର୍ଯ୍ୟନ୍ତ କେରଳରେ ଅମିବିକ୍ ମେନିଙ୍ଗୋ ଏନ୍ସେଫାଲାଇଟିସ୍ର ୬୭ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ତୁରନ୍ତ ଜଳ ସୁରକ୍ଷା ପାଇଁ ପଦକ୍ଷେପ ନେବା ଏବଂ ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଦ୍ଧିତ ତାପମାତ୍ରା ଯୋଗୁଁ ଏହି ଆମିବିକ୍ ମେନିଞ୍ଜାଇଟିସ୍ର ମାମଲା ବୃଦ୍ଧି ପାଉଛି। ନେଗ୍ଲେରିଆ ଫାଉଲେରି ଆମିବା ଦ୍ୱାରା ହେଉଥିବା ଏହି ସଂକ୍ରମଣର ଦ୍ରୁତ ଗତି ଏବଂ ଅତ୍ୟନ୍ତ ମାରାତ୍ମକତାକୁ ଦୃଷ୍ଟିରେ ରଖି, ବିଶେଷଜ୍ଞମାନେ ଜଳ ସୁରକ୍ଷା ଏବଂ ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ପ୍ରଦାନ କରୁଛନ୍ତି ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତିରେ, ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏହି 'ମସ୍ତିଷ୍କ ଖାଉଥିବା ଆମିବା' କିପରି ବଢ଼ୁଛି ଏବଂ ଏହାକୁ କିପରି ଏଡ଼ାଇପାରିବା ।
ମସ୍ତିଷ୍କ ଖାଉଥିବା ଆମିବା କିପରି ବୃଦ୍ଧି ପାଏ ?
ବିଶେଷଜ୍ଞଙ୍କ କହିବା କଥା, ମସ୍ତିଷ୍କ ଆମିବା ସହ ଜଡିତ ମାମଲାଗୁଡ଼ିକ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକାଂଶଙ୍କ ମୃତ୍ୟୁ ହେଉଛି । ଅର୍ଥାତ୍, ଅଧିକାଂଶ ରୋଗୀ ଏହି ସଂକ୍ରମଣରୁ ବଞ୍ଚି ପାରନ୍ତି ନାହିଁ। ଏହି ସଂକ୍ରମଣ ନାଏଗ୍ଲେରିଆ ଫାଉଲେରି ନାମକ ଏକ ଜୀବାଣୁ ଦ୍ୱାରା ହୁଏ, ଯାହାକୁ ସାଧାରଣତଃ 'ମସ୍ତିଷ୍କ ଖାଉଥିବା ଆମିବା' କୁହାଯାଏ। ଏହି ଜୀବ ପୋଖରୀ, ହ୍ରଦ କିମ୍ବା ମଇଳା ପାଣିରେ ଏବଂ ସୁଇମିଂ ପୁଲରେ ମଧ୍ୟ ରହିଥାଏ । ଗରମ ଜଳବାୟୁ ଏହି ଜୀବାଣୁ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ସମୟରେ ସେ ନିଜର ବଂଶବିସ୍ତାର କରିଥାଏ । ପାଣିରେ ବିଭିନ୍ନ କାର୍ଯ୍ୟକଳାପ ସମୟରେ ଏହା ମଣିଷ ସଂସ୍ପର୍ଶରେ ଆସିଥାଏ ।
କେତେ ଗମ୍ଭୀର ଏହି ସୂକ୍ଷ୍ମଜୀବ ?
ଡାକ୍ତରଙ୍କ କହିବାନୁସାରେ, 'ରୋଗୀ ଯେତେବେଳେ ସାଧାରଣତଃ ପାଣିରେ ପହଁରେ, ସେତେବେଳେ ଏହି ସଂକ୍ରମଣର ଶିକାର ହୁଏ। ଯଦି ଏହି ଜୀବାଣୁ ସେହି ପାଣିରେ ଥାଏ, ତେବେ ତାହା ନାକ ଦେଇ ମସ୍ତିଷ୍କରେ ପହଞ୍ଚି ମସ୍ତିଷ୍କକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ଏହା ମସ୍ତିଷ୍କରେ ଏକ ଗମ୍ଭୀର ସଂକ୍ରମଣ ସୃଷ୍ଟି କରିପାରେ, ଯାହା ଅନେକ ଜଟିଳତା ସୃଷ୍ଟି କରିପାରେ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।'
ବିଶେଷଜ୍ଞମାନେ କହନ୍ତି.. ଏହି ରୋଗରେ ସଂକ୍ରମିତ ରୋଗୀ ଅଚାନକ ଅଚେତ ହୋଇପାରନ୍ତି ଓ ସେମାନଙ୍କୁ ବାତ ମାରିପାରେ । ଖାଲି ସେତିକି ନୁହେଁ ଏହିଭଳି ଅନେକ ଗମ୍ଭୀର ସମସ୍ୟା ସେମାନଙ୍କଠାରେ ଦେଖାଯାଏ । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମଧ୍ୟ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଏ ଏବଂ ବହୁତ କମ୍ ରୋଗୀ ଏହି ରୋଗରୁ ବଞ୍ଚିପାରନ୍ତି। ତେଣୁ ଯେତେବେଳେ ବି ଆପଣ ସୁଇମିଂ ପୁଲ୍ କିମ୍ବା ଅନ୍ୟ କୌଣସି ଜଳ ବ୍ୟବହାର କରିବେ, ପ୍ରଥମେ ଏହାର କ୍ୱାଲିଟି ଚେକ୍ କରିବାକୁ ଭୁଲନ୍ତୁ ନାହିଁ ।
'ସୁଇମିଂ ପୁଲଗୁଡ଼ିକ ଅପେକ୍ଷାକୃତ ନିରାପଦ ହୋଇଥାଏ । କାରଣ ସେଥିରେ କ୍ଲୋରିନ୍ ଏବଂ ଅନ୍ୟାନ୍ୟ ଜୀବାଣୁନାଶକ ପକାଯାଏ । ଯାହାଦ୍ୱାରା ପାଣରେ ଥିବା କ୍ଷତିକାରକ ଜୀବ ସବୁ ମରିଯାଆନ୍ତି । ହେଲେ ହ୍ରଦ, ପୋଖରୀ କିମ୍ବା ଖୋଲା ପାଣିରେ ଏହି ଜୀବଣୁ ଥିବା ଆଶଙ୍କା ଅଧିକ ଥାଏ ।
ବିଶେଷଜ୍ଞ ଆହୁରି କହିଛନ୍ତି, 'ଯଦି ଏପରି ସଂକ୍ରମଣ ହୁଏ, ତେବେ ଏହା ମହାମାରୀ ପରି ସମସ୍ତଙ୍କ କ୍ଷେତ୍ରରେ ବ୍ୟାପି ନଥାଏ, ବରଂ ବ୍ୟକ୍ତିଗତ ସ୍ତରରେ ରହିଥାଏ। ଅର୍ଥାତ୍ ଯେଉଁ ପାଣିରେ ଏହି ଜୀବାଣୁ ଥାଏ, ସେଥିରେ ଗାଧୋଉଥିବା ଲୋକଙ୍କୁ ହିଁ ଏହି ଜୀବାଣୁ ସଂକ୍ରମିତ କରିବାର ସମ୍ଭାବନା ଅଧିକ ଥାଏ । ତେଣୁ, ଏପରି ଜଳ ଉତ୍ସଠାରୁ ଦୂରେଇ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।
ଉତ୍ତର କେରଳର ମାଲାପୁରମ ଜିଲ୍ଲାରେ ୪୭ ବର୍ଷୀୟ ଜଣେ ବ୍ୟକ୍ତି ଏମିବିକ ମେନିଙ୍ଗୋ ଏନସେଫାଲାଇଟିସରେ ମୃତ୍ୟୁବରଣ କରିଛନ୍ତି। ମାଲାପୁରମ ଜିଲ୍ଲାର ଚେଲେମ୍ପରା ଚାଲିପରମ୍ବୁ ନିବାସୀ ଶାଜିଙ୍କୁ ଅଗଷ୍ଟ ୯ ତାରିଖରେ କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବହୁତ ଗୁରୁତର ଥିଲା। ଶାଜିଙ୍କୁ ଯକୃତ ସମ୍ବନ୍ଧୀୟ ରୋଗ ଥିଲା ଏବଂ ସେତେବେଳେ ତାଙ୍କୁ ଦିଆଯାଉଥିବା ଔଷଧର କୌଣସି ପ୍ରଭାବ ପଡୁନଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ଗତ ୧୦ ତାରିଖ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ । ତାଙ୍କ ସଂକ୍ରମଣର ଉତ୍ସ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଗତ ସପ୍ତାହରେ ମାଲାପୁରମର ବନ୍ଦୁରରେ ଜଣେ ମହିଳା ଏମିବିକ ମେନିଙ୍ଗୋ ଏନସେଫାଲାଇଟିସ ଯୋଗୁଁ ମୃତ୍ୟୁବରଣ କରିଥିଲେ। ଏହା ସହିତ ଗତ ୧୦ ତାରିଖରେ ଜଣେ ୧୦ ବର୍ଷୀୟା ଝିଅ ଏବଂ ଜଣେ ମହିଳାଙ୍କ ପରୀକ୍ଷାରେ ଏହି ସଂକ୍ରମଣ ଥିବା ଜଣାପଡିଥିଲା ।