Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ କାହିଁକି ସମସ୍ୟା ଦେଖାଦେଉଛି,ଜାଣନ୍ତୁ

Rashmita Mishra
Browse all articles by Rashmita Mishra
·1 year ago·4 min read
ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ କାହିଁକି ସମସ୍ୟା ଦେଖାଦେଉଛି,ଜାଣନ୍ତୁ

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର । ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଦେଖାଦେଉଛି । ଅଧିକାଂଶ ଯୁବପିଢ଼ି ଏବେ ଏହି ରୋଗର ଶିକାର ହେଉଛନ୍ତି । ହାଇ ବିପିକୁ ଏକ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ । ମାତ୍ର ଏବେ ବି କିଛି ଲୋକ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି । ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ବ୍ୟକ୍ତିର ମୃତ୍ୟୁ ହେବା ଆଶଙ୍କା ବି ରହିଛି ।

ବ୍ଲଡପ୍ରେସର ଅଧିକ ଦିନ ରହିଲେ ହାର୍ଟଆଟାକ୍ ସମ୍ଭାବନା
ହାଇବିପି ପାଇଁ ଏଲୋପ୍ୟାଥିକ୍‌ରେ ଅନେକ ଔଷଧ ରହିଛି । ହେଲେ ଅଧିକାଂଶ ଲୋକ ଏଲୋପ୍ୟାଥିକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଜାଣି ଖୁସି ହେବେ ଯେ ଆପଣ ଆୟୁର୍ବେଦିକ ଔଷଧ ମାଧ୍ୟମରେ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ହୃଦ୍‌ଘାତ, ପକ୍ଷାଘାତ ଭଳି ଅନେକ ବଡ଼ ବଡ଼ ରୋଗର କାରଣ ହେଉଛି ଉଚ୍ଚ ରକ୍ତଚାପ । ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ କରିବା ନିହାତି ଜରୁରୀ । ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଉଚ୍ଚ ରକ୍ତଚାପ ଥରେ ପ୍ରଭାବ ଆରମ୍ଭ ହେଲେ ଶୀଘ୍ର ଏହାର ଭଲ ହୋଇପାରେ ନାହିଁ । ଏହାପରେ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ । ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଅଧିକ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍ କରାଇଥାଏ।

ଉଚ୍ଚ ରକ୍ତଚାପ କେମିତି କରିବେ ନିୟନ୍ତ୍ରଣ
ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଶାରୀରିକ କାର୍ଯ୍ୟକଳାପ ଜାରି ରଖିବା ଉଚିତ୍ । ବିଶେଷକରି ନିୟମିତ ଯୋଗ ଏବଂ ବ୍ୟାୟାମ କରିବା ଉଚିତ୍ । ଏହାସହିତ ଆପଣଙ୍କ ଖାଦ୍ୟରେ ଗାଜର, ମୂଳା, ବିଲାତି ଏବଂ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ । ସେଥିରେ ପୋଟାସିୟମ୍‌, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମ୍ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବା ସହିତ ବିପି ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଠିକ୍ ସମୟରେ ଖାଦ୍ୟ ଖାଇବା ସହିତ ଅଧିକ ଲୁଣ ଖାଆନ୍ତୁ ନାହିଁ ।

ଉଚ୍ଚ ରକ୍ତଚାପର ଲକ୍ଷଣ

ଅନେକ ଲୋକଙ୍କୁ ଏକଥା ଜଣା ନ ଥାଏ ଯେ, ସେମାନେ ଯେଉଁ ରୋଗରେ ପିଡ଼ିତ ବହୁତ କ୍ଷତିକାରକ । ଏହି ରୋଗକୁ ଜାଣିବା ପାଇଁ ବର୍ଷକରେ କମ୍‌ସେ କମ୍ ଥରେ ବା ଦିଥର ବ୍ଳଡ଼ପ୍ରେସର ଯାଞ୍ଚ କରିନେବା ଉଚିତ୍ । ତେବେ ଉଚ୍ଚ ରକ୍ତଚାପର ଲକ୍ଷଣ କ’ଣ ଜାଣନ୍ତୁ । ଯଦି ଅଧିକାଂଶ ସମୟ ମୁଣ୍ଡବିନ୍ଧିବା ଓ ବୁଲେଇବା, ଛାତିରେ ଯନ୍ତ୍ରଣା ହେବା, ନିଶ୍ୱାସ ନେବାରେ ଅସୁବିଧା, ପରିସ୍ରାରେ ରକ୍ତ ପଡ଼ିବା, ଅଳ୍ପ ପରିଶ୍ରମ କରିବା ପରେ ଥକା ଲାଗିବା, ରାତିରେ ନିଦ ନ ହେବା ଆଦି । ସବୁଠୁ ବଡ଼ କଥା, ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା, ଅଧିକ ଧନ ଅର୍ଜନ କରିବାର ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଯୋଗୁଁ ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଏ ।

ଉଚ୍ଚ ରକ୍ତଚାପ ହ୍ରାସ କରିବାର ଉପାୟ
ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବା ପାଇଁ ପ୍ରଥମେ ଖାଦ୍ୟ ପେୟରେ ନିୟନ୍ତ୍ରଣ ରହିବା ଦରକାର । ଯେତେସମ୍ଭବ ଲୁଣ କମ୍ ଖାଇବା ଦରକାର । ଦିନକୁ ମାତ୍ର ୫ ଗ୍ରାମ ଲୁଣ ଖାଆନ୍ତୁ । ଏହାଠାରୁ ଅଧିକ ଖାଇବା ଅସୁବିଧା । ତେଲମସଲା, ଫାଷ୍ଟଫୁଡ୍ ପରି ଖାଦ୍ୟଠାରୁ ଦୂରେଇ ରହନ୍ତୁ । ସବୁଜ ପନିପରିବା ଓ ତଟକା ଖାଦ୍ୟ ଖାଆନ୍ତୁ । ଏଥିସହିତ ଧୂମପାନ ସମ୍ପୂର୍ଣ୍ଣ ଛାଡ଼ିବା ନିହାତି ଦରକାର । କାରଣ ଏହା ଶୀରାପ୍ରଶୀରାକୁ ସଙ୍କୁଚିତ କରିଦିଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ । ଚିନ୍ତା, ଅତ୍ୟଧିକ କାମଠାରୁ ଦୂରରେ ରହି ଉପଯୁକ୍ତ ପରିମାଣ ତଥା ୬ରୁ ୮ ଘଣ୍ଟା ଶୋଇବା ଦରକାର । ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ୨-୩ ମାସରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କାରଣ ଔଷଧ ଡୋଜ୍ ପରିବର୍ତ୍ତନ କରିବାକୁ ପଡିପାରେ । ସବୁଠୁ ବଡ଼ କଥା, ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ନିୟମିତ ଭାବରେ ଔଷଧ ଖାଇବା ଦରକାର । ଦିନେ ବି ବନ୍ଦ କରିବା ଉଚିତ୍ ନୁହେଁ । ମେଡ଼ିସିନ୍ ଗୋଟିଏ ଦିନ ବନ୍ଦ ହେଲେ ବି ବ୍ରେନ୍ ଷ୍ଟ୍ରୋକ୍‌, ହୃତଘାତ ହେବାର ଆଶଙ୍କା ବଢିଯାଏ । ଏଣୁ ରୋଗୀ ଭୁଲ୍ ରେ ବି ଔଷଧ ବନ୍ଦ କରିବା ଉଚିତ୍ ନୁହେଁ ।

ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ଏହି ଜିନିଷ


ଦହି:- ଉଚ୍ଚ ରକ୍ତଚାପ ରୋଗୀମାନେ ଦହି ଖାଇବା ଜରୁରୀ । ଏଥିରେ ଭିଟାମିନ୍ ବି୬, ବି୧୨ ପ୍ରୋଟିନ୍‌,କ୍ୟାଲସିୟମ,ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଆପଣ ଦିନସାରା ଏନର୍ଜିଟିକ ଅନୁଭବ କରିବେ ।

ମୂଳା:- ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ । ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଉଚ୍ଚ ରକ୍ତଚାପର ରୋଗୀ ମୂଳା ଖାଇବା ଜରୁରୀ । ମୂଳା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ମୂଳାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ମିଳିଥାଏ । ଯାହାଫଳରେ କାଶ ଏବଂ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ ।

ତରଭୁଜ:- ତରଭୁଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହିତ ଡ଼ିହାଇଡ଼୍ରେସନରୁ ମୁକ୍ତି ଦେଇଥାଏ । ଏଥିସହ ଏହାର ମଞ୍ଜିରେ ମ୍ୟାଗ୍ନେସିୟମ୍ ରହିଥିବାରୁ ଏହାକୁ ଖାଇବା ଲାଭଦାୟକ ହୋଇଥାଏ ।

ପଇଡ଼ପାଣି:- ନଡ଼ିଆ ପାଣିରେ ଭିଟାମିନ୍ ସି,ପୋଟାସିୟମ,ମ୍ୟାଗ୍ନେସିୟମ ଏବଂ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ । ଏହାକୁ ପିଇବା ଦ୍ୱାରା ଜଳ ଅଭାବ ସହିତ ରକ୍ତଚାପ କମିଥାଏ ।

ଲେମ୍ବୁପାଣି:- ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ । ନିୟମିତ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଶରୀରରେ ଫ୍ରି ରେଡ଼ିକାଲକୁ ଦୂର କରି ରକ୍ତଚାପ କମ କରିବାରେ ସାହାଯ୍ୟ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
know-why-high-blood-pressure-is-a-problem-for-almost-everyone-these-days | Argus News