Lower Back Pain / ସକାଳୁ ଉଠିବା ପରେ କମର ଧରୁଛି କି ? ଶୋଇବା ପୂର୍ବରୁ କରନ୍ତୁ ଏହି କାମ

Key Points
ଶୋଇବା ପୂର୍ବରୁ କରନ୍ତୁ ଏହି କାମ ।
ସକାଳୁ ବିଛଣାରୁ ଉଠିବା ମାତ୍ରେ କମରରେ ଦରଜ ଅନୁଭବ କରିବା ଅନେକଙ୍କ ପାଇଁ ଏକ ସାଧାରଣ ସମସ୍ୟା । ଅଧିକ ସମୟ ଧରି ଏକ ଅବସ୍ଥାରେ ଶୋଇବା, ଭୁଲ୍ ସ୍ଲିପିଂ ପୋଜିସନ୍ କିମ୍ବା ଦିନସାରା କମ୍ ଶାରୀରିକ କାର୍ଯ୍ୟକଳାପ ଯୋଗୁଁ ଏପରି ହୋଇପାରେ । ତେବେ କମରର ଦରଜ ଅଧିକ ସମୟ ଧରି ରହିଲେ କିମ୍ବା ଏହା ସହିତ ଯନ୍ତ୍ରଣା ବଢ଼ିଲେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ । ଡାକ୍ତରଙ୍କ ମତାନୁସାରେ, ଶୋଇବା ଓ ଉଠିବା ସମୟରେ କିଛି ସାବଧାନତା ଅବଲମ୍ବନ କଲେ ସକାଳର କମର ଦରଜରୁ ଅନେକାଂଶରେ ଆରାମ ମିଳିପାରେ ।
ଧୀରେ ଧୀରେ ବିଛଣାରୁ ଉଠନ୍ତୁ
ସକାଳୁ ଉଠିବା ସମୟରେ ହଠାତ୍ ଝଟକା ଦେଇ ଠିଆ ହୁଅନ୍ତୁ ନାହିଁ । ପ୍ରଥମେ ଗୋଟିଏ ପାର୍ଶ୍ୱକୁ କଡ଼ ଲେଉଟି ଧୀରେ ଧୀରେ ଉଠନ୍ତୁ । କିଛି ସେକେଣ୍ଡ ବସିବା ପରେ ଠିଆ ହେଲେ କମର ଉପରେ ହଠାତ୍ ପଡ଼ୁଥିବା ଚାପ କମିପାରେ ।
ପେଟ ତଳକୁ କରି ଶୁଅନ୍ତୁ ନାହିଁ
ଯଦି ସକାଳୁ ଉଠିବା ପରେ କମର ଦରଜ କରୁଛି, ତେବେ ପେଟ ତଳକୁ କରି ଶୋଇବା ଅଭ୍ୟାସ ଛାଡ଼ିବା ଭଲ । ଏହି ଅବସ୍ଥାରେ ବେକ ଗୋଟିଏ ପାର୍ଶ୍ୱକୁ ମୋଡ଼ି ରହିବା ସହ କମର ଉପରେ ମଧ୍ୟ ଅଧିକ ଚାପ ପଡ଼ିପାରେ । ଏହା ବଦଳରେ ଚିତ୍ ହୋଇ କିମ୍ବା କଡ଼ ଲେଉଟି ଶୋଇବାକୁ ଚେଷ୍ଟା କରନ୍ତୁ ।
ଦୁଇ ଗୋଡ଼ ମଝିରେ ତକିଆ ରଖନ୍ତୁ
କଡ଼ ଲେଉଟି ଶୋଉଥିଲେ ଦୁଇ ଆଣ୍ଠୁ ମଝିରେ ଏକ ତକିଆ ରଖିବା ଦ୍ୱାରା କମରକୁ ଭଲ ସପୋର୍ଟ ମିଳିପାରେ । ଏହା ମେରୁଦଣ୍ଡକୁ ଅଧିକ ବଙ୍କା ହେବାରୁ ରୋକିବାରେ ସହାୟକ ହୋଇପାରେ ଏବଂ ସକାଳର ଦରଜ କମ୍ ଅନୁଭବ ହୋଇପାରେ।
ଆଣ୍ଠୁ ତଳେ ତକିଆ ରଖନ୍ତୁ
ଚିତ୍ ହୋଇ ଶୋଉଥିଲେ ଆଣ୍ଠୁ ତଳେ ଏକ ତକିଆ ରଖିପାରନ୍ତି । ଏଥିରେ ଆଣ୍ଠୁ ସାମାନ୍ୟ ମୋଡ଼ି ରହିବା ସହ କମର ଉପରେ ପଡ଼ୁଥିବା ଚାପ କମିପାରେ ଏବଂ କମରକୁ ଭଲ ସପୋର୍ଟ ମିଳିପାରେ ।
ଗଦିର ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ
ସକାଳୁ ଉଠିବା ପରେ କମର ଦରଜ ହେଉଥିଲେ ଗଦି ମଧ୍ୟ ଏହାର ଏକ କାରଣ ହୋଇପାରେ । ଅତ୍ୟଧିକ ଦବିଯାଉଥିବା ଗଦି ଶରୀରକୁ ଆବଶ୍ୟକ ସପୋର୍ଟ ଦେଇପାରେ ନାହିଁ । ତେଣୁ ଅତ୍ୟଧିକ ନରମ କିମ୍ବା ଅତ୍ୟଧିକ କଠିନ ନୁହେଁ, ଶରୀରକୁ ଭଲ ସପୋର୍ଟ ଦେଉଥିବା ଗଦି ବାଛିବା ଉଚିତ । ଯଦି କମର ଯନ୍ତ୍ରଣା ଲଗାତାର ରହେ, ବଢ଼ିଯାଏ କିମ୍ବା ଅନ୍ୟ ଲକ୍ଷଣ ସହ ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
📱 Get Argus News App
✨Related Topics
Explore more stories