ଦେଶରେ HMPV ସଂକ୍ରମିତଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ଦେଶରେ HMPV ସଂକ୍ରମିତଙ୍କ ସଂଖ୍ୟା ୧୩କୁ ବୃଦ୍ଧି। ଶିଶୁଙ୍କ ପରେ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଥିବାରୁ ବଢିଛି ଚିନ୍ତା । ବେଙ୍ଗାଲୁରୁ, ନାଗପୁର, କୋଲକାତା, ଚେନ୍ନାଇ, ମୁମ୍ବାଇ, ଲକ୍ଷ୍ନୌ ପରେ ଆସାମରେ ମଧ୍ୟ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ମାସର ଶିଶୁ ସଂକ୍ରମିତ ହେବା ପରେ ତାକୁ ଦିବ୍ରୁଗଡ଼ରେ ଥିବା ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି। ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ୬୦ ବର୍ଷୀୟା ମହିଳା HMPV ଭାଇରସ୍ ସଂକ୍ରମିତ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ହ୍ୟୁମାନ ମେଟାପ୍ନ୍ୟୁମୋ ଭାଇରସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଆଲର୍ଟ ଜାରି ହୋଇଛି ।
ଅନ୍ୟପଟେ HMPVକୁ ନେଇ ମୁହଁ ଖୋଲିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଚୀନରୁ ପୁଣି ଆଉ ଏକ ଭୂତାଣୁ ଆସିବ ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା ବୋଲି WHO ତରଫରୁ କୁହାଯାଇଛି । ତେବେ ଏହି ଭୂତାଣୁ HMPVକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଏହା ପୂର୍ବରୁ ଆସୁଥିବା ଇନଫ୍ଲୁଏନ୍ଜା ଭାଇରସ, ଏକ ପ୍ରକାର ଅଟେ । ଏଥିରେ ରେସ୍ପିରେଟୋରୀ ସିନସାଇଟାଲ୍ ଭାଇରସ୍ ଏବଂ କୋଭିଡ -୧୯ର SARS-COV-2 ଭୂତାଣୁର ଲକ୍ଷଣ ରହିଛି । ଆଗାମୀ ଦିନରେ ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ରହୁଛି । ତେବେ ବର୍ତ୍ତମାନ ପାଇଁ କୈାଣସି ଗାଇଡ ଲାଇନ୍ ବା ଲକ୍ ଡାଉନର ଆବଶ୍ୟକତା ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି ।