Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଣି ବିବାଦରେ ତିରୁପତି ମନ୍ଦିର : ପ୍ରଥମେ ପଶୁ ଚର୍ବିରେ ଲଡୁ, ଏବେ ଗୁଟ୍‌ଖା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁଣି ବିବାଦରେ ତିରୁପତି ମନ୍ଦିର : ପ୍ରଥମେ ପଶୁ ଚର୍ବିରେ ଲଡୁ, ଏବେ ଗୁଟ୍‌ଖା

Key Points

  • ପୁଣି ବିବାଦରେ ତିରୁପତି ମନ୍ଦିର
  • ଲଡୁରେ ପଶୁ ଚର୍ବି ଘିଅ ପରେ ତମାଖୁ ନେଇ ଆସିଲା ଅଭିଯୋଗ

ଅର୍ଗସ ବ୍ୟୁରୋ : ତିରୁପତି ମନ୍ଦିରକୁ ନେଇ ଥମୁନି ବିବାଦ । ପ୍ରଥମେ ଏହି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ଘିଅ ମିଶିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହେବା ସହିତ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ଖାଲି ଏତିକି ନୁହେଁ ବରଂ ଘଟଣାରେ କେତେ ସତ କେତେ ମିଛ ଅଛି ସେନେଇ ତଦନ୍ତ କରିବାକୁ ସିବିଆଇକୁ ଦାୟିତ୍ଵ ଦିଆଯାଉ ବୋଲି ଦାବି ହୋଇଥିଲା । ମାମଲାକୁ ନେଇ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଥିଲା । ଏନେଇ ମନ୍ଦିର ପକ୍ଷରୁ ବି ସ୍ପଷ୍ଟୀକରଣ ଦିଆଯାଇଥିଲା । ହେଲେ ଏବେ ନୂଆ ବିବାଦ ମୁଣ୍ଡ ଟେକିଥିବାରୁ ପୁଣି ଥରେ ମନ୍ଦିରକୁ ନେଇ ଆରମ୍ଭ ହୋଇ ଗଲାଣି ଚର୍ଚ୍ଚା ।

ଭାରତର ପ୍ରସିଦ୍ଧ ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ମିଶ୍ରଣ ଅଭିଯୋଗ ପରେ ଏବେ ପୁଣି ଥରେ ଭୋଗରେ ତମାଖୁ ମିଳିଛି ବୋଲି ଜଣେ ଭକ୍ତ ଅଭିଯୋଗ ଆଣିଛନ୍ତି । ଅଭିଯୋଗ କରି କହିଛନ୍ତି, ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସାଦ ଭାବେ ପାଇଥିବା ଲଡୁରେ ତମାଖୁ ପଡ଼ିଥିବା ସେ ଦେଖିବାକୁ ପାଇଛନ୍ତି । ଏହା ଦେଖିବା ପରେ ଏନେଇ ସେ ଅଭିଯୋଗ କରିବା ସହିତ ଭକ୍ତଙ୍କ ଭାବାବେଗ ସହ କେହି ଖେଳନଖେଳୁ ବୋଲି ସେ ରୋକଠୋକ କହିଛନ୍ତି । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,  ଖମ୍ମମ୍‌ ଜିଲ୍ଲାର ଡୋନ୍ଥୁ ପଦ୍ମାବତୀ ଅଭିଯୋଗ କରିଛନ୍ତି,  ସେପ୍ଟେମ୍ବର ୧୯ ତାରିଖରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଲଡୁରୁ ତମାଖୁ ପାଇଥିଲେ । ପଦ୍ମାବତୀ ଲଡୁରୁ ଗୁଟ୍‌ଖା ଖଣ୍ଡ ଓ କାଗଜ ପାଇବା ପରେ ତାଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କୁ ଏ ବିଷୟରେ ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ସେପଟେ ପଦ୍ମବତୀ ପୁରା ଘଟଣା ବର୍ଣ୍ଣନା କରିବା ସହିତ କହିଛନ୍ତି, ‘‘ମୁଁ ଯେତେବେଳେ ପ୍ରସାଦ ଆକାରରେ ଲଡୁ ପାଇଲି , ସେତେବେଳେ ଏକ ଛୋଟ କାଗଜରେ ଗୁଡ଼ାଯାଇଥିବା ତମାଖୁ ଖଣ୍ଡ ପାଇ ମୁଁ ଭୟଭୀତ ହୋଇଥିଲି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ମନ୍ଦିର ପ୍ରସାଦରୁ ପଶୁ ଚର୍ବି ଘିଅ ଓ ମାଛ ତେଲରେ ପ୍ରସାଦ ତିଆରି ହେବା କଥା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ତିରୁପତି ଲଡୁ ବିବାଦ । ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିରୋଧରେ NSA ଲଗାଇବାକୁ ବଢୁଛି ଦାବି ।  ଅଭିଯୋଗରୁ ବର୍ତ୍ତିବାକୁ ନୂଆ ବାହାନା କରୁଛନ୍ତି ଜଗନ । ମନ୍ଦିର କମିଟି ଉପରେ ଦୋଷ ଲଦି ପୂର୍ବତନ ସିଏମ ଖସିଯିବାକୁ ବାଟ ଖୋଜୁଥିବା ଅଭିଯୋଗ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍ କମିଟି । ତିରୁପତି ମନ୍ଦିର ପ୍ରସାଦରେ ବ୍ୟବହାର ହେଉଥିବା ଘିଅ ପାଇଁ ପ୍ରତି ୬ ମାସରେ ରାଜ୍ୟ ସରକାର ଟେଣ୍ଡର କରୁଥିଲେ ବି କେମିତି ଅପମିଶ୍ରଣ ସମ୍ପର୍କରେ ଜାଣିପାରିନଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ମନ୍ଦିରର ପବିତ୍ରତା ନଷ୍ଟ ସହ ହିନ୍ଦୁ ବିଶ୍ଵାସ ଉପରେ ଆଘାତ ପାଇଁ ଲଗାତାର ଷଡ଼ଯନ୍ତ୍ର ହୋଇଆସୁଥିବା ଅଭିଯୋଗ ହୋଇଛି ।

ଜାଣିଶୁଣି ମନ୍ଦିର ବୋର୍ଡରେ ଅଣହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । YSRCP ଶାସନ ସମୟରେ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିବା ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗତ ଜୁଲାଇରେ ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ଦାବି କରିଥିଲେ ସିଏମ ଚନ୍ଦ୍ରବାବୁ ନାଇଡୁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ।  ଏପଟେ ଗୁଟଖା ଉପରେ କି ତଦନ୍ତ ହେଉଛି ତାହାକୁ ଏବେ ଅପେକ୍ଷା ।
 

Sponsored
tirupati-ladoo | Argus News