Videos
|
International

Tariff Relief / ଭାରତ ପାଇଁ ବଡ଼ ଖବର... ୧୦୦% ଟାରିଫ୍‌ରୁ ରିହାତି ଭାରତୀୟ ଫାର୍ମାକୁ ବଡ଼ ଫାଇଦା

Rashmita Mishra
Browse all articles by Rashmita Mishra
·49 mins ago·2 min read
ଭାରତ ପାଇଁ ବଡ଼ ଖବର... ୧୦୦% ଟାରିଫ୍‌ରୁ ରିହାତି ଭାରତୀୟ ଫାର୍ମାକୁ ବଡ଼ ଫାଇଦା
Tariff Relief

Key Points

ଆମେରିକାରୁ ବଡ଼ ଖବର ଭାରତୀୟ ଔଷଧକୁ ଟାରିଫ୍ ଛାଡ଼
୧୦୦% ଟାରିଫ୍‌ରୁ ରିହାତି ଭାରତୀୟ ଫାର୍ମାକୁ ବଡ଼ ଫାଇଦା
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି ଔଷଧ ଉପରେ ଲାଗିବନି ଟାରିଫ୍
ଭାରତ ପାଇଁ ବଡ଼ ଖବର ଆମେରିକା ଦେଲା ଟାରିଫ୍ ରିଲିଫ୍

ଆମେରିକାର ଟାରିଫ୍‌କୁ ନେଇ ଭାରତ ପାଇଁ ଆସିଛି ବଡ଼ ଖବର । ଭାରତ ସମେତ ୨୦ଟି ଦେଶରୁ ଆମେରିକାକୁ ଆମଦାନି ହେଉଥିବା କିଛି ବିଶେଷ ଔଷଧ ଓ ଏହାର ଉତ୍ପାଦନରେ ବ୍ୟବହୃତ ସାମଗ୍ରୀ ଉପରେ ଆମେରିକା କୌଣସି ଆଡ୍ ଭାଲୋରମ୍ (ମୂଲ୍ୟ ଆଧାରିତ) ଟାରିଫ୍ ଲଗାଇବ ନାହିଁ । ଏହି ଔଷଧଗୁଡ଼ିକ ଦୁର୍ଲଭ ଓ ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।

ଆମେରିକାର ବାଣିଜ୍ୟ ବିଭାଗ ଫେଡେରାଲ୍ ରେଜିଷ୍ଟରରେ ଏ ସମ୍ପର୍କିତ ଦେଶଗୁଡ଼ିକର ତାଲିକା ପ୍ରକାଶ କରିଛି । ଭାରତ ବ୍ୟତୀତ ଏହି ତାଲିକାରେ ଆର୍ଜେଣ୍ଟିନା, ବାଂଲାଦେଶ, କାମ୍ବୋଡିଆ, ଇକ୍ୱାଡୋର, ଏଲ୍ ସାଲଭାଡୋର, ୟୁରୋପୀୟ ସଂଘ, ଗୁଏଟେମାଲା, ଇଣ୍ଡୋନେସିଆ, ଜାପାନ, ଜୋର୍ଡାନ, ମାଲେସିଆ, ନର୍ଥ ମାସେଡୋନିଆ, ଦକ୍ଷିଣ କୋରିଆ, ସ୍ୱିଜରଲ୍ୟାଣ୍ଡ, ଲିଚଟେନଷ୍ଟାଇନ୍, ତାଇୱାନ୍, ଥାଇଲ୍ୟାଣ୍ଡ, ବ୍ରିଟେନ୍ ଓ ଭିଏତନାମ୍ ରହିଛନ୍ତି ।

୧୦୦% ଟାରିଫ୍‌ରୁ ମିଳିଲା ରିହାତି
ଫେଡେରାଲ୍ ରେଜିଷ୍ଟରର ନୋଟିସ୍ ଅନୁସାରେ, ଏହି ଦେଶଗୁଡ଼ିକରୁ ଆମଦାନି ହେଉଥିବା ଯୋଗ୍ୟ ଉତ୍ପାଦ ଉପରେ ଶୂନ ପ୍ରତିଶତ ଟାରିଫ୍ ଲାଗୁ ହୋଇପାରେ । ଆମେରିକା ସହ ଥିବା କିମ୍ବା ଭବିଷ୍ୟତରେ ହେବାକୁ ଥିବା ବାଣିଜ୍ୟ ଓ ସୁରକ୍ଷା ସମ୍ପର୍କିତ ଚୁକ୍ତି ଏହାର ଏକ କାରଣ ବୋଲି ନୋଟିସ୍‌ରେ ଦର୍ଶାଯାଇଛି ।

ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ଆମେରିକା କିଛି ପେଟେଣ୍ଟ୍ ପ୍ରାପ୍ତ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଓ ସେଗୁଡ଼ିକର ଉପାଦାନ ଉପରେ ୧୦୦% ଟାରିଫ୍ ଲଗାଇବା ପାଇଁ ପଦକ୍ଷେପ ନେଇଛି ।

ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି
ଘରୋଇ ଔଷଧ ଉତ୍ପାଦନକୁ ବଢ଼ାଇବା ଉଦ୍ଦେଶ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍ ୨ରେ ଏକ ଘୋଷଣା କରିଥିଲେ । ଏଥିରେ ଟ୍ରେଡ୍ ଏକ୍ସପାନ୍ସନ୍ ଆକ୍ଟର ଧାରା ୨୩୨ ଅନୁସାରେ ପେଟେଣ୍ଟ୍ ପ୍ରାପ୍ତ ଔଷଧ, ବାୟୋଲଜିକ୍ସ ଓ ସେଗୁଡ଼ିକ ସହ ଜଡ଼ିତ ଉପାଦାନ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା କରାଯାଇଥିଲା । କିଛି କମ୍ପାନୀ ପାଇଁ ଏହି ଟାରିଫ୍ ଜୁଲାଇ ୩୧ରୁ ଲାଗୁ ହୋଇଥିବା ବେଳେ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ସେପ୍ଟେମ୍ବର ୨୯ରୁ ଏହା ପ୍ରଭାବୀ ହେବାକୁ ଥିଲା ।

କେଉଁ ଔଷଧ ଉପରେ ମିଳିବ ଟାରିଫ୍ ଛାଡ଼ ?
ଆମେରିକୀୟ ପ୍ରଶାସନର ଅଧିସୂଚନା ଅନୁସାରେ, ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ କିଛି ବିଶେଷ ଉତ୍ପାଦ ଏହି ଶୂନ ଟାରିଫ୍‌ର ଦାୟରାରେ ରହିବ । ଏଥିରେ ବନ୍ଧ୍ୟାତ୍ୱ ଚିକିତ୍ସା, ସେଲ୍ ଥେରାପି, ଜିନ୍ ଥେରାପି, ଆଣ୍ଟିବଡି-ଡ୍ରଗ୍ କନ୍ଜୁଗେଟ୍‌ସ ଏବଂ ପଶୁ ଚିକିତ୍ସାରେ ବ୍ୟବହୃତ ଔଷଧ ସାମିଲ ଅଛି । ଏହି ଔଷଧଗୁଡ଼ିକ ତିଆରିରେ ବ୍ୟବହୃତ କେତେକ ପ୍ରମୁଖ ଉପାଦାନକୁ ମଧ୍ୟ ଟାରିଫ୍ ଛାଡ଼ର ଦାୟରାରେ ରଖାଯାଇଛି ।

ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ପାଇଁ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ରିହାତି ଭାବେ ଦେଖାଯାଉଛି, କାରଣ ଆମେରିକା ବଜାର ଭାରତୀୟ ଔଷଧ ରପ୍ତାନିର ଏକ ପ୍ରମୁଖ ବଜାର ଅଟେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: