Guinness World Record: ଜିଦ୍ ଓ ପ୍ୟାସନ୍ ଆଗରେ ବୟସ କେବଳ ଏକ ସଂଖ୍ୟା !

ଥମ୍ବନେଲ୍ ଦେଖି ଆପଣଙ୍କୁ ଟିକେ ଅବିଶ୍ୱାସ ହେଉଥିଲେ ବି ସତ । ଏହା ଆମ ମନଗଢ଼ା କାହାଣୀ ନୁହେଁ... ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସେହି ବ୍ୟକ୍ତି ସ୍ଥାନ ପାଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜର୍ମାନର ୫୯ ବର୍ଷିୟ ରୁଡିଗର୍ କୋଚ । କାଳେ ସେ ଠକିଦେବେ, ସେଥିପାଇଁ ତାଙ୍କୁ ଜଗିବାକୁ ଚାରି ଆଡ଼େ କ୍ୟାମେରା ବି ଲାଗିଥିଲା ।
ଯଦି କେହି ପଚାରନ୍ତି.. ଆପଣ କେତେ ସମୟ ପାଣିରେ ରହିପାରିବେ । ତେବେ ଆପଣ ହୁଏତ କହିବେ ଗୋଟିଏ ମିନିଟ କିମ୍ବା ଦୁଇ ମିନିଟ । କିନ୍ତୁ ଜର୍ମାନ ଏରୋସ୍ପେସ୍ ଇଞ୍ଜିନିୟର ରୁଡିଗର୍ କୋଚ ୧୨୦ ଦିନ ପାଣି ଭିତରେ ରହି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ୫୯ ବର୍ଷୀୟ ରୁଡିଗର୍ ପାନାମା ଉପକୂଳରେ ବୁଡ଼ିଥିବା ଏକ କ୍ୟାପସୁଲରେ ୧୨୦ ଦିନ ବିତାଇଛନ୍ତି । ଗିନିଜ ୱାର୍ଲ୍ଡ ରେକର୍ଡର ବିଚାରପତି ସୁଜାନା ରେଏସଙ୍କ ଉପସ୍ଥିତିରେ ସେ ସମୁଦ୍ରରୁ ବାହାରିଛନ୍ତି ।
ପୂର୍ବରୁ ଏହି ରେକର୍ଡ ଆମେରିକୀୟ ନାଗରିକ ଜୋସେଫ ଡେଟୁରିଙ୍କ ନାମରେ ରହିଥିଲା, ସେ ଫ୍ଲୋରିଡାର ଏକ ହ୍ରଦରେ ଥିବା ଅଣ୍ଡର ଓ୍ବାଟର ଲଜ୍ରେ ୧୦୦ ଦିନ ପର୍ଯ୍ୟନ୍ତ ବିତାଇଥିଲେ । ହେଲେ ଏବେ ୩୦ ବର୍ଗ ମିଟର କ୍ୟାପସୁଲରେ ୧୧ ମିଟର ସମୁଦ୍ର ତଳେ ସମୟ ୧୨୦ ଦିନ ଅତିବାହିତ କରି ରୁଡିଗର୍ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ରୁଡିଗର୍ ପାଣି ତଳେ ଥିବା ଏକ କ୍ୟାପସୁଲରେ ୧୨୦ ଦିନ ରହିଥିଲେ । ଏଥିରେ ଏକ ଶଯ୍ୟା, ଶୌଚାଳୟ, ଟିଭି, କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଥିଲା । ବ୍ୟାୟାମ ପାଇଁ ଯନ୍ତ୍ରପାତି ମଧ୍ୟ ଥିଲା । ସମୁଦ୍ର ତଳେ ଥିବା ତାଙ୍କ କ୍ୟାପସୁଲ ତରଙ୍ଗ ଉପରେ ଥିବା ଅନ୍ୟ ଏକ କୋଠରୀ ସହିତ ସଂଯୁକ୍ତ ଥିଲା । ରୁଡିଗରଙ୍କ ଟିମର ଲୋକମାନେ ଉପର ଚାମ୍ବରରେ ରହୁଥିଲେ।
📱 Get Argus News App
✨ଉଭୟ କୋଠରୀଗୁଡ଼ିକ ଏକ ମୋଟା ଟ୍ୟୁବ୍ ବା ପାଇପ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇଥିଲା । ତାଙ୍କ ଟିମର ସଦସ୍ୟ ଏବଂ ସାମ୍ବାଦିକମାନେ ଏହି ମାର୍ଗ ଦେଇ ତାଙ୍କ ନିକଟରେ ପହଞ୍ଚୁଥିଲେ । ଏହା ବ୍ୟତୀତ ଖାଦ୍ୟ ପଠାଇବା ପାଇଁ ଏହି ମାର୍ଗ ମଧ୍ୟ ବ୍ୟବହୃତ ହେଉଥିଲା । ବିଦ୍ୟୁତ୍ ପାଇଁ ବାହ୍ୟ ଚାମ୍ବର ଉପରେ ସୌର ପ୍ୟାନେଲ୍ ଲଗାଯାଇଥିଲା । ସେଠାରେ ଏକ ବ୍ୟାକଅପ୍ ଜେନେରେଟର ମଧ୍ୟ ଥିଲା ।
୨୪ ଜାନୁଆରୀରେ ରୁଡିଗର ଓ୍ୱାଲ୍ଡ ରେକର୍ଡ କରିବା ସହ କ୍ୟାପସୁଲରୁ ବାହାରକୁ ଆସିଥିଲେ । ପାଣିରୁ ବାହାରକୁ ବାହାରିବା ପରେ ରୋମାଞ୍ଚକର ଯାତ୍ରାକୁ ନେଇ ନିଜ ଅନୁଭୂତି ବଖାଣିଥିଲେ । ଏହି ଦୁଃସାହସିକ ଅନୁଭୂତିକୁ ଉପଭୋଗ କରିଥିବା ସେ କହିଛନ୍ତି । କ୍ୟାପସୁଲରେ ଝରକାରୁ ଅତ୍ୟନ୍ତ ଶାନ୍ତ ପରିବେଶ ମଧ୍ୟରେ ସମୁଦ୍ରର ଉଜ୍ଜ୍ୱଳତାକୁ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ସାମୁଦ୍ରିକ ପରିବେଶ ମାନବ ପାଇଁ ବ୍ୟବହାର ଯୋଗ୍ୟ, ଏହାକୁ ପ୍ରମାଣ କରି ଦେଖାଇବା ଉଦ୍ଦେଶ୍ୟରେ ସେ ପାଣି ଭିତରେ ଦୀର୍ଘ ୪ ମାସ ଧରି ରହିଥିବା ରୁଡିଗର କହିଛନ୍ତି।
ଅନ୍ୟପଟେ ଗିନିଜ ୱାର୍ଲ୍ଡ ରେକର୍ଡର ବିଚାରପତି କହିଛନ୍ତି, ଏହା ଏକ ଅସାଧାରଣ ରେକର୍ଡ, ଏଥିପାଇଁ ବହୁ ପରିଶ୍ରମ ଆବଶ୍ୟକ । 'ଗିନିଜ ୱାର୍ଲ୍ଡ ରେକର୍ଡସ' ଏହାର ପ୍ରମାଣ ଆବଶ୍ୟକ କରୁଥିଲା, ଏଥିପାଇଁ ରୁଡିଗରଙ୍କ ଉପରେ କଡ଼ା ନଜର ରଖାଯାଇଥିଲା । ଏହି ସମୟ ମଧ୍ୟରେ ସମୁଦ୍ର ଉପରକୁ ସେ କେବେ ଆସିଛନ୍ତି ନା ନାହିଁ, ସେକଥା ଜାଣିବା ପାଇଁ କ୍ୟାପସୁଲରେ ୪ ଟି କ୍ୟାମେରା ଲଗାଯାଇଥିଲା। ତାଙ୍କର ୨୪ ଘଣ୍ଟିଆ କାର୍ଯ୍ୟକଳାପ କ୍ୟାମେରାରେ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ତାଙ୍କର ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଆଯାଇଥିଲା ।