ଶତାୟୁ ପ୍ରେମୀଯୁଗଳ, ଏକାଠି ପାର କଲେଣି ୮ ଦଶନ୍ଧି

ପ୍ରେମ ବିବାହକୁ ପୁରିଲାଣି ୮୪ ବର୍ଷ । ଏକାଠି ୮ ଦଶନ୍ଧି ପାର କରିସାରିଲେଣି । ହେଲେ ସେମାନଙ୍କ ପ୍ରେମରେ ଆସିନି ଟିକେ ବି ମଳିନତା । ଉଭୟଙ୍କୁ ଦେଖିଲେ ଲାଗେ ସତେ ଯେମିତି ପ୍ରେମର କୌଣସି ଅନ୍ତ ନାହିଁ, କୌଣସି ପରସମାପ୍ତି ନାହିଁ । ସେଥିପାଇଁ ପ୍ରେମର ସୀମାକୁ ପାର କରି ସେମାନେ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।
ପ୍ରେମ ବିବାହର ପ୍ରକୃତ ଅର୍ଥ ବୁଝାପଡେ ମନୋଏଲ ଏବଂ ମାରିଆଙ୍କୁ ଦେଖିଲେ । ମନରେ ପ୍ରଶ୍ନ ଆସେ, ସତରେ କଣ ପ୍ରେମ ଏତେ ସୁନ୍ଦର । କାରଣ ଆଜିର ଯୁବପିଢୀଙ୍କ ପ୍ରେମକୁ ଦେଖିଲେ ପ୍ରେମ ଉପରୁ ଭରଷା ଉଠିଯିବା ସ୍ବଭାବିକ । କିନ୍ତୁ ବ୍ରାଜିଲର ଏହି ଦମ୍ପତି ଆଜିର ଯୁବପିଢୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ବ୍ରାଜିଲର ଦମ୍ପତ୍ତି ମନୋଏଲ ଏଞ୍ଜୋଲିମ ଡିନୋ ଏବଂ ମାରିଆ ଡି ସୁସା । ମନୋଏଲଙ୍କୁ ୧୦୫ ବର୍ଷ ହୋଇଥିବା ବେଳେ ମାରିଆଙ୍କୁ ୧୦୧ ବର୍ଷ । ଦୁହେଁ ନିଜ ପ୍ରେମ ବିବାହର ୮୪ ବର୍ଷ ଖୁସିର ସହ ପାର କରିଛନ୍ତି । ପରସ୍ପର ସହ ସେମାନେ ଖୁବ ଖୁସିରେ ଥିବା କହିଛନ୍ତି । ସେମାନେ ନିଜର ୧୩ଟି ସନ୍ତାନକୁ ଖୁବ ଆଦର ସହକାରେ ଲାଳନପାଳନ କରିଛନ୍ତି । ଏବେ ମନୋଏଲ ଓ ମାରିଆଙ୍କ ୫୫ଜଣ ନାତି ନାତୁଣୀ, ୫୪ ଜଣ ଅଣ-ନାତି ନାତୁଣୀ ଏବଂ ୧୨ ଜଣ ପଣ ନାତି ନାତୁଣୀ ଅଛନ୍ତି । ନିଜର ବଡ ପରିବାର ସହ ସେମାନେ ଖୁବ ଖୁସିରେ ସମୟ ଅତିବାହିତ କରୁଛନ୍ତି ।
ସେମାନଙ୍କର ପ୍ରଥମ ଭେଟ ହୋଇଥିଲା ୧୯୩୬ରେ । ମନୋଏଲ କହିଥିଲେ ପ୍ରଥମ ଦେଖାରେ ହିଁ ସେ ମାରିଆଙ୍କୁ ନିଜର ହୃଦୟ ଦେଇ ବସିଥିଲେ । ପରେ ଉଭୟ ଧିରେଧିରେ କଥା ହେବା ଆରମ୍ଭ କରିଥିଲେ । ଆଉ ଅଳ୍ପ କଥାରୁ ବନ୍ଧୁତା, ଆଉ ବନ୍ଧୁତାରୁ ଆରମ୍ଭ ହୋଇଥିଲା ପ୍ରେମ ।
ଯେତେବେଳେ ମାରିଆଙ୍କ ପରିବାର ଲୋକେ ଏପରି ଖବର ପାଇଥିଲେ, ସେତେବେଳେ ଏହାକୁ ବିରୋଧ କରିଥିଲେ । କିନ୍ତୁ ମନୋଏଲ ତାଙ୍କ ପରିବାର ଲୋକଙ୍କୁ ମନେଇବା ପାଇଁ ଏବଂ ତାଙ୍କ ମାରିଆଙ୍କ ପାଇଁ ଏକ ସୁନ୍ଦର ଘର ତିଆରି କରିଥିଲେ । ପରେ ଉଭୟ ପରିବାରର ସ୍ବୀକୃତିରେ ୧୯୪୦ରେ ବିବାହ କରିଥିଲେ ଲଭ ବାର୍ଡସ । ବିବାହ ପରେ ମଧ୍ୟ ସେମାନେ ଉଭୟ ଖୁବ ସଂଘର୍ଷ କରି ନିଜର ପରିବାର ଚଲାଇଥିଲେ । କିନ୍ତୁ ହାର ମାନି ନଥିଲେ ।
ମାରିଆ କହିଛନ୍ତି, ଉଭୟଙ୍କ ଖୁସି ରହିବାର ମୂଳ କାରଣ ହେଉଛି ପ୍ରେମ । ଆଜିବି ସେମାନଙ୍କ ଭିତରେ ସେତିକି ପ୍ରେମ ଅଛି, ଯେତିକି ପ୍ରଥମରୁ ଥିଲା । ଆଜି ସେମାନେ ଏକାଠି ରେଡିଓରୁ ପ୍ରାର୍ଥନା ଶୁଣନ୍ତି, ଟିଭି ଦେଖନ୍ତି, ପରସ୍ପର ସହ ସମୟ ବିତାନ୍ତି । ସେଥିପାଇଁ କୁହାଯାଏ, ପ୍ରକୃତ ପ୍ରେମର ଗଭୀରତା ମାପି ହୁଏନି ।