ଚୀନ୍ ଓ ପାକିସ୍ତାନର ସବୁ ପ୍ରକାର କ୍ଷତି ଘଟାଇବାକୁ ଏମାନେ ପଣ କରିଛନ୍ତି

Key Points
ଚୀନ୍ ଓ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି ପାଇଁ କିଏ କରୁଛି ଯୋଜନା?
୬ ମାସରେ ପାକିସ୍ତାନରେ ୧୦୦୦ ରୁ ଅଧିକ ଆକ୍ରମଣ
ଚୀନକୁ ନାକେଦମ୍ କରିସାରିଲାଣି ଏକ ଉଗ୍ରବାଦୀ ସଙ୍ଗଠନ
ପଡୋଶୀ ହୋଇ ମଧ୍ୟ ସବୁବେଳେ ଭାରତର ମନ୍ଦ ପାଞ୍ଚୁଥିବା ଦୁଇଟି ଦେଶ ହେଉଛନ୍ତି ଚୀନ ଓ ପାକିସ୍ତାନ। ହେଲେ ଏବେ ଦୁଇ ଦେଶଙ୍କୁ ଘାରିଛି ନିଜର ସୁରକ୍ଷା ଚିନ୍ତା। କାରଣ ଏହି ଦୁଇଟି ଯାକ ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା ବଢାଇବାରେ ଆଫଗାନିସ୍ତାନ ଏକ ବଡ଼ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ଓ ଚୀନ ଉପରେ ଆକ୍ରମଣ କରୁଥିବା ୩ଟି ପ୍ରମୁଖ ଉଗ୍ରବାଦୀ ସଂଗଠନ ଆଫଗାନିସ୍ତାନ ମାଟିରୁ କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି। ଏହି ସଂଗଠନଗୁଡ଼ିକ ଚୀନ ଏବଂ ପାକିସ୍ତାନୀ ନାଗରିକଙ୍କୁ ଟାର୍ଗେଟ କରନ୍ତି, ଯେଉଁଥିରେ CPEC ବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ମଧ୍ୟ ଅନ୍ତର୍ଭୁକ୍ତ। ଏହି ତିନି ଉଗ୍ରବାଦୀ ସଙ୍ଗଠନ ହେଲେ, TTP ବା ତେହେରିକ-ଏ-ତାଲିବାନ ପାକିସ୍ତାନ, ETIM ବା ଇଷ୍ଟ ତୁର୍କିସ୍ତାନ ଇସଲାମିକ ମୁଭମେଣ୍ଟ, ଏବଂ BLA ବା ବେଲୁଚ ଲିବରେସନ ଆର୍ମି । ଯେଉଁମାନେ ସୁରକ୍ଷା ଏବଂ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ଓ ଚୀନର ବହୁତ କ୍ଷତି ଘଟାଇଛନ୍ତି। ଅଗଷ୍ଟ, ୨୦୨୧ ରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନ ସୀମାବର୍ତ୍ତୀ ଉଭୟ ପ୍ରଦେଶ ପାକିସ୍ତାନର ଖୈବର ପଖତୁନଖୱା ଏବଂ ବେଲୁଚିସ୍ତାନରେ ହିଂସା ବୃଦ୍ଧି ପାଇଛି। ସେହିପରି, ଚୀନ ମଧ୍ୟ ଅଭିଯୋଗ ଆଣୁଛି ଯେ ETIM ଉଇଘୁର ମୁସଲମାନମାନଙ୍କୁ ଉସୁକାଇ ତାଙ୍କ ଦେଶରେ ଅସ୍ଥିରତା ସୃଷ୍ଟି କରୁଛି ।
ତେବେ TTP ଗତ ୬ ମାସରେ ପାକିସ୍ତାନରେ ହଜାରେରୁ ଅଧିକ ଆକ୍ରମଣ କରିଛି। ଏହା ମଧ୍ୟରୁ ୩୦୦ରୁ ଅଧିକ ଆକ୍ରମଣ କେବଳ ଗତ ଜୁଲାଇ ମାସରେ ହୋଇଥିଲା। ଏକ ପୃଥକ ପସ୍ତୁନ ରାଷ୍ଟ୍ର ଦାବି କରିବା ପାଇଁ ୨୦୦୭ ରେ TTP ପ୍ରତିଷ୍ଠିତ ହୋଇଥିଲା। ଏହା ପରଠାରୁ ପାକିସ୍ତାନରେ ଆଫଗାନିସ୍ତାନ ପଟୁ ହିଂସା ଏବଂ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି । ଗ୍ଲୋବାଲ ଟେରରିଜମ ଇଣ୍ଡେକ୍ସ, ୨୦୨୫ ର ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ, TTP ର କାର୍ଯ୍ୟକଳାପ ଯୋଗୁଁ ୫୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଯାହା ଆତଙ୍କବାଦ ଯୋଗୁଁ ହୋଇଥିବା ମୋଟ ମୃତ୍ୟୁର ୫୨% ଥିଲା।
ସେହିପରି ETIM ବା ଇଷ୍ଟ ତୁର୍କିସ୍ତାନ ଇସଲାମିକ ମୁଭମେଣ୍ଟ ଏକ ଉଗ୍ରବାଦୀ ସଂଗଠନ, ଯାହା ୧୯୯୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ଲକ୍ଷ୍ୟ ହେଉଛି ଚୀନର ଜିନଜିଆଙ୍ଗ ପ୍ରଦେଶକୁ ପୃଥକ କରିବା ଏବଂ ଏହାକୁ ପୂର୍ବ ତୁର୍କିସ୍ତାନ ନାଁରେ ଏକ ସ୍ବାଧୀନ ମୁସଲିମ ଦେଶ କରିବା। ଜିନଜିଆଙ୍ଗରେ ପ୍ରାୟ ୧.୭ କୋଟି ଉଇଘୁର ମୁସଲିମ ବାସ କରନ୍ତି। ତେଣୁ ଚୀନର ଚିନ୍ତା ହେଉଛି ଯେ ଆଫଗାନିସ୍ତାନ ଏବେ ଉଇଘୁର ବିଚ୍ଛିନ୍ନତାବାଦୀଙ୍କ ଗଡ଼ ହୋଇଛି। ଯାହା ଏହାର ଜିନଜିଆଙ୍ଗ ପ୍ରଦେଶ ପାଇଁ ବିପଦ ସୃଷ୍ଟି କରୁଛି। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ, ଏହି ଆତଙ୍କବାଦୀ ସଂଗଠନ ଚୀନରେ ୮ଟି ବଡ଼ ଆକ୍ରମଣ କରିଥିଲା। ଏଥିରେ କାଶଗାର ଆକ୍ରମଣ, ବେଜିଂ ଅଲିମ୍ପିକ୍ସ ପୂର୍ବରୁ ଆକ୍ରମଣ, ଉରୁମକି ଦଙ୍ଗା ଏବଂ କୁନମିଂ ରେଳ ଷ୍ଟେସନ ଆକ୍ରମଣ ଅନ୍ତର୍ଭୁକ୍ତ। ଏହି ଆକ୍ରମଣରେ ଅତି କମରେ ୨୬୦ ଜଣ ଚୀନ ନାଗରିକ ପ୍ରାଣ ହରାଇଥିଲେ ଏବଂ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।
ଏହା ସହ BLA ବା ବେଲୁଚ ଲିବରେସନ ଆର୍ମି ଠାରୁ ଉଭୟ ପାକିସ୍ତାନ ଏବଂ ଚୀନ ପାଇଁ ଏକ ବଡ଼ ବିପଦ ରହିଛି। BLA ବେଲୁଚିସ୍ତାନରେ ପାକିସ୍ତାନୀ ଏବଂ ଚୀନ ନାଗରିକଙ୍କ ସହିତ ଉଭୟ ଦେଶର ସାର୍ବଜନୀନ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଛି। ବେଲୁଚିସ୍ତାନ ପ୍ରଦେଶର ସ୍ବାଧୀନତା ପାଇଁ BLA ଲଢ଼େଇ କରୁଛି। ଏହା ୨୦୦୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ କିଛି ଦେଶ ଏହାକୁ ଆତଙ୍କବାଦୀ ସଂଗଠନ ମଧ୍ୟ ଘୋଷଣା କରିଛନ୍ତି। ଯେତେବେଳେ କି ବେଲୁଚିସ୍ତାନ ନେତା ମୀର ୟାର ବଲୁଚ ୧୪ ମେ, ୨୦୨୫ ରେ ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ବାଧୀନତା ଘୋଷଣା କରିସାରିଛନ୍ତି।
BLA କହିଛି ଯେ ବେଲୁଚିସ୍ତାନର ପ୍ରାକୃତିକ ସମ୍ପଦ ଶୋଷଣ କରାଯାଉଛି ଏବଂ ବେଲୁଚିସ୍ତାନ ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଇଛି। ତେଣୁ ଏହି ସଂଗଠନ ପାକିସ୍ତାନୀ ସେନା, ସରକାର ଏବଂ CPEC ଭଳି ଚୀନ ପ୍ରକଳ୍ପକୁ ଟାର୍ଗେଟ କରି ଆସୁଛି। BLA ଲଢ଼ୁଆମାନେ ଗରିଲା ଯୁଦ୍ଧ ଲଢ଼ନ୍ତି। ସେମାନେ ପାର୍ବତ୍ୟ ଅଞ୍ଚଳରେ ଲୁଚି ରହି ସେନା ଉପରେ ଆକ୍ରମଣ କରନ୍ତି । ପାକିସ୍ତାନ ଅଭିଯୋଗ କରିଛି ଯେ TTP ବାଲୁଚିସ୍ତାନ ଲଢ଼ୁଆମାନଙ୍କୁ ତାଲିମ ଦେଉଛି ଏବଂ ଏହା ବେଲୁଚିସ୍ତାନରେ ୨ଟି ତାଲିମ ଶିବିର ମଧ୍ୟ ର୍ନିମାଣ କରିଛି।
ଅଗଷ୍ଟ ୨୦ ତାରିଖରେ କାବୁଲରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନ ବୈଦେଶିକ ମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ, ପାକିସ୍ତାନ ଆଫଗାନିସ୍ତାନରୁ TTP ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏହା ସହିତ, ତାଲିବାନ ସରକାର ଉପରେ TTPକୁ ସମର୍ଥନ କରିବାର ମଧ୍ୟ ଅଭିଯୋଗ ହୋଇଥିଲା। ସେପଟେ ପାକିସ୍ତାନ ଜାତିସଂଘରେ କହିଛି ଯେ TTP ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀର ୮ ହଜାର ବିଦ୍ରୋହୀ ଆଫଗାନିସ୍ତାନରେ ରହୁଛନ୍ତି ।
ଏହା ସହ ଅଗଷ୍ଟ ୨୦ ତାରିଖରେ ଜାତିସଂଘ ବୈଠକରେ ଚୀନ ମଧ୍ୟ ETIM ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କିନ୍ତୁ ଏହାର ଜବାବରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଜାତିସଂଘରେ ପାକିସ୍ତାନ ଏବଂ ଚୀନ ର ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୁଜାହିଦଙ୍କ କହିବା ଅନୁଯାୟୀ, ଆଫଗାନ ମାଟିରେ ଏବେ ଗୋଟିଏ ବି ଆତଙ୍କବାଦୀ ଗୋଷ୍ଠୀ ନାହିଁ। କିଛି ଦେଶ ଜାଣିଶୁଣି ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ପାଇଁ ଆମକୁ ଦୋଷ ଦେଉଛନ୍ତି ବୋଲି କହିଛନ୍ତି ମୁଜାହିଦ୍ । ତେବେ ଏସବୁ ଭିତରେ ଗୋଟିଏ କଥା ଏକପ୍ରକାର ସ୍ପଷ୍ଟ ହୋଇଛି, ଯେଉଁ ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକୁ ସମର୍ଥନ ଦେଇ ପାକିସ୍ତାନ ଓ ଚୀନ ଭଳି ଦେଶ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ, ଏବେ ସେହି ଦେଶ ଗୁଡ଼ିକ ସେମାନଙ୍କ ପାଇଁ କାଳ ସାଜିଛନ୍ତି।