ସେ ଚାହିଁଥିଲେ କୋଟି କୋଟି ନେଇ ଏମିତି କରି ପାରିଥାନ୍ତେ...

Key Points
ଏମିତି ଚିନ୍ତାଧାରା ସମସ୍ତଙ୍କର ହେବା ଦରକାର
ଡିଜାଇନକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଆଉ ଜଣେ ଡିଜାଇନର
ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ଆଜି ବି କିଛି ଲୋକ ଅଛନ୍ତି ଯାହାଙ୍କ ଆଚରଣ ଉଚ୍ଚାରଣ ଓ ପରୋପକାରୀ ଚିନ୍ତାଧାରା ସମାଜରେ ଏକ ନୂଆ ଧାରା ଆରମ୍ଭ କରିଥାଏ। ଯାହା ପରବର୍ତ୍ତୀ ସମୟରେ ସମାଜ ପାଇଁ ପାଲଟିଯାଏ ଏକ ଉଦାହରଣ।
ଫର୍ଣ୍ଣିଚର ଓ ଇଣ୍ଟେରିୟର ବ୍ୟବସାୟ କରୁଥିବା ବିଶ୍ବର ଏକ ଆଗଧାଡିର କମ୍ପାନୀ ସହ ଯୋଡି ରହିଥିବା ଘଟଣା ଜାଣିଲେ ଆପଣଙ୍କ ମନ ବି କହିବ ସାବାସ୍ ପୁଅ। ଏମିତି ଚିନ୍ତାଧାରା ସମସ୍ତଙ୍କର ହେବା ଦରକାର।
📱 Get Argus News App
✨ଆମେ କହୁଛୁ ଫର୍ଣ୍ଣିଚର ଓ ଇଣ୍ଟେରିୟର କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇକିଆ କମ୍ପାନୀ କଥା। ଯାହାର ବିଳାସପୂର୍ଣ୍ଣ ଆସବାବର ଚାହିଦା ସାରା ବିଶ୍ୱରେ ରହିଛି। ନୂଆନୂଆ ଡିଜାଇନ୍ ସହ ପ୍ରିମିୟମ ଲୁକକୁ ନେଇ ସବୁବେଳେ ଲୋକଙ୍କୁ ଆକର୍ଷିତ କରିଥାଏ ଏହି କମ୍ପାନୀ ତିଆରି ଘରୋଇ ଉପକରଣ।
ତେବେ ଏହି କମ୍ପାନୀ ସହ ଯୋଡି ହୋଇଥିବା ଏକ ଘଟଣା ଅନେକ ଯୁବକଙ୍କ ଭବିଷ୍ୟତକୁ ନୂଆ ଦିଶା ଦେଇଛି। ବିବାଦରୁ ଆରମ୍ଭ ହୋଇ ସୁବର୍ଣ୍ଣ ସୁଯୋଗରେ ପରିଣତ ହୋଇଛି।
ଘଟଣା ହେଉଛି ୨୦୧୮ ମସିହାର, ଆଇକିଆ କମ୍ପାନୀ ପକ୍ଷରୁ ଉନ୍ମୋଚିତ ହୋଇଥିଲା ଏକ ନୂଆ ଡିଜାଇନ୍ । ଯେଉଁ ଡିଜାଇନକୁ ସମସ୍ତେ ପସନ୍ଦ କରିଥିଲେ। ଯାହାକୁ ଦେଖି କମ୍ପାନୀରେ ଅଧିକ ବିନିଯୋଗର ଆଶା ବଢିଥିଲା। ତେବେ ଏହି ଡିଜାଇନ୍ ଯେବେ ସାମ୍ନାକୁ ଆସିଲା, ୟାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ବ୍ରିଟେନର ଯୁବ ଡିଜାଇନର ଟମ୍ ଡିକ୍ସନ। କାରଣ ଆଇକିଆ ( IKEA) ଉନ୍ମୋଚନ କରିଥିବା ଡିଜାଇନକୁ ବହୁ ପୂର୍ବରୁ କରି ସାରିଥିଲେ ସେ। ( ଡିଜାଇନଟି ଥିଲା ‘FLAME’ ପେଣ୍ଡଣ୍ଟ ଲାଇଟ୍ସ)ଏନେଇ ଆଇକିଆର ମୁଖ୍ୟଙ୍କୁ ଏକ ମେଲ୍ କରିଥଲେ। ସେ ଭାବିଥିଲେ କମ୍ପାନୀ ପକ୍ଷରୁ ତାଙ୍କୁ ପ୍ରତିଉତ୍ତର ଦିଆଯିବ ନାହିଁ। ଏଥିପାଇଁ ତାଙ୍କୁ ଆଇନର ଆଶ୍ରୟ ନେବାକୁ ପଡିପାରେ। ତାହା ମଧ୍ୟ ସ୍ୱାଭାବିକ କଥା। ଏତେବଡ଼ କମ୍ପାନୀ ସେ ବା କାହିଁକି ଏ ଛୋଟ କଥାରେ ଉତ୍ତର ଦେବ ?
ହେଲେ ଏହି କ୍ଷେତ୍ରରେ ଘଟଣା ଘଟିଥିଲା ସମ୍ପୂର୍ଣ୍ଣ ବିପରୀତ। କମ୍ପାନୀ ପକ୍ଷରୁ ସମ୍ପୃକ୍ତ ଯୁବ ଡିଜାଇନରଙ୍କୁ ଉତ୍ତର ଦିଆ ଯାଇଥିଲା। ତାଙ୍କ ଦାବିକୁ କମ୍ପାନୀ ଗ୍ରହଣ କରିଥିଲା। ବିଶେଷ କରି ବଡ଼ବଡ଼ କମ୍ପାନୀ କ୍ଷେତ୍ରରେ ଏହି ସବୁ ସମସ୍ୟାର ସମାଧାନକୁ ଅର୍ଥବଳ ଦ୍ବାରା ଚାପ ପକାଇ ସମାଧାନ କରାଯାଏ। ମାତ୍ର IKEA ଏକ ଭିନ୍ନ ପଦକ୍ଷେପ ନେଇଥିଲା। ଏନେଇ ଟମ୍ ଡିକ୍ସନଙ୍କ ସହିତ ଆଲୋଚନା କରିଥିଲେ। ଏହି ଡିଜାଇନ ପାଇଁ କମ୍ପାନୀ ପକ୍ଷରୁ ଟମଙ୍କୁ ପାର୍ଟନରସିପ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହାକୁ ଗ୍ରହଣ କରିନଥିଲେ ଟମ୍।
ସେ ନିଜ ତରଫରୁ କମ୍ପାନୀକୁ ପ୍ରସ୍ତାବ ଦେଇଥିଲେ ନୂଆନୂଆ ଯୁବ ଡିଜାଇନରଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବାକୁ । ଯାହାକୁ ସମ୍ମାନ ଜଣାଇ କମ୍ପାନୀ ପକ୍ଷରୁ ୨ ମିଲିୟନ କୋଟିର ନିବେଶ କରି ‘Design Incubator’ ପ୍ରତିଷ୍ଠା କରାଯାଇଛି। ଯାହାର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି ଟମ୍ ଡିକ୍ସନଙ୍କୁ।
ଏଠି ଟମ୍ ପ୍ରମାଣ କରି ଦେଖାଇ ଦେଇଛନ୍ତି, ମଣିଷର ପ୍ରତିଟି ବିଚାର କେବଳ ବ୍ୟକ୍ତିଗତ ହେବା ଉଚିତ୍ ନୁହେଁ। ସାମୂହିକ ବିକାଶ ହିଁ ସୃଜନଶୀଳ ପ୍ରଗତିର ଚାବି କାଠି। ଟମ୍ ଚାହିଁଥିଲେ କମ୍ପାନୀ ଠାରୁ କୋଟିକୋଟି ଟଙ୍କା ନେଇ ଚୁପ୍ ହୋଇ ପାରିଥାନ୍ତେ, କିମ୍ବା ନିଜେ ଭଲ ପଦବୀରେ ରହି ପାରିଥାନ୍ତେ। ହେଲେ ସେ କେବଳ ନିଜ ବିଷୟରେ ନ ଭାବି ଅନ୍ୟ ଡିଜାଇନରଙ୍କ ପାଇଁ ଚିନ୍ତା କଲେ ଓ ସେଥିରେ ସଫଳ ହେଲେ।