ଇସ୍ତାନାବୁଲରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ତୁର୍କି ଇସ୍ତାନାବୁଲରେ ବୁଧବାର ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୩ଟା ୧୯ ମିନିଟରେ ଅନୂଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ମପା ଯାଇଛି। ଏହି ଭୂମିକମ୍ପ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସ୍ତାନାବୁଲରୁ ଦକ୍ଷିଣ-ପଶ୍ଚିମରେ ପାଖାପାଖି ୪୦ କିଲୋମିଟର ଦୂର ମରମରା ସାଗରରେ ଥିଲା। ତୁର୍କିରେ ହୋଇଥିବା ଭୂମିକମ୍ପର ପ୍ରଭାବ ପଡୋଶୀ ଦେଶମାନଙ୍କରେ ମଧ୍ୟ ଅନୁଭୂତ ହୋଇଛି।
କମ୍ପନ ଅନୁଭୂତ ହେବାମାତ୍ରେ ଲୋକେ ଘରୁ ପଦାକୁ ଚାଲିଆସିଥିଲେ। ଦିନବେଳା କମ୍ପନ ଅନୁଭୂତ ହେବା ବେଳେ ଅନେକ ଲୋକେ କାର୍ଯ୍ୟାଳୟରେ ଥିଲେ। ସେମାନେ ମଧ୍ୟ ଦପ୍ତର ଛାଡି ବାହାରକୁ ଚାଲି ଆସିଥିବା ଦେଖାଯାଇଛି। ଭୂମିକମ୍ପ ହେବାମାତ୍ରେ ଲୋକେ ଚିତ୍କାର କରି ଘରୁ ପଦାକୁ ବାହାରିବାକୁ ଲାଗିଥିଲେ। ଇସ୍ତାନାବୁଲ , ଅଙ୍କାରା ଓ ଇଜମିର ଭଳି ବଡ଼ ସହରାଞ୍ଚଳ ମାନଙ୍କରେ କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି।
ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ଏତେମାତ୍ରାରେ ଥିଲା ଯେ ବିଲ୍ଡିଂସବୁ ଦୋହଲିବାରେ ଲାଗିଥିଲେ। ଏ ପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀର ସୂଚନା ମିଳି ନାହିଁ। ହେଲେ ଅଧିକାରୀମାନେ କେତେକ ପୁରୁଣା ବିଲ୍ଡିଂରେ ଭୂମିକମ୍ପ ଯୋଗୁ ଫାଟ ପଡିଯାଇଥିବା କହିଛନ୍ତି। ତୁର୍କିୟେ ଦୁଇଟି ମୁଖ୍ୟ ଫଲ୍ଟ ଲାଇନ ମଝିରେ ରହିଛି।