"ମୋର ସବୁ ଲୋକଙ୍କ ଉପରେ ହେଉଛି ଆକ୍ରମଣ", କାନ୍ଦି କାନ୍ଦି ଏମିତି କହିଲେ ସେଲେନା

ଅର୍ଗସ ବ୍ୟୁରୋ :ଡୋନାଲ୍ଡ ଟ୍ରମ୍ଫଙ୍କ ନିଷ୍ପତ୍ତିରେ କାନ୍ଦିଲେ ହଲିଉଡ ଅଭିନେତ୍ରୀ ସେଲେନା ଗୋମେଜ । ସୋସିଆଲ ମିଡିଆରେ ନିଜର ଏମିତି ଏକ ଭିଡିଓ ସେ ଶେୟାର କରିଥିଲେ, ଯେଉଁଥିରେ ଖୁବ ଜୋରରେ ସେ କାନ୍ଦୁ ଥିବାର ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓ ଶେୟାର କରିବା ପରେ ସୋସିଆଲ ମିଡିଆର କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ସେଥିପାଇଁ ସେ ଏହି ଭିଡିଓକୁ ପରେ ଡିଲିଟ କରି ଦେଇଥିଲେ ।
ଡୋନାଲ୍ଡ ଟ୍ରମ୍ଫ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାପରେ ଏକ ପଲିସି ଲାଗୁ କରିଥିଲେ । ଯାହା ଥିଲା ଆମେରିକାକୁ ଆସିଥିବା ଅନୁପ୍ରବେଶକାରୀଙ୍କୁ ଗିରଫ କରିବା । ଗତ ୨୬ ଜାନୁଆରୀରୁ ଆମେରିକାରେ ଏହି ପଲିସି ଲାଗୁ କରାଯାଇଥିଲା । ଟ୍ରମ୍ଫଙ୍କ ଏପରି ଆଦେଶ ପରେ ପାଖାପାଖି ୧୦୦୦ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା । ଯାହାକୁ ନେଇ ଭାବବିହ୍ବଳ ହୋଇ କାନ୍ଦିଥିଲେ ସେଲେନା ।
ସୋସିଆଲ ମିଡିଆରେ ନିଜର କାନ୍ଦିବା ଭିଡିଓ ଶେୟାର କରି ସେ କହିଥିଲେ, "ମୋର ସବୁ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି । ଏମିତିକି ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଛଡାଯାଉନି । ମୁଁ ଜାଣିପାରୁନି ମୁଁ କଣ କରିବି । ମୁଁ କିଛି କରିବାକୁ ସକ୍ଷମ ହୋଇପାରୁନି । ମତେ କ୍ଷମା କରିଦିଅ । କିନ୍ତୁ ମୁଁ ନିହାତି କିଛି କରିବାକୁ ଚେଷ୍ଟା କରିବି । ମୁଁ କଥା ଦେଉଛି ।"
ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ସେଥିପାଇଁ ସେ ଏହି ଭିଡିଓ ଡିଲିଟ କରି ଦେଇଥିଲେ । ଏବଂ ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ, " ପ୍ରକୃତରେ ଲୋକଙ୍କୁ ସହାନୁଭୂତି ଦେଖାଇବା ଠିକ ନୁହେଁ " ।
ସେଲେନା ପ୍ରକୃତରେ ଅନେକ ଦିନ ଧରି ଆମେରିକାର ରହୁଥିବା ପ୍ରବାସୀ ମାନଙ୍କ ଅଧିକାର ଉପରେ ଲଢୁଥିଲେ । ୨୦୧୯ ମସିହାରେ ସେ ନେଟଫ୍ଲିକ୍ସରେ ଡକ୍ୟୁମେଣ୍ଟାରୀ ସିରିଜ "ଲିଭିଙ୍ଗ ଅନଡକ୍ୟୁମେଣ୍ଟେଡ" ତିଆରି କରିଥିଲେ । ଯେଉଁଥିରେ ପ୍ରବାସୀ ମାନଙ୍କର ସଂଘର୍ଷମୟ ଜୀବନକାହାଣୀ ଉପରେ ଏହା କରାଯାଇଥିଲା ।
ତେବେ ଟ୍ରମ୍ଫଙ୍କ ଏପରି ପଲିସି ସେଠାରେ ଥିବା ଅନେକ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ।