ଟ୍ରମ୍ପ ସରକାରଙ୍କ ନୀତିକୁ ବିରୋଧ କରି ବିରାଟ ରାଲି: ଆମେରିକାରେ ୧୨୦୦ରୁ ଅଧିକ ଶୋଭାଯାତ୍ରା

ଟ୍ରମ୍ପ ସରକାରଙ୍କ ନୀତି ବିରୋଧରେ ‘ହ୍ୟାଣ୍ଡସ୍ ଅଫ୍’ ରାଲି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଘନିଷ୍ଠ ଉପଦେଷ୍ଟା ଏଲନ ମସ୍କଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ୱାଶିଂଟନ, ନ୍ୟୁୟର୍କ, ହ୍ୟୁଷ୍ଟନ, ଫ୍ଲୋରିଡ଼ା, କୋଲୋରାଡୋ ଓ ଲସ୍ ଏଞ୍ଜେଲ୍ସ ଭଳି ସହରଗୁଡ଼ିକରେ ଟ୍ରମ୍ପ ସରକାରଙ୍କ ନୀତି ବିରୋଧରେ ବିରାଟ ରାଲି ହୋଇଛି ।
ଦେଶର ୫୦ ରାଜ୍ୟରେ ୧୨୦୦ରୁ ଅଧିକ ଶୋଭାଯାତ୍ରା କରାଯାଇଛି । ରାଲିରେ ଲୋକମାନେ ଟ୍ରମ୍ପଙ୍କ ଟାରିଫ, କର୍ମଚାରୀ ଛଟେଇ, ଅର୍ଥନୀତିର ଖରାପ ପ୍ରଦର୍ଶନ ସହ ମାନବାଧିକାର ଉଲ୍ଲଂଘନ ଭଳି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ବିକ୍ଷୋଭକାରୀମାନେ ଟ୍ରମ୍ପଙ୍କ କାର୍ଯ୍ୟକାରୀ ଆଦେଶଗୁଡ଼ିକୁ ମଧ୍ୟ ବିରୋଧ କରିଛନ୍ତି ।
ଟ୍ରମ୍ପଙ୍କ ନୀତି ଦେଶରେ ସମସ୍ୟା ସୃଷ୍ଟି କରୁଛି ଓ ବିଶ୍ୱରେ ଆମେରିକାର ସହଯୋଗୀମାନଙ୍କୁ ହରାଉଛି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି । ହ୍ୟାଣ୍ଡସ୍ ଅଫ୍ ରାଲିରେ ନାଗରିକ ଅଧିକାର ସଂଗଠନ, ଶ୍ରମିକ ସଂଘ, ପୂର୍ବତନ ସୈନିକ ଓ ନିର୍ବାଚନ କର୍ମୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଛନ୍ତି ।