ଅବାକ୍ ହୋଇ ଦେଖୁଥିଲେ ଲୋକେ; ପ୍ରାଣୀ ଉଦ୍ୟାନ ରକ୍ଷକଙ୍କୁ ମାରି ଖାଇଦେଲେ ସିଂହ ପଲ

Key Points
ବୁଧବାର ସକାଳ ପ୍ରାୟ ୧୦ ସମୟରେ ବ୍ୟାଂକକର ସଫାରୀ ୱାର୍ଲ୍ଡରେ ଏହି ଅଘଟଣ ଘଟିଛି । ପ୍ରାଣୀ ଉଦ୍ୟାନ ରକ୍ଷକ ଜଣଙ୍କ ଗାଡ଼ି ନେଇ ଯିବା ବେଳେ ହଠାତ୍ ଏକ ସିଂହ ଝାମ୍ପ ମାରିଥିଲା । ପରେ ପରେ ଆଉ ୨ରୁ ୩ଟି ସିଂହ ବେଢ଼ି ଯାଇଥିଲେ ।
ବ୍ୟାଂକକ: ପ୍ରାଣୀ ଉଦ୍ୟାନ ଯିବେ ହେଲେ ଜଙ୍ଗଲର ରାଜାକୁ ନ ଦେଖି ପଳାଇ ଆସିବେ । ଏହା କେବି ବି ହେବନି । ସିଂହକୁ ଦେଖିବାକୁ ସମସ୍ତେ ଚାହାନ୍ତି । ହେଲେ ସିଂହ ଯେତେବେଳେ ସେହି ପ୍ରାଣୀ ଉଦ୍ୟାନର ରକ୍ଷକଙ୍କୁ ମାରି ଖାଇବ, ଆଉ ଆପଣ ହତବାକ୍ ହୋଇ ଦେଖୁଥିବେ । ଲୋମ ଟାଙ୍କୁରି ଯିବ ନା...
ଆଜ୍ଞା ହଁ ଏଭଳି ଘଟିଛି, ବ୍ୟାଂକକ ଅଭୟାରଣ୍ୟରେ । ବ୍ୟାଂକକର ପ୍ରସିଦ୍ଧ ଅଭୟାରଣ୍ୟରେ ବୁଧବାର ସିଂହ ପଲ ପ୍ରାଣୀ ଉଦ୍ୟାନ ରକ୍ଷକଙ୍କୁ ସମସ୍ତଙ୍କ ସାମ୍ନାରେ ମାରି ଦେଇଛନ୍ତି । ୧୫ ମିନିଟ୍ କାଳ ସିଂହ ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରୁଥିବା ବେଳେ ସଫାରୀ ବାହାରେ ଗାଡ଼ିରେ ଥିବା ଦର୍ଶକ ହର୍ଣ୍ଣ ବଜାଇ ହୋହଲ୍ଲା କରିଥିଲେ ବି କିଛି ଲାଭ ମିଳି ନଥିଲା ।
ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୧୦ ସମୟରେ ବ୍ୟାଂକକର ସଫାରୀ ୱାର୍ଲ୍ଡରେ ଏହି ଅଘଟଣ ଘଟିଛି । ପ୍ରାଣୀ ଉଦ୍ୟାନ ରକ୍ଷକ ଜଣଙ୍କ ଗାଡ଼ି ନେଇ ଯିବା ବେଳେ ହଠାତ୍ ଏକ ସିଂହ ଝାମ୍ପ ମାରିଥିଲା । ପରେ ପରେ ଆଉ ୨ରୁ ୩ଟି ସିଂହ ବେଢ଼ି ଯାଇଥିଲେ ।
ପ୍ରାଣୀ ଉଦ୍ୟାନ ରକ୍ଷକଙ୍କ ଠାରୁ ପ୍ରଥମେ ଆକ୍ରମଣ କରିଥିବା ସିଂହଟି ପ୍ରାୟ ୧୦ ମିଟର ଦୂରରେ ଥିଲା । ପ୍ରଥମେ ପ୍ରାଣୀ ଉଦ୍ଯାନ ରକ୍ଷକଙ୍କୁ ଏକ ବଡ଼ ବିଲେଇ ଆକ୍ରମଣ କରିଥିଲା । ଆଉ ଏହି ସୁଯୋଗରେ ସିଂହ ପଲ ବି ମାଡ଼ି ବସିଥିଲେ । ଆଉ ଗୁରୁତର ଅବସ୍ଥାରେ ଉଦ୍ୟାନ ରକ୍ଷକଙ୍କୁ ମେଡିକାଲ୍ ନିଆ ଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।
ତେବେ ସଫାରୀ ୱାର୍ଲ୍ଡରେ ଉଦ୍ଯାନ ରକ୍ଷକଙ୍କୁ ସିଂହ ଆକ୍ରମଣ କରି ମାରିଦେବା ବଡ଼ ଚିନ୍ତାର ବିଷୟ ହୋଇଛି । ଅଭୟାରଣ୍ୟ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ସହ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି । ଆଗକୁ ଯେଭଳି ସମାନ ଧରଣର ଘଟଣା ନ ଘଟିବ ସୁରକ୍ଷା ନିୟମାବଳୀକୁ ଅନୁଧାନ କରାଯିବ ବୋଲି କହିଛନ୍ତି । ତେବେ ସିଂହ ଆକ୍ରମଣରେ ନିହତ ଉଦ୍ଯାନ ରକ୍ଷକଙ୍କ ପରିଚୟକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସାର୍ବଜନୀନ କରି ନାହାନ୍ତି ।