ବାଂଲାଦେଶ କ୍ଷମତାରୁ ହସିନା ଯିବା ପରେ ଭୁଶୁଡ଼ୁଛି ପୋଷାକ ଶିଳ୍ପ !

ସରକାର ଯିବା ସହ ଚାଲିଗଲା କର୍ମ ସଂସ୍ଥାନ । ଲକ୍ଷେରୁ ଅଧିକ ଲୋକ ଏବେ ବେରୋଜଗାର । ୭ ମାସରେ ବନ୍ଦ ହୋଇ ଗଲାଣି ୧୪୦ରୁ ଅଧିକ କପଡ଼ା କାରଖାନା । ଭାରତର ପଡ଼ୋଶୀ ବାଂଲାଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଶେଖ ହସିନା ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ହଟିବାର ୭ ମାସ ପରେ କପଡ଼ା ଶିଳ୍ପର ଏଭଳି ସ୍ଥିତି ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଛି ।
ଶତାଧିକ କପଡ଼ା କାରଖାନା ବନ୍ଦ ହେବା ସହ ଚାଲି ଯାଇଛି ଲକ୍ଷାଧିକ ଲୋକଙ୍କ ଚାକିରି । ପେଟକୁ ଖାଦ୍ୟ ଯୋଗାଉଥିବା କପଡ଼ା କାରଖାନା ବନ୍ଦ ସହ ଅନ୍ଧାର ଆଡ଼କୁ ଘୋଷାଡ଼ି ହୋଇ ଯାଇଛି କାରିଗରଙ୍କ ଜୀବନ । କେବଳ ଗାଜିପୁର, ସାବର, ନାରାୟଣଗଞ୍ଜ ଓ ନର୍ସିଦିରେ ୫୦ରୁ ଅଧିକ କପଡ଼ା କାରଖାନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବା ବେଳେ ୪୦ରୁ ଅଧିକ ଫ୍ୟାକ୍ଟ୍ରିରେ ଅସ୍ଥାୟୀ ଭାବେ ତାଲା ଝୁଲୁଛି ।
ଲୋକେ କେବଳ ରୋଜଗାର ହରାଇଛନ୍ତି ତା ନୁହେଁ । ଏକାଧିକ କପଡ଼ା କାରଖାନାରେ କାମ କରୁଥିବା ଶ୍ରମିକଙ୍କ ୨ ମାସରୁ ନେଇ ୧୪ ମାସ ପର୍ଯ୍ୟନ୍ତ ଦରମା ବକେୟା ରହିଛି । ଯାହାକୁ ନେଇ ସଡ଼କକୁ ପ୍ରତିବାଦ ପାଇଁ ଓହ୍ଲାଇଛନ୍ତି ଶ୍ରମିକ । ଇଦ୍ ଆସିବା ସହ ସ୍ଥିତି ଭୟଙ୍କର ରୂପ ନେଉଛି । ଇଦ୍ ପରେ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା କରାଯାଉଛି । ଏକାଧିକ ପୋଷାକ କାରଖାନା ବନ୍ଦର ଦ୍ଵାର ଦେଶରେ ଥିବା ବେଳେ ସରକାର ଓ କମ୍ପାନୀ ମାଲିକ କୌଣସି ପଦକ୍ଷେପ ନ ନେବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି ।
ବାଂଲାଦେଶ ଗାରମେଣ୍ଟ ମ୍ୟାନୁଫ୍ୟାକଚର୍ସ ଆଣ୍ଡ ଏକ୍ସପୋର୍ଟ୍ସ ଆସୋସିଏସନ୍ ସୂତ୍ର ଅନୁସାରେ, ମିଳୁଥିବା ୨୦ ପ୍ରତିଶତ ଅର୍ଡର ଅନ୍ୟତ୍ର ପଳାଇ ଯାଇଛି । ବାଂଲାଦେଶକୁ ମିଳୁଥିବା ଅର୍ଡର ଏବେ ଭାରତ, ଭିଏତନାମ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ପାକିସ୍ତାନକୁ ମିଳୁଛି ।
📱 Get Argus News App
✨
ଫ୍ୟାକ୍ଟ୍ରି ବନ୍ଦ ସହ ହସିନାଙ୍କ କି ସମ୍ପର୍କ ?
ତେବେ ବାଂଲାଦେଶରେ କାହିଁକି ହଠାତ୍ ବନ୍ଦ ହେବାରେ ଲାଗିଛି ପୋଷାକ ଶିଳ୍ପ ? କାରଖାନା ବନ୍ଦ ପଛରେ ୨ଟି କାରଣ କୁହାଯାଉଛି । ଗୋଟିଏ ହେଉଛି ଆର୍ଥିକ ମାନ୍ଦାବସ୍ଥା ଅନ୍ୟଟି ରାଜନୈତିକ ଅସ୍ଥିରତା । ଆଉ ଏହି ସଂକଟ ସମୟର ରହସ୍ୟମୟ ତଥ୍ୟ ହେଉଛି, ବନ୍ଦ ହୋଇ ପଡ଼ୁଥିବା ଅଧିକାଂଶ କପଡ଼ା କାରଖାନା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ ସହ ଜଡ଼ିତ ନେତାଙ୍କର । ଏହା ଭିତରେ ସଲମାନ ଏଫ୍ ରହମାନଙ୍କ କମ୍ପାନୀ ବେକ୍ସିମକୋ ରହିଛି ।
ସୂଚନା ଅନୁସାରେ, ଗତ ବର୍ଷ ବେକ୍ସିମକୋର ୧୫ଟି କାରଖାନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା । ଏହା ଛଡ଼ା ଅୱାମା ଲିଗ୍ର ମନ୍ତ୍ରୀ ଗାଜି ଦସ୍ତଗିରଙ୍କ ଅନେକ କାରଖାନା ବନ୍ଦ ହୋଇ ଯାଇଛି । ତେବେ ବେକ୍ସିମକୋ ହେଉଛି ବାଂଲାଦେଶର ପୁରାତନ କପଡ଼ା କମ୍ପାନୀ । ଏହା ୧୯୭୦ରେ ଆରମ୍ଭ ହୋଇଥିଲା । କମ୍ପାନୀ ପାଖରେ ୭୦ ହଜାରରୁ ଅଧିକ କର୍ମଚାରୀ ବି ଅଛନ୍ତି ।
