ଭୟଙ୍କର ସଡ଼କ ଦୁର୍ଘଟଣା ! ଅକାରଣେ ଚାଲିଗଲା ୩୭ ଜୀବନ

ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ୩୭ ଜଣଙ୍କ ଜୀବନ । ୩୯ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲିଭିଆର ଦକ୍ଷିଣାଞ୍ଚଳରେ । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ସକାଳେ ଉୟୁନି ଏବଂ କୋଲଚାନି ରାଜପଥରେ ଏକ ବସ୍ ଭୁଲ୍ ଲାଇନ୍ରେ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଘଟଣାଟିକୁ ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ଦୁର୍ଘଟଣା ମଧ୍ୟରୁ ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି ବିବେଚନା କରାଯାଉଛି।
ପୋଟୋସି ବିଭାଗୀୟ ପୋଲିସ କମାଣ୍ଡର ମୁଖପାତ୍ର କହିଛନ୍ତି ଯେ, ଏହି ଭୟଙ୍କର ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୩୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ଉୟୁନି ସହରର ଚାରୋଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ସପ୍ତାହ ଶେଷରେ ଓରୁରୋ କାର୍ନିଭାଲ୍ ଅନୁଷ୍ଠିତ ହେବାକୁ ଥିବାରୁ ଏକ ବସ୍ ଓରୁରୋ ସହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ଯିଏ ବି ଦେଖୁଛି ସ୍ତବ୍ଧ ହୋଇଯାଉଛି । ଏହି କାର୍ନିଭାଲ୍ ଲାଟିନ୍ ଆମେରିକାର ସବୁଠାରୁ ବଡ଼ ଉତ୍ସବ ମଧ୍ୟରୁ ଗୋଟିଏ ଏବଂ ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତି।
ରାସ୍ତାରେ ଓଲଟି ପଡ଼ିଥିବା ବସ୍ଟିକୁ କ୍ରେନ୍ ସାହାଯ୍ୟରେ ସିଧା କରାଯାଇଥିଲା। ପୋଲିସ ଅଧିକାରୀମାନେ ବସ୍ର ଭଗ୍ନାବଶେଷରୁ ମୃତଦେହ ବାହାର କରୁଥିଲେ ଏବଂ ସେମାନଙ୍କୁ କମ୍ବଳରେ ଘୋଡ଼ାଉଥିବା ଦେଖାଯାଇଥିଲା । ଯାହାର ଫଟୋ ମଧ୍ୟ ଭାଇରାଲ ହେଉଛି । ହେଲେ ସେସବୁ ଫଟୋଗୁଡ଼ିକୁ ଆମେ ଦେଖାଇପାରିବା ସମ୍ଭବ ନୁହେଁ । ଅଧିକାରୀଙ୍କ କହିବାନୁଯାୟୀ, ସେମାନେ ପୀଡିତଙ୍କୁ ଚିହ୍ନଟ କରିବାକୁ ଏବଂ ଆହତଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା ଜାରି ରଖିଛନ୍ତି।
ଦେଖିବାକୁ ଗଲେ ବୋଲିଭିଆରେ ସଡ଼କ ଦୁର୍ଘଟଣା ଏକ ଗମ୍ଭୀର ସମସ୍ୟା ହୋଇ ରହିଛି। ଦ୍ରୁତ ଗତି, ବେପରୁଆ ଗାଡ଼ି ଚାଳନା ଏବଂ ଦୁର୍ବଳ ସଡ଼କ ସୁରକ୍ଷା ନିୟମ ଯୋଗୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି। ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ଦୁର୍ଘଟଣା ପଛରେ ପ୍ରକୃତ କାରଣ କ'ଣ ଥିଲା, ତାହା ଅଧିକାରୀଙ୍କ ତଦନ୍ତ ପରେ ସ୍ପଷ୍ଟ ହେବ।
ତେବେ ବୋଲିଭିଆ ସରକାରଙ୍କ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତି ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଦ୍ରୁତ ଗତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଥାଇପାରେ।
