ଟ୍ରମ୍ପଙ୍କ ଟାରିଫ ଧମକକୁ ନେଇ ଏକାଠି ବ୍ରିକ୍ସ ରାଷ୍ଟ୍ର ସମୂହ

Key Points
ଭାରତର ପଦକ୍ଷେପକୁ ଚୀନର ଖୋଲା ସମର୍ଥନ
ବ୍ରାଜିଲ ପିଏମଙ୍କ ସହ କଥା ହେଲେ PM ମୋଦି
ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଓ ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା
ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ବ୍ରାଜିଲ ଦେଇଥିଲା ଜୋରଦାର ଝଟକା
ଟ୍ରମ୍ପଙ୍କ ଟାରିଫକୁ ନେଇ ଏକାଠି ବ୍ରିକ୍ସ ରାଷ୍ଟ୍ର । ବେଶ୍ ମହଙ୍ଗା ପଡ଼ିବ ଭାରତ ସହ ଟାରିଫ ୱାର। ପଡୋଶୀ ଚୀନ ଭାରତର ପଦକ୍ଷେପକୁ ଖୋଲା ସମର୍ଥନ ଦେଇଥିବାବେଳେ ବ୍ରାଜିଲ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଭାରତ ଓ ବ୍ରାଜିଲ ସର୍ବାଧିକ ଟାରିଫ ଘୋଷଣା କରି ଟ୍ରମ୍ପ ଯେଉଁ ଭୁଲ କରିଛନ୍ତି, ତାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଦୁଇ ନେତାଙ୍କ ମଧ୍ୟରେ ଫୋନରେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଓ ପ୍ରତିରକ୍ଷା ପସଙ୍ଗରେ ଆଲୋଚନା ହୋଇଛି । ଟାରିଫ୍ ଆଲୋଚନା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ ପୂର୍ବରୁ ପ୍ରତ୍ୟାଖାନ କରିଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା । ପୂର୍ବରୁ 5 ଥର ଭାରତ ସହ ଆଲୋଚନା ବିଫଳ ହୋଇଥିବାବେଳେ ଟାରିଫ୍ ସମସ୍ୟାର ସମାଧାନ ନ ହେବା ଯାଏଁ ଭାରତ ସହ ବାଣିଜ୍ୟିକ ଆଲୋଚନା ହେବନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଏପଟେ ଆମେରିକାର ଶୁଳ୍କ ଯୁଦ୍ଧ ଚୀନ୍ - ଭାରତକୁ କରିଛି ନିକଟତର ।
ଆଗାମୀ SCO ସମ୍ମିଳନୀରେ ସାମିଲ ହେବାକୁ ମୋଦିଙ୍କ ଚୀନ୍ ଗସ୍ତ ଚୁଡ଼ାନ୍ତ ହୋଇସାରିଛି । ଆମେରିକା ପରେ ଚୀନ୍ ହିଁ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଆମେରିକାକୁ ଶକ୍ତ ଝଟକା ହେବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଆମେରିକା ପୂର୍ବରୁ ଚୀନ୍ ଉପରେ ୧୪୫% ଶୁଳ୍କ ଲାଗୁ କରି ପରେ ପରେ ଏହାକୁ ୩୦% କୁ ହ୍ରାସ କରିଥିଲା । ଉଭୟ ରାଷ୍ଟ୍ର ବ୍ରିକ୍ସ ସମୂହରେ ସାମିଲ ଥିବାରୁ ଏସୀୟ ଅର୍ଥନୀତିକୁ ବଡ଼ ଲାଭ ମିଳିବ ବୋଲି ଆଶା କରାଯାଉଛି। ରୁଷିଆ ତୈଳ କେବଳ ବାହାନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶ୍ରେୟ ସହ ଭାରତରେ ଆମେରିକୀୟ ଡାଏରୀ ଉତ୍ସାଦ ବିକ୍ରିକୁ ଅନୁମତି ମିଳୁନଥିବାରୁ ଟ୍ରମ୍ପ ଟାରିଫ ଯୁଦ୍ଧକୁ ଓହ୍ଲାଇଥିବା ଚର୍ଚ୍ଚା ହେଉଛି । ଭାରତ ଉପରେ ଆମେରିକାର ୫୦% ଶୁଳ୍କ ଲାଗୁ କଲେ ବି ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ମୋଦି । ଦେଶର ଚାଷୀ, ଗୋପାଳକ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କେବେ ବି ସାଲିସ୍ କରାଯିବ ନାହିଁ କହି ଟ୍ରମ୍ପଙ୍କୁ ବଡ଼ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।