ବାଥ୍ ସହରରେ ଧୁମ୍ଧାମ୍ରେ ରଥଯାତ୍ରା, ବିଭିନ୍ନ ଦେଶର ଲୋକେ ଟାଣିଲେ ରଥ

Key Points
ଦୀର୍ଘ ୧୯ ବର୍ଷ ଧରି ସହରରେ ଏହି ପରମ୍ପରା ଉଜ୍ଜୀବିତ ରହିଛି ।
ତିନି ଠାକୁରଙ୍କୁ ସୁସଜ୍ଜିତ ଟାହିଆ ଲଗାଯାଇ ରଥକୁ ପହଣ୍ଡି କରାଯାଇଥିଲା ।
ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିରରେ ଧୁମଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ବହୁସଂଖ୍ୟାରେ ବିଦେଶୀଙ୍କ ସମାଗମ ହୋଇଥିଲା । ଦୀର୍ଘ ୧୯ ବର୍ଷ ଧରି ସହରରେ ଏହି ପରମ୍ପରା ଉଜ୍ଜୀବିତ ରହିଛି । ଏହି ରଥଯାତ୍ରାରେ ପ୍ରବାସୀ ଇଂଲଣ୍ଡ, କାନାଡ଼ା, ଆମେରିକା, ମରିସସରୁ ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ । ଚତୁର୍ଦ୍ଧା ବିଗ୍ରହଙ୍କ ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ବିଜେ କରାଯାଇଥିଲା । ତିନି ଠାକୁରଙ୍କୁ ସୁସଜ୍ଜିତ ଟାହିଆ ଲଗାଯାଇ ରଥକୁ ପହଣ୍ଡି କରାଯାଇଥିଲା ।
ଜଗନ୍ନାଥ ମନ୍ଦିରର ପ୍ରମୁଖ ଟ୍ରଷ୍ଟି ଆଶିଷ ରାଜହଂସ ରଥ ଏବଂ ଅନିତା ଦାଶ ରଥରେ ଛେରାପହଁରା କରିଥିଲେ । ହଜାର ହଜାର ଭକ୍ତ ଭାବ ବିହ୍ୱଳିତ ହୋଇ ନାଚି ଉଠିଥିଲେ । ଘଣ୍ଟ, ବାଜା କିର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ସ୍ଥାନୀୟ ପରିବେଶ । ଏହି ଅବସରରେ ଶହେ ପ୍ରକାରର ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସାଦ ପ୍ରସ୍ତୁତି ସହ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ବାଥ୍ ସିଟିର ମେୟର ମାଇକେଲ ଓ ଡୋହାଟି ଏବଂ ଲଣ୍ଡନ କାଉନସିଲର ସଦସ୍ୟମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ ।