Videos
|
International

China Gold Buying / ଚୀନର ସୁନା ପ୍ରେମ... ୨୨ ମାସ ଧରି କିଣା ଚାଲିଛି ସୁନା

Rashmita Mishra
Browse all articles by Rashmita Mishra
·1 hour ago·3 min read
ଚୀନର ସୁନା ପ୍ରେମ... ୨୨ ମାସ ଧରି କିଣା ଚାଲିଛି ସୁନା
China Gold Buying

Key Points

କାହିଁକି ସୁନା କିଣୁଛି ଚୀନ ?
ଚୀନର ସୁନା ପ୍ରେମ... ୨୨ ମାସ ଧରି କିଣୁଛି

ସୁନା ପ୍ରତି ଚୀନର ଆଗ୍ରହ କମିବାର ନାଁ ନେଉନାହିଁ । ନିଜର ଗୋଲ୍ଡ ରିଜର୍ଭକୁ ଲଗାତାର ବଢ଼ାଇ ଚାଲିଛି ଚୀନ । ଭାରତ ଓ ଚୀନ ଭଳି ବଡ଼ ଅର୍ଥନୀତିଗୁଡ଼ିକ ଗତ କିଛି ବର୍ଷ ଧରି ସୁନା କିଣୁଥିବା ବେଳେ ଭାରତର କିଣା ପରିମାଣରେ କିଛି ହ୍ରାସ ଦେଖାଯାଇଛି । କିନ୍ତୁ ଚୀନ ନିଜର ସୁନା ଭଣ୍ଡାର ବଢ଼ାଇବା ଜାରି ରଖିଛି ।
ଅଗଷ୍ଟରେ କିଣିଲା ୨୦.୨ ଟନ୍ ସୁନା

ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା (PBOC) ଅଗଷ୍ଟ ୨୦୨୬ରେ ନିଜ ଗୋଲ୍ଡ ରିଜର୍ଭରେ ପ୍ରାୟ ୬,୫୦,୦୦୦ ଆଉନ୍ସ ବା ପ୍ରାୟ ୨୦.୨ ଟନ୍ ସୁନା ଯୋଡ଼ିଛି । ଅକ୍ଟୋବର ୨୦୨୩ ପରେ ଗୋଟିଏ ମାସରେ ଚୀନର ଏହା ସବୁଠାରୁ ବଡ଼ ସୁନା କିଣା ବୋଲି କୁହାଯାଉଛି ।

ସବୁଠାରୁ ଖାସ କଥା ହେଉଛି, ଅଗଷ୍ଟ ମାସରେ ବିଶ୍ୱ ବଜାରରେ ସୁନା ଦର ପ୍ରାୟ ୧୦ ପ୍ରତିଶତ ବଢ଼ିଥିଲା । ସାଧାରଣତଃ ସୁନା ଦର ଦ୍ରୁତ ବଢ଼ିଲେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କିଣାକୁ ଧୀମା କରିଥାନ୍ତି । କିନ୍ତୁ ଚୀନ ଦର ବୃଦ୍ଧିକୁ ଖାତିର ନକରି ନିଜର ସୁନା କିଣା ଜାରି ରଖିଛି ।

ଲଗାତାର ୨୨ ମାସ ଧରି କିଣୁଛି ଚୀନ
PBOCର ତଥ୍ୟ ଅନୁସାରେ, ଅଗଷ୍ଟରେ ଆଉ ୨୦.୨ ଟନ୍ ସୁନା କିଣିବା ପରେ ଚୀନର ମୋଟ ଅଧିକାରିକ ଗୋଲ୍ଡ ରିଜର୍ଭ ରେକର୍ଡ ୨,୩୮୬.୬ ଟନ୍‌ରେ ପହଞ୍ଚିଛି । ଅର୍ଥାତ୍ ପ୍ରାୟ ୭୬.୭୩ ମିଲିୟନ୍ ଆଉନ୍ସ ସୁନା ଚୀନ ପାଖରେ ରହିଛି ।

ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ୨୨ ମାସ ଧରି ସୁନା କିଣୁଛି । ଡଲାର ମୂଲ୍ୟରେ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଚୀନ ପାଖରେ ଥିବା ସୁନାର ମୂଲ୍ୟ ପ୍ରାୟ ୩୫୦.୦୮ ବିଲିୟନ୍ ଡଲାର ଥିଲା । ଜୁଲାଇରେ ଏହା ପ୍ରାୟ ୩୦୬.୩୫ ବିଲିୟନ୍ ଡଲାର ଥିଲା ।

କାହିଁକି ଏତେ ସୁନା କିଣୁଛି ଚୀନ ?
ଆର୍ଥିକ ବିଶ୍ଳେଷକମାନଙ୍କ ମତରେ, ଚୀନ କୌଣସି ତୁରନ୍ତ ଲାଭ ପାଇଁ ଏଭଳି ସୁନା କିଣୁନାହିଁ । ଏହା ଏକ ଦୀର୍ଘମିଆଦୀ ରଣନୀତିର ଅଂଶ । ନିଜର ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାର ଉପରେ ନିର୍ଭରଶୀଳତା କମାଇ ସୁନାର ଅଂଶ ବଢ଼ାଇବା ଚୀନର ଲକ୍ଷ୍ୟ ବୋଲି ବିଶ୍ଳେଷଣ କରାଯାଉଛି ।

ଅଗଷ୍ଟ ୨୦୨୬ରେ ଆମେରିକାର ଅର୍ଥ ବିଭାଗ ଦୀର୍ଘମିଆଦୀ ସରକାରୀ ବଣ୍ଡ୍‌ର ବାୟବ୍ୟାକ୍ ବଢ଼ାଇବା ନେଇ ଅପ୍ରତ୍ୟାଶିତ ପଦକ୍ଷେପ ନେଇଥିଲା । ଏହା ପରେ ଡଲାରର ମୂଲ୍ୟ ଏବଂ ବିଶ୍ୱସ୍ତରରେ ମୁଦ୍ରାର ମୂଲ୍ୟହ୍ରାସକୁ ନେଇ ଚିନ୍ତା ବଢ଼ିଥିଲା । ଏଭଳି ପରିସ୍ଥିତିରେ ଚୀନ ସୁନାକୁ ଏକ ବିକଳ୍ପ ଏବଂ ଅଧିକ ସୁରକ୍ଷିତ ସମ୍ପତ୍ତି ଭାବେ ଦେଖୁଥିବା କୁହାଯାଉଛି ।

ରୁଷିଆଠାରୁ ଶିକ୍ଷା ନେଇଛି ଚୀନ ?
ୟୁକ୍ରେନ୍ ଯୁଦ୍ଧ ପରେ ରୁଷିଆ ଉପରେ ପଶ୍ଚିମ ଦେଶଗୁଡ଼ିକ ଲଗାଇଥିବା ଆର୍ଥିକ କଟକଣା ଚୀନ ପାଇଁ ଏକ ବଡ଼ ଶିକ୍ଷା ବୋଲି ଦେଖାଯାଉଛି । ଡଲାର ଓ ୟୁରୋ ଭଳି ବିଦେଶୀ ମୁଦ୍ରା ଭଣ୍ଡାରକୁ ଆବଶ୍ୟକ ପଡ଼ିଲେ ଫ୍ରିଜ୍ କରାଯାଇପାରେ ବୋଲି ଚୀନ ବୁଝିଛି ।

ସରଳ ଭାଷାରେ କହିଲେ, ଡଲାର କିମ୍ବା ଡିଜିଟାଲ୍ ବଣ୍ଡ୍‌ ଆକାରରେ ବିଦେଶୀ ମୁଦ୍ରା ଭଣ୍ଡାର ରଖିଲେ ଏହା ଆନ୍ତର୍ଜାତିକ ବ୍ୟାଙ୍କିଂ ବ୍ୟବସ୍ଥା ମାଧ୍ୟମରେ ଚାଲିଥାଏ । ଭବିଷ୍ୟତରେ ଯଦି ଚୀନ ଓ ଆମେରିକା ମଧ୍ୟରେ ବଡ଼ ରାଜନୈତିକ କିମ୍ବା ସାମରିକ ଉତ୍ତେଜନା ସୃଷ୍ଟି ହୁଏ, ତେବେ ଚୀନର ବିଦେଶୀ ସମ୍ପତ୍ତି ଉପରେ କଟକଣା ଲଗାଯିବାର ଆଶଙ୍କା ରହିପାରେ ।

କିନ୍ତୁ ଭୌତିକ ସୁନା କ୍ଷେତ୍ରରେ ଚିତ୍ରଟି ଭିନ୍ନ । ଏହାକୁ ଡିଜିଟାଲ୍ ଭାବେ ବ୍ଲକ୍ କରିବା କିମ୍ବା ସିଷ୍ଟମ୍‌ରୁ ଫ୍ରିଜ୍ କରିବା ସହଜ ନୁହେଁ। ତେଣୁ ଆର୍ଥିକ କିମ୍ବା ଭୂ-ରାଜନୈତିକ ସଙ୍କଟ ସମୟରେ ସୁନାକୁ ଚୀନ ଏକ ରଣନୀତିକ ସୁରକ୍ଷା କବଚ ଭାବେ ବ୍ୟବହାର କରିପାରେ ।

ଏହି କାରଣରୁ ସୁନା ଦର ଉଚ୍ଚ ସ୍ତରରେ ଥିଲେ ମଧ୍ୟ ଚୀନର କେନ୍ଦ୍ରୀୟ ବ୍ୟାଙ୍କର ସୁନା କିଣା ଜାରି ରହିଛି । ଆଗକୁ ଚୀନ ଏହାର ଗୋଲ୍ଡ ରିଜର୍ଭକୁ କେତେ ଦୂର ବଢ଼ାଏ, ତାହା ଉପରେ ବିଶ୍ୱ ଅର୍ଥନୀତିର ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: