ନାମିବ୍ୟାରେ ଭୟଙ୍କର ମରୁଡି, ବଣ୍ଟା ହେଉଛି ହାତୀ ମାଂସ

ଅର୍ଗସ ବ୍ୟୁରୋ: Namibiaରେ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି । ଗତ ୧୦୦ ବର୍ଷରେ ଏମିତି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । Namibiaର ଅଧା ଜନସଂଖ୍ୟା ଅର୍ଥାତ ପ୍ରାୟ ୧୪ ଲକ୍ଷ ଲୋକ ଖାଦ୍ୟ ଏବଂ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଦେଶ ଶସ୍ୟ ଗୋଦାମଗୁଡ଼ିକ ମଧ୍ୟ ଖାଲି ହୋଇଯାଇଛି । ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। କଣ ଖାଇବେ, କେମିତି ରହିବେ ତାହା ଏବେ ବଡ ଚିନ୍ତା। । ଏଭଳି ପରିସ୍ଥିତିରେ ଅସହାରୟ ସରକାର ଲୋକଙ୍କୁ ଭୋଜନ ଯୋଗାଇବା ପାଇଁ ବନ୍ୟ ଜୀବଙ୍କୁ ନେଇ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଦକ୍ଷିଣ ଆଫ୍ରିକୀୟ ଦେଶର ଏଭଳି ଦୃଶ୍ୟ ଦେଖି ସବୁଠି ବର୍ତ୍ତମାନ ଚିନ୍ତାର ପରିବେଶ। କୁହାଯାଏ ପ୍ରକୃତି ବିନା ଜୀବନର କଳ୍ପନା କରିବା ଅସମ୍ଭବ । ପ୍ରକୃତି ବିନା ପୃଥିବୀରେ ଜୀବଜଗତ ଅସ୍ତତ୍ୱ ରହିବ ନାହିଁ । ବଡ଼ ବଡ଼ କୋଠା, କଂକ୍ରିଟ ରାସ୍ତା ଯୋଗୁ ଜଙ୍ଗଲର ଅସ୍ତିତ୍ୱ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ତେଣୁ ଆଜିକାଲି ପ୍ରକୃତି ସଂରକ୍ଷଣ ଏକ ଆହ୍ୱାନ ପାଲଟିଯାଇଛି ।
Namibiaର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ବନ୍ୟଜୀବଙ୍କ ଶିକାର କରି ତାଙ୍କ ମାଂସ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୭ ବନ୍ୟଜନ୍ତୁଙ୍କ ଶିକାର କରାଯାଇଛି । ଏହି ଜୀବଜନ୍ତୁଙ୍କ ମଧ୍ୟରେ ହାତୀ, ମଇଁଷି, ଜେବ୍ରା, ଜଳହସ୍ତି, ଇମ୍ପାଲା, ବ୍ଲୁ ୱାଇଲ୍ଡବିଷ୍ଟ ଇତ୍ୟାଦି ବନ୍ୟପ୍ରାଣୀ ସାମିଲ ଅଛନ୍ତି । ଏହି ନିଷ୍ପତ୍ତିକୁ ପଶୁଙ୍କ ପ୍ରତି କ୍ରୁରତା ଭାବେ ଦର୍ଶାଯାଇଛି । ଦେଶବାସୀଙ୍କ ଗମ୍ଭୀର ଖାଦ୍ୟ ସଂକଟରୁ ରକ୍ଷା କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷେ ବନ୍ୟଜନ୍ତୁଙ୍କ ସଂଖ୍ୟା କମ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି କାରଣ ଜଳ ସଂକଟ ଯୋଗୁଁ ସେମାନେ ଜନବସତି ମୁହାଁ ହେବାର ସମ୍ଭାବନା ରହିଛି ।
ମିଳିତ ଜାତିସଂଘ କହିବାନୁଯାୟୀ ଭୟଙ୍କର ମରୁଡ଼ି ଯୋଗୁ Namibiaରେ ଶସ୍ୟ ଉତ୍ପାଦନ ୫୩% ହ୍ରାସ ପାଇବା ସହ ଡ୍ୟାମର ଜଳସ୍ତର ୭୦% ହ୍ରାସ ପାଇଛି । Namibiaରେ ଏଭଳି ସ୍ଥିତିର କାରଣ ହେଉଛି El Niño । ଏହା ଏକ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ ଯେତେବେଳେ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠର ତାପମାତ୍ରା ହାରାହାରି ଠାରୁ ଅଧିକ ଗରମ ହୋଇଯାଏ । ପରବର୍ତ୍ତୀ ସମୟରେ ଏହା ସମସ୍ୟାର କାରଣ ପାଲଟିପାରେ । ଯାହା ଦ୍ୱାରା ଶସ୍ୟ ଉତ୍ପାଦନ ହେଉନାହିଁ। ତେଣୁ ସରକାର ବର୍ତ୍ତମାନ ବନ୍ୟଜନ୍ତୁଙ୍କୁ ମାରି ଖାଇବାକୁ ଦେଉଛନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ, ତେବେ ଭବିଷ୍ୟତରେ ନାମିବ୍ୟାରେ ବନ୍ୟଯନ୍ତୁ ଶୀଘ୍ର ଲୋପ ପାଇଯିବାର ସମ୍ଭାବନା ଅଧିକ। ତେଣୁ ଏନେଇ ନାମିବ୍ୟା ସରକାର ତତ୍ପରତା ଦେଖାଇବା ସହ ଅନ୍ୟ କିଛି ଉପାୟ ଅବଲମ୍ୱନ କରିବା ଆବଶ୍ୟକ।
📱 Get Argus News App
✨
ଅଧିକ ପଢ଼ନ୍ତୁ ବିଦେଶ ଖବର: