Japan Earthquake / ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର-ଜାପାନରେ, ୨୨ ଜଣ ଆହତ

Key Points
ଜାପାନରେ ୫.୭ ତୀବ୍ରତାର ଭୂମିକମ୍ପ, ୨୨ ଆହତ; ଆଗାମୀ ସପ୍ତାହ ପାଇଁ ସତର୍କତା ଜାରି
ଗୋଟିଏ ପଟେ କାଶ୍ମୀରରେ ଭୂମିକମ୍ପ, ଅନ୍ୟପଟେ ଜାପାନରେ ଶକ୍ତିଶାଳୀ ଝଟକା
ଜାପାନରେ ବଡ଼ ଭୂମିକମ୍ପ ଆଶଙ୍କା! ନାଙ୍କାଇ ଟ୍ରଫ୍ ଉପରେ ଅଧିକାରୀଙ୍କ କଡ଼ା ନଜର
ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ସକାଳେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୩ ରେକର୍ଡ କରାଯାଇଛି । ଭାରତୀୟ ସମୟ ଅନୁସାରେ ସକାଳ ୫ଟା ୨୩ ମିନିଟ୍ ୧୯ ସେକେଣ୍ଡରେ ଏହି ଭୂମିକମ୍ପ ହୋଇଥିଲା ।
ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲା ଅଞ୍ଚଳରେ ଥିବାବେଳେ ଅକ୍ଷାଂଶ ୩୪.୨୬୧ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୭୪.୧୫୫ ଡିଗ୍ରୀ ପୂର୍ବରେ ରହିଥିଲା । ଭୂପୃଷ୍ଠଠାରୁ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ନିଜର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛି ।
ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ଖବର ମିଳିନାହିଁ । ତେବେ ଝଟକା ଅନୁଭବ କରି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । କାଶ୍ମୀର ଉପତ୍ୟକା ଭୂମିକମ୍ପପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ମଝିରେ ମଝିରେ ଏଭଳି ହାଲୁକା ଝଟକା ଅନୁଭୂତ ହୋଇଥାଏ ।
ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି ।
ଅନ୍ୟପକ୍ଷରେ, ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ପଥର ଖସିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଜାପାନରେ ୫.୭ ତୀବ୍ରତାର ଭୂମିକମ୍ପ, ୨୨ ଜଣ ଆହତ
ଏପଟେ ଜାପାନରେ ମଧ୍ୟ ଶନିବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ ଅତି କମରେ ୨୨ ଜଣ ଆହତ ହୋଇଛନ୍ତି । ଅନେକ ଦୋକାନର କାଚ ଝରକା ଭାଙ୍ଗିଯାଇଥିବା ବେଳେ ଜୋରଦାର ଝଟକା ଯୋଗୁଁ ଲୋକେ ଘର ଓ କୋଠାବାଡ଼ି ଛାଡ଼ି ବାହାରକୁ ଚାଲି ଆସିଥିଲେ ।
ଜାପାନ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଶିଜୁଓକା ପ୍ରିଫେକ୍ଚରରେ ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରରେ ରହିଥିଲା । ସବୁଠାରୁ ତୀବ୍ର ଝଟକା ଆଇଚି ପ୍ରିଫେକ୍ଚରରେ ଅନୁଭୂତ ହୋଇଥିଲା । ଚଳିତ ମାସରେ ଜାପାନରେ ଏହା ତୃତୀୟ ବଡ଼ ଭୂମିକମ୍ପ । ଏହା ପୂର୍ବରୁ ନଭେମ୍ବର ୧ରେ ୬.୦ ତୀବ୍ରତା ଏବଂ ନଭେମ୍ବର ୭ରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା ।
ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଭୂମିକମ୍ପ ପ୍ରତି ସତର୍କ ରହିବାକୁ ଜାପାନ ପାଣିପାଗ ସଂସ୍ଥା ଲୋକଙ୍କୁ ଅନୁରୋଧ କରିଛି । ବିଶେଷକରି ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଆହୁରି ଶକ୍ତିଶାଳୀ ଝଟକା ଆସିବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ନାଙ୍କାଇ ଟ୍ରଫ୍ ଅଞ୍ଚଳ ଉପରେ ନଜର
ଜାପାନରେ ଭୂମିକମ୍ପ ପରେ ବଡ଼ ଭୂମିକମ୍ପର ଆଶଙ୍କା ଥିବା ନାଙ୍କାଇ ଟ୍ରଫ୍ ଅଞ୍ଚଳ ଉପରେ ମଧ୍ୟ ଅଧିକାରୀମାନେ ନଜର ରଖିଛନ୍ତି । ତେବେ ଏହି ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଚିହ୍ନଟ ହୋଇନଥିବା ସୂଚନା ମିଳିଛି । ଜାପାନ ବିଶ୍ୱର ଅନ୍ୟତମ ଭୂମିକମ୍ପପ୍ରବଣ ଦେଶ ହୋଇଥିବାରୁ ଲଗାତାର ଭୂମିକମ୍ପ ଏବଂ ସତର୍କ ସୂଚନା ଦେଶବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।
📱 Get Argus News App
✨Related Topics
Explore more stories