ସଙ୍ଗୀନ ହେଉଛି ଯୁଦ୍ଧ ସ୍ଥିତି, G7 ବୈଠକ ଅଧାରୁ ଛାଡ଼ି ପଳାଇଲେ ଟ୍ରମ୍ପ

Key Points
ଇସ୍ରାଏଲ ଆଟାକରେ ଇରାନର ଚିଫ୍ ଅଫ ଆର୍ମି ଷ୍ଟାଫ୍ ଅଲ୍ଲି ସାଦମାନୀଙ୍କ ମୃତ୍ୟୁ ହୋଇଛି ।
ଅଲ୍ଲି ସାଦମାନୀଙ୍କୁ ନିକଟରେ ନୂଆ ଚିଫ୍ ଅଫ ଆର୍ମି ଷ୍ଟାଫ୍ ଭାବେ ନିଯୁକ୍ତି ଦିଆଯାଇଥିଲା ।
ଗତ ୫ ଦିନରେ ଇରାନର ଦ୍ୱିତୀୟ ଚିଫ୍ ଅଫ ଆର୍ମି ଷ୍ଟାଫଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି ଇସ୍ରାଏଲ ସେନା ।
ଦିନକୁ ଦିନ ସଙ୍ଗୀନ ହେଉଛି ସ୍ଥିତି । ବର୍ଷୁଛି ମିସାଇଲ, ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଆକ୍ରମଣ ପ୍ରତିଆକ୍ରମଣ ମଧ୍ୟ ଜୋରଦାର ହୋଇଛି । ଏପଟେ ଆକସ୍ମିକ ଭାବେ କାନାଡାରେ ଆୟୋଜିତ G7 ସମ୍ମିଳନୀ ଅଧାରୁ ଛାଡ଼ି ଟ୍ରମ୍ପ ଫେରିଯିବାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଇରାନକୁ କେବେହେଲେ ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦେବା ସହ ଇରାନ ସୁପ୍ରିମ ଲିଡର ଖାମନେଇଙ୍କୁ ଦେଇଛନ୍ତି ଧମକ । ଇସ୍ରାଏଲକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ଖାମନେଇଙ୍କ ଆକ୍ରମଣ ଧମକ ପରେ ଟ୍ରମ୍ପ ମଧ୍ୟ ଦେଇଛନ୍ତି କଡ଼ା ଜବାବ ।
ଇସ୍ରାଏଲ ଆଟାକରେ ଇରାନର ଚିଫ୍ ଅଫ ଆର୍ମି ଷ୍ଟାଫ୍ ଅଲ୍ଲି ସାଦମାନୀଙ୍କ ମୃତ୍ୟୁ ହୋଇଛି । ଅଲ୍ଲି ସାଦମାନୀଙ୍କୁ ନିକଟରେ ନୂଆ ଚିଫ୍ ଅଫ ଆର୍ମି ଷ୍ଟାଫ୍ ଭାବେ ନିଯୁକ୍ତି ଦିଆଯାଇଥିଲା । ଗତ ୫ ଦିନରେ ଇରାନର ଦ୍ବିତୀୟ ଚିଫ୍ ଅଫ ଆର୍ମି ଷ୍ଟାଫଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି ଇସ୍ରାଏଲ ସେନା । ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକରେ ଇରାନରେ ଏଯାବତ୍ ୨୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ସେପଟେ ଇସ୍ରାଏଲ୍ ଆଟାକର ଦୃଢ ଜବାବ ଦେଉଛି ଇରାନ । ଇରାନ ମିସାଇଲ ମାଡ଼ରେ ଏଯାଏ ଇସ୍ରାଏଲର ୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୯୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୁଦ୍ଧର ପଞ୍ଚମ ଦିନରେ ଇରାନ ଇସ୍ରାଏଲ ଇଣ୍ଟେଲିଜେନ୍ସ ଏଜେନ୍ସି ମୋସାଦ ମୁଖ୍ୟାଳୟ ଉପରେ ମିସାଇଲ ଆକ୍ରମଣ କରିଥିବା ଦାବି କରିଛି ଇରାନ । କିନ୍ତୁ ଏଯାଏ ମୋସାଦ ମୁଖ୍ୟାଳୟରେ ଆକ୍ରମଣକୁ ନେଇ ଇସ୍ରାଏଲ ପକ୍ଷରୁ କୌଣିସି ବିବୃତି ଜାରି ହୋଇନାହିଁ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ତୁରନ୍ତ ଯୁଦ୍ଧବିରତି ପାଇଁ ଚାପ ପକାଇବାକୁ ଇରାନ, ଓମାନ, କତାର ଏବଂ ସାଉଦି ଆରବକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଜି କରାଇଥିବା କୁହାଯାଉଛି । କିନ୍ତୁ ଏକ୍ସ ପୋଷ୍ଟରେ ଟ୍ରମ୍ପ ଇରାନକୁ ଦେଇଛନ୍ତି ଅଲଟିମେଟମ । ଇରାନ ରଖିପାରିବ ନାହିଁ ପରମାଣୁ ଅସ୍ତ୍ର । ତୁରନ୍ତ ତେହେରାନକୁ ଖାଲି କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।