ଓଡ଼ିଶାରେ ବି ଗ୍ରୀଷ୍ମ ଆରମ୍ଭରୁ ଜଳିଲାଣି ଜଙ୍ଗଲ

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଦକ୍ଷିଣ କୋରିଆର ବନାଗ୍ନି ଏବେ ଚିନ୍ତାରେ ପକାଇଛି ସମସ୍ତଙ୍କୁ। ଜଳୁଛି ଜଙ୍ଗଲ, ମରୁଛନ୍ତି ଲୋକେ। ଏଯାବତ ୨୪ ରୁ ଅଧିକ ଜୀବନ ବନ ନିଆଁରେ ଚାଲି ଗଲାଣି। ୩୦୦ ରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଗଲାଣି।
ଶତଚେଷ୍ଟା ପରେ ଲିଭୁନି ନିଆଁ। ନିଆଁ ନିୟନ୍ତ୍ରଣ ହେଉ ନଥିବାରୁ ୨୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି। ପ୍ରାୟ ୪୩ ହଜାର ୩୩୦ ଏକର ଜମିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାକୁ ଯାଇଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗତ ଶୁକ୍ରବାର ଠାରୁ ଏଠି ଜଳୁଛି ଜଙ୍ଗଲ। ବନାଗ୍ନିକୁ ନେଇ କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡ୍ୟୁକ୍-ସୁ ସବୁଠୁ ଭୟଙ୍କର ବୋଲି ଏକ ଟେଲିଭିଜନ୍ ସମ୍ବୋଧନରେ କହିଛନ୍ତି। ଏହା ଦେଶ ଇତିହାସର ସବୁଠୁ ଭୟଙ୍କର ଜଙ୍ଗଲ ନିଆଁ ।
📱 Get Argus News App
✨ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳିଲାଣି ଜଙ୍ଗଲ। ମୟୂରଭଞ୍ଜ, ସୁନ୍ଦରଗଡ଼଼, ରାୟଗଡ଼଼ା, ବୌଦ୍ଧର ଜାମୁଖୋଲ, ବାଲେଶ୍ବର ଜିଲା ନୀଳଗିରିର ବନାଞ୍ଚଳରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ନିଆଁ ଲଗାଇବା ଏକ ଅପରାଧ ହୋଇଥିବା ବେଳେ ମଧ୍ୟ କିଛି ଅସାଧୁ ବ୍ୟକ୍ତି ନିଜ ସ୍ବାର୍ଥ ସାଧନ କରିବାକୁ ଜଙ୍ଗଲରେ ନିଆଁ ଲଗାଇବାକୁ ପଛାଉ ନାହାନ୍ତି।
ସାଧାରଣତ ଜଙ୍ଗଲରେ ଆଦିବାସୀମାନେ ରହିଥାନ୍ତି। ଜୀବନଜୀବିକା ପାଇଁ ବିଭିନ୍ନ ସମୟରେ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ଜଙ୍ଗଲ ପୋଡ଼ି ରୋକିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ ରହିଛି। ଯେଉଁଥିରେ ବନାଗ୍ନିକୁ ରୋକିବାକୁ ବିଭିନ୍ନ କଟକଣା ଜାରି କରାଯାଇଛି। ସଂରକ୍ଷିତ ଓ ଖୋଲା ଜଙ୍ଗଲରେ ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ ରେ ଜଙ୍ଗଲରେ ନିଆଁ ଲଗାଇଲେ ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି।
ଏତେ ସବୁ ପରେ ମଧ୍ୟ ପ୍ରତିବର୍ଷ ଜଙ୍ଗଲ ଜଳୁଥିବାର ଖବର ସାମ୍ନାକୁ ଆସୁଛି। ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରାଜ୍ୟରେ ୧୪,୯୨୨ ବନାଗ୍ନି ହୋଇପାରେ ବୋଲି ପୂର୍ବ ସତର୍କ ସୂଚନା ରହିଛି।
ତଥ୍ୟନୁସାରେ, ୨୦୨୩ ମାର୍ଚ୍ଚରେ କେବଳ ଓଡ଼ିଶା ଭିତରେ ୧୫,୧୫୫ ସ୍ଥାନରେ ନିଆଁ ଲାଗିଥିଲା। ସେଥିମଧ୍ୟରୁ ୬୪୨ଟି ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିଲା। ୨୦୨୧ ମସିହାରେ ବଲାଙ୍ଗିର ଜିଲ୍ଲାରେ ଅଧିକ ଜଙ୍ଗଲ ନଷ୍ଟ ହୋଇଥିଲା । ୨୦୧୯ ରୁ୨୦୨୩ ମଧ୍ୟରେ ବଲାଙ୍ଗୀର ଜିଲାରେ ପ୍ରାୟ ୩୫୦୦ ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଥିଲା।
ଏବେ ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ ଏକ ନୂଆ ଆପ୍ଲିକେସନ ବ୍ୟବହାର କରାଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବନ କର୍ମଚାରୀ ଓଏଫଏମଏସ ଫରେଷ୍ଟ ଫାୟାର ଆପ୍ଲିକେସନ ବ୍ୟବହାର କରୁଛନ୍ତି। ପାଇଲଟ ପ୍ରକଳ୍ପ ଭାବେ ଶମିଳିପାଳରେ ୫ଟି, ରାଉରକେଲରେ ୪ଟି ଏଆଇ କ୍ୟାମେରା ଲଗାଯାଇଛି।
ଖାଲି ଭାରତ ନୁହେଁ ବିଶ୍ବର ଆଉ କିଛି ଦେଶରେ ମଧ୍ୟ ବନାଗ୍ନି ରାଷ୍ଟ୍ରପାଇଁ ଚିନ୍ତା ପାଲଟେ। ଗଛ ଧ୍ୱଂସ ପାଉଥିବା ଯୋଗୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶ୍ଲେଷଣରେ ବ୍ୟାଘାତ ଘଟେ। ଋତୁ ଚକ୍ରରେ ଅନୀୟମିତତା ଦେଖାଦିଏ।