ମିଆଁମାର ପ୍ରଳୟଙ୍କାରୀ ଭୂକମ୍ପକୁ ବିତିଲା ଚାରି ଦିନ: ମୃତକଙ୍କ ସଂଖ୍ୟା ୨ହଜାର ଟପିଲା

ମିଆଁମାରରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସୋମବାର ଜୁଣ୍ଟା ସରକାର ନୂତନ ସଂଖ୍ୟା ପ୍ରକାଶ କରିଛନ୍ତି। ଏହି ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏଥିରେ ୩୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସରକାରଙ୍କ ପକ୍ଷରୁ ଆଜି ପ୍ରକାଶ କରାଯାଇଛି । ଏହି ସମୟରେ, ମିଆଁମାର ଦେଶରେ ହୋଇଥିବା ଭୟଙ୍କର ଭୂକମ୍ପ ପାଇଁ ଏକ ସପ୍ତାହ ଜାତୀୟ ଶୋକ ଘୋଷଣା କରିଛନ୍ତି ସରକାର, ମୃତ୍ୟୁ ସଂଖ୍ୟା ୨୦୫୬ରେ ପହଞ୍ଚିଛି ଏବଂ ଧ୍ୱଂସପ୍ରାପ୍ତ କୋଠାର ଭଗ୍ନାବଶେଷରେ ଅଧିକ ବଞ୍ଚିଥିବା ଲୋକଙ୍କୁ ପାଇବାର ଆଶା ମଳିନ ହୋଇପଡ଼ିଛି।
ଶୁକ୍ରବାର ହୋଇଥିବା ୭.୭ ତୀବ୍ରତାର ଭୂକମ୍ପରେ ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କରି ଶାସକ ଦଳ ଏକ ବିବୃତ୍ତିରେ କହିଛି ଯେ,ଏପ୍ରିଲ ୬ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଭାରତୀୟ ସେନାର ମାନବିକ ସହାୟତା ଏବଂ ବିପର୍ଯ୍ୟୟ ସହାୟତା ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତ ଉଦ୍ଧାର କାର୍ଯ୍ୟ ପାଇଁ ପଡ଼ୋଶୀ ଦେଶକୁ ରିଲିଫ ସାମଗ୍ରୀ ଏବଂ ବିଶେଷଜ୍ଞ ଦଳ ବହନ କରୁଥିବା ପାଞ୍ଚଟି ବିମାନ ଏବଂ ଦୁଇଟି ଜାହାଜ ପଠାଇଛି।ସେଠାକୁ ପହଞ୍ଚିବା ପାଇଁ ମୁଖ୍ୟତଃ ବିମାନ ମାର୍ଗ ବ୍ୟବହାର କରାଯାଉଥିବା ବେଳେ ବହୁ ଶୀଘ୍ର ସଡ଼କ ମାର୍ଗ ବ୍ୟବହାର କରିବାକୁ ମଧ୍ୟ ବିଚାର କରାଯାଉଛି।
ମ୍ୟାନମାରର ୭.୭ ତୀବ୍ରତାର ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ମାଟିତଳେ ପୋତିହୋଇ ରହିଯାଇଛନ୍ତି। ମାଣ୍ଡଲେ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବାବେଳେ ସେଠାରେ ବହୁସଂଖ୍ୟାରେ ବିଲ୍ଡିଂ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରାସ୍ତାଗୁଡ଼ିକ ଦବିଯିବା ସହ ଅନେକ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବାରୁ କ୍ଷତିଗ୍ରସ୍ତଙ୍କ ନିକଟରେ ରିଲିଫ ସହାୟତା ପହଞ୍ଚାଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।ଭୂକମ୍ପ ପରେ ପୁଣି ଥରେ ଭୂକମ୍ପର ପରବର୍ତୀ ଝଟକା ଲାଗିରହିଥିବାରୁ ଆତଙ୍କ ସୃଷ୍ଟି ହେଉଛି।