ଅସମ୍ଭାଳ ସ୍ଥିତି ! ଯୁଆଡ଼େ ଦେଖିବ ହାହାକାର...

Key Points
ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ, ହେପାଟାଇଟିସ୍ ଏ ଏବଂ ଅନ୍ୟାନ୍ୟ ଜଳଜନିତ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୃଦ୍ଧଙ୍କ ପାଇଁ ଅଧିକ ଘାତକ ହେଉଛି ।
ଗାଜାରେ ଅସମ୍ଭାଳ ସ୍ଥିତି । ପାଣି ପାଇଁ ହାହାକାର । ଯୁଦ୍ଧ ଯୋଗୁଁ ଲୋକଙ୍କୁ ମିଳୁନି ପିଇବା ପାଣି । ଯେଉଁ ପାଣି ମିଳୁଛି ତାହା ପିଇବାକୁ ଯୋଗ୍ୟ ନୁହେଁ । ପାଣି ଏତେ ବିଶାକ୍ତ ଯେ, ଯିଏ ପିଉଛି ସିଏ ମରୁଛି । ଗାଜାରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ନୂଆ ସଙ୍କଟ ଦେଖାଦେଇଛି । ଅଶୁଦ୍ଧ ପାଣି ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାଜାରେ ଶୁଦ୍ଧ ପାଣିର ଅଭାବ ଏବଂ ଅପରିଷ୍କାର ଜଳ ଉତ୍ସ ଯୋଗୁଁ ବିଭିନ୍ନ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୟସ୍କଙ୍କ ମୃତ୍ୟୁର କାରଣ ସାଜିଛି । ଅଞ୍ଚଳର ଅଧିକାଂଶ ଜଳ ଉତ୍ସ ଦୂଷିତ ହେବା ସହ ପାଣି ଶୁଦ୍ଧୀକରଣ ବ୍ୟବସ୍ଥା ମଧ୍ୟ ଧ୍ୱଂସ ହୋଇଛି । ଯୁଦ୍ଧ ଯୋଗୁଁ ଗାଜାରେ ପାଣି ଯୋଗାଣ ବନ୍ଦ ରହିଛି । ନଳକୂପ, କୂଅରୁ ପାଣି ପିଇବା ଯୋଗ୍ୟ ନାହିଁ । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ, ହେପାଟାଇଟିସ୍ ଏ ଏବଂ ଅନ୍ୟାନ୍ୟ ଜଳଜନିତ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୃଦ୍ଧଙ୍କ ପାଇଁ ଅଧିକ ଘାତକ ହେଉଛି ।
ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ଔଷଧ ଥିଲେ ମଧ୍ୟ ପାଣି ମିଳୁନି । ଜାତିସଂଘ ଏବଂ ଅନ୍ୟାନ୍ୟ ମାନବିକ ସଂସ୍ଥା ଗାଜାରେ ଜରୁରୀ ଭିତ୍ତିରେ ପରିଷ୍କାର ପାଣି ଓ ଚିକିତ୍ସା ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯୁଦ୍ଧ ଏହି ପ୍ରୟାସକୁ ବାଧା ଦେଉଛି । ଗାଜାର ଲୋକମାନେ ବିପଜ୍ଜନକ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି, ଯେଉଁଠାରେ ପାଣି ମଧ୍ୟ ଏକ ମାରାତ୍ମକ ଶତ୍ରୁ ହୋଇଉଠିଛି ।
ଅନ୍ୟପଟେ ଗାଜାର ଦୁଇଟି ସ୍ଥାନରେ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ୍ ଲୋକଙ୍କ ଉପରେ ଗୁଳି ଚଳାଇଛି ଇସ୍ରାଏଲ୍ ସେନା । ଯେଉଁଥିରେ ଜଣଙ୍କର ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଯେତେବେଳେ କି ଆଉ ଏକ ଶିଶୁର ଅପପୁଷ୍ଟି ଯୋଗୁ ମୃତ୍ୟୁ ଘଟିଛି।