Hindenburg Research: ଦିନେ ସେୟାର ମାର୍କେଟ୍ ହଲଚଲ କରୁଥିଲା, ଏବେ ପୂରା ସଂସ୍ଥା ସଟ୍ଡାଉନ !

ଅର୍ଗସ ବ୍ୟୁରୋ: ଦିନେ ସେୟାର ମାର୍କେଟ୍ ହଲଚଲ କରୁଥିଲା । ଗୋଟିଏ ରିପୋର୍ଟରେ ପୂରା ସେୟାର ମାର୍କେଟ ଡାଉନ କରିଦେଉଥିଲା । କମ୍ପାନୀକୁ ବଦନାମ କରୁଥିଲା । ହେଲେ ଏବେ ନଜେ ସଟ୍ ଡାଉନ ହେବାକୁ ବସିଛି । ଆଜ୍ଞା ହଁ... 'ହିଣ୍ଡେନବର୍ଗ ରିସର୍ଚ୍ଚ'ର ଏବେ ସବୁ ଦିନ ପାଇଁ ସଟ ଡାଉନ ହେବାକୁ ଯାଉଛି ।
ସେୟାର ମାର୍କେଟରେ ହଇଚଇ ସୃଷ୍ଟି କରୁଥିବା ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚରେ ଖୁବ ଶୀଘ୍ର ତାଲା ଲାଗିବା ପାଇଁ ଯାଉଛି । ଏହି କମ୍ପାନୀ ଭାରତରେ ଆଦାନୀ ଗ୍ରୁପ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲା । ଏହାର ଫାଉଣ୍ଡର ନେଥନ ଆଣ୍ଡରସନ ବୁଧବାର ବିଳମ୍ବିତ ରାତିରେ 'ହିଣ୍ଡେନବର୍ଗ ରିସର୍ଚ୍ଚ'କୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ।
୨୦୧୭ରେ ବଡ଼ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା 'ହିଣ୍ଡନବର୍ଗ ରିସର୍ଚ୍ଚ' । ବଡ଼ ବଡ଼ କମ୍ପାନୀରେ ଆର୍ଥିକ ଠକେଇ, ଭ୍ରଷ୍ଟାଚାର ଓ ମିସ ମ୍ୟାନେଜମେଣ୍ଟ ସମ୍ପର୍କରେ ଖୁଲାସା କରୁଥିଲା ଏହି କମ୍ପାନୀ । ହିଣ୍ଡେନବର୍ଗ ରିପୋର୍ଟ ନାଁ ଶୁଣିଲେ କମ୍ପାନୀ ମାଲିକଙ୍କ ଛାତି ଧଡ଼ଧଡ଼ ହେଉଥିଲା । ହେଲେ ଏ କମ୍ପାନୀ ଏବେ ନିଜ ଦୋକାନ ବନ୍ଦ କରିବା ପାଇଁ ଯାଉଛି ।
ଅନେକ ବିଚାର ବିମର୍ଷ ପରେ ହିଣ୍ଡେନବର୍ଗକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସଂସ୍ଥା ମୁଖ୍ୟ ନେଥନ ଆଣ୍ଡରସନ । ହେଲେ କମ୍ପାନୀ ବନ୍ଦ କରିବାର କୌଣସି ଠୋସ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଯେଉଁ ଉଦ୍ଦେଶ୍ୟ ପାଇଁ କମ୍ପାନୀର ପ୍ରତିଷ୍ଠା ହୋଇଥିଲା ତାହା ପୂରଣ ହେବା ପରେ ବନ୍ଦ କରିବାର ସମୟ ଆସିଯାଇଛି । ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି । କମ୍ପାନୀ ବନ୍ଦ ପଛରେ କୌଣସି ଧମକ, ସ୍ୱାସ୍ଥ୍ୟ ସମସ୍ୟା କି ବ୍ୟକ୍ତିଗତ ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ହିଣ୍ଡେନବର୍ଗ ରିସର୍ଚ୍ଚ ଅନେକ ବଡ ବଡ଼ କମ୍ପାନୀ ବିରୋଧରେ ଗୁରୁତର ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଥିଲା । ଏଥି ମଧ୍ୟରେ ଭାରତର ଆଦାନୀ ଗ୍ରୁପ୍ ଏବଂ ଆମେରିକାର ଆଇକାହନ୍ ଏଣ୍ଟରପ୍ରାଇଜେସ୍ ଆଦି ସାମିଲ ଅଛନ୍ତି । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଏହି କମ୍ପାନୀ ଗୁଡିକ କୋଟି କୋଟି ଡଲାର କ୍ଷତି ସହିଥିଲେ । ଏମିତିକି ରାତାରାତି ସେୟାର ମାର୍କେଟ ବି ବଡ଼ ଧରଣର କ୍ଷତି ସହିଥିଲା ।
ନିକଟ ଅତୀତରେ ଭାରତର ଆଦାନୀ ଗ୍ରୁପକୁ ସବୁଠାରୁ ବଡ଼ ଝଟକା ଦେଇଥିଲା । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସେୟାର ମାର୍କେଟରେ ଆଦାନୀ ଗ୍ରୁପର ସେୟାର ଦର ଲଗାତାର ହ୍ରାସ ପାଇଥିଲା । ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିଲା ଏହି ସଂସ୍ଥା । ଏହାସହ କମ୍ପାନୀ ୨୦ ହଜାର କୋଟିର ଫଲୋଅନ୍ ପବ୍ଲିକ୍ ଅଫର ବାତିଲ୍ କରିବାକୁ ପଡିଲା ।
ହିଣ୍ଡେନବର୍ଗ ରିପୋର୍ଟ ଆସିବା ପୂର୍ବରୁ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ଥିଲେ । କିନ୍ତୁ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ୍ର ସମସ୍ତ ତାଲିକାଭୁକ୍ତ କମ୍ପାନୀ ଗୁଡିକର ସେୟାରରେ ବଡ଼ ଧରଣର ହ୍ରାସ ଘଟିଥିଲା । ଯାହାଫଳରେ କମ୍ପାନୀର ଏକ ବଡ଼ କ୍ଷତି ସହିଥିଲା । ଆଦାନୀ ମଧ୍ୟ ସେହି ସମୟରେ ଶ୍ରେଷ୍ଠ ୨୦ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାଦ୍ ପଡ଼ିଥିଲେ । ଗତ ବର୍ଷ ଅଗଷ୍ଟରେ SEBI ମୁଖ୍ୟ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚଙ୍କର ଆଦାନୀ ଗ୍ରୁପ ସହ ଜଡିତ ଏକ ଅଫଶୋର କମ୍ପାନୀରେ ଅଂଶୀଦାର ଥିବା ଦାବି କରିଥିଲା ହିଣ୍ଡେନବର୍ଗ । ଆଉ ଏହା ପରେ ମାର୍କେଟ ଡାଉନ ହୋଇଥିଲା ।
ହିଣ୍ଡନବଗ ରିସର୍ଚ୍ଚର ପ୍ରତିଷ୍ଠାତା ତଥା ମୁଖ୍ୟ ବିଶ୍ଲେଷକ ନାଥାନ୍ ଆଣ୍ଡରସନ୍ । ଆଣ୍ଡରସନ୍ ଏବଂ ତାଙ୍କ ଫାର୍ମ କମ୍ପାନୀ ଗୁଡିକ ବିରୋଧରେ ଆର୍ଥିକ ଅନିୟମିତତା ବିଷୟରେ ସର୍ବସାଧାରଣରେ ପ୍ରକାଶ କରୁଥିଲେ। ଗଣମାଧ୍ୟମ ଏବଂ ବ୍ୟବସାୟ ଜଗତରେ ତାଙ୍କର ରିପୋର୍ଟକୁ ଗମ୍ଭୀରତାର ସହ ନିଆଯାଉଥିଲା । ତାଙ୍କ ରିପୋର୍ଟ ପାଇଁ ତାଲିକାଭୁକ୍ତ କମ୍ପାନୀ ଗୁଡିକର ସେୟାର ଉପରେ ବିଶେଷ ଖରାପ ପ୍ରଭାବ ମଧ୍ୟ ପଡ଼ୁଥିଲା । ହେଲେ ଏବେ ହଠାତ କମ୍ପାନୀ ବନ୍ଦ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।
ଏତେ ବଡ ସର୍ଟ ସେଲିଂ ସଂସ୍ଥାକୁ ରାତାରାତି କାହିଁକି ବନ୍ଦ କରାଯାଉଛି ? ସଂସ୍ଥାପକ କହୁଥିବା କଥା ସତ ନା, ତା ପଛରେ କିଛି ବିଶେଷ କାରଣ ରହିଛି ? କାହା ଚାପରେ ପଡ଼ି କମ୍ପାନୀ ବନ୍ଦ କରୁନାହାନ୍ତି ତ ଆଣ୍ଡରସନ ? ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।
ତେବେ ଏସବୁ ଚର୍ଚ୍ଚା ଭିତରେ କୁହାଯାଉଛି, ଏହି ସଂସ୍ଥା ବିରୋଧରେ ଏକ ବଡ଼ ଠକେଇ ଅଭିଯୋଗ ଆସିଛି । ଯାହାଫଳରେ ସଂସ୍ଥାର ମାଲିକ ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛନ୍ତି । କାରଣ ଠକେଇ ଅଭିଯୋଗ ସାମ୍ନାକୁ ଆସିଲେ ବଦନାମ ହେବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟପଟେ ଅଣ୍ଡରସନ୍ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଏମିତି କୌଣସି ଅଭିଯୋଗ ନାହିଁ ।