SAMSUNG: ଗୋଟିଏ ବଖରାରୁ ଆରମ୍ଭ, ଏବେ ସାରା ବିଶ୍ବରେ କରୁଛି ରାଜ

ଅର୍ଗସ ବ୍ୟୁରୋ: ସାମସଙ୍ଗ୍ ! ନାଁ ଶୁଣିବା ମାତ୍ରେ ମନକୁ ଚାଲିଆସେ ମୋବାଇଲ, ଟିଭି, ୱାସିଂ ମେସିନ, ଫ୍ରିଜ୍ ପରି ଅନେକ ବୈଦୁତିକ ଉପକରଣ। ସାଧାରଣ ଲୋକ ଜାଣନ୍ତି ସାମସଙ୍ଗ କେବଳ ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀ । ଆଉ ଆପଲ୍ କମ୍ପାନୀର ସବୁଠାରୁ ବଡ଼ ପ୍ରତିଯୋଗୀ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାମସଙ୍ଗ କମ୍ପାନୀର ବିନା ସହାୟତାରେ ଗୋଟିଏ ବି ମୋବାଇଲ ତିଆରି କରିପାରିବ ନାହିଁ ଆପଲ । କାରଣ ଆପଲ ଫୋନ୍ରେ ଲାଗୁଥିବା ଏଇଇଡି ସ୍କ୍ରିନ୍, ମେମୋରି ଚିପ୍, ଫ୍ଲାସ ପାୱାର ସବୁ ସାମସଙ୍ଗ ହିଁ ତିଆରି କରୁଛି । ସାଧାରଣ ଭାଷାରେ କହିବାକୁ ଗଲେ ସାମସଙ୍ଗ ବିନା ମୋବାଇଲ ତିଆରି କରିବାର କଳ୍ପନା କରିବା ବି ମୁସ୍କିଲ । ମୋବାଇଲ ଭିତରେ ଲାଗୁଥିବା ଅଧିକାଂଶ ପାର୍ଟସ ସାମସଙ୍ଗ ହିଁ ତିଆରି କରିଥାଏ ।
ସାମସଙ୍ଗ କମ୍ପାନୀ ଯଦି ମୋବାଇଲ ତିଆର କରିବା ବନ୍ଦ କରିଦିଏ, ତେବେ ବି କମ୍ପାନୀର କିଛି କ୍ଷତି ହେବ ନାହିଁ । କେବଳ ମୋବାଇଲ କମ୍ପାନୀ ନୁହେଁ ହୋଟେଲ, ସ୍କୁଲ, ହସ୍ପିଟାଲ, କନଷ୍ଟ୍ରକ୍ସନ ପରି ବିଭିନ୍ନ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିଛି ସାମସଙ୍ଗ । ବୁର୍ଜ ଖଲିଫା ନିର୍ମାଣ ଠାରୁ ଆରମ୍ଭ କରି ଟ୍ୟାଙ୍କର ଓ ଫାଇଟ୍ର ଜେଟ୍ ପର୍ଯ୍ୟନ୍ତ ତିଆରି କରେ ସାମସଙ୍ଗ୍ । ଦୁନିଆର ସବୁଠାରୁ ବଡ଼ ଜାହାଜ ତିଆରି କରୁଥିବା କମ୍ପାନୀ ମଧ୍ୟରେ ରହିଛି ସାମସଙ୍ଗ ।
ଏବେ ଏହି କମ୍ପାନୀ ଏତେ ଶକ୍ତିଶାଳୀ ଯେ ଯଦି ଏହି କମ୍ପାନୀର ଘାଟା ହୁଏ ତେବେ ସାଉଥ କୋରିଆର ପୁରା ଅର୍ଥବ୍ୟବସ୍ଥା ଦୋହଲି ଯିବ । କମ୍ପାନୀର ରାଜସ୍ୱ ସାଉଥ କୋରିଆର ଜିଡିପିର ପ୍ରାୟ ୨୦ ପ୍ରତିଶତ ।
ଛୋଟ ଦୋକାନରୁ ଆରମ୍ଭ ହୋଇଥିଲା ସାମସଙ୍ଗ
📱 Get Argus News App
✨ଦିନ ଥିଲା ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିଲା ସାମସଙ୍ଗ । ୧୯୩୮ରେ ଦକ୍ଷିଣ କୋରିଆର ବାୟୁଙ୍ଗ ଚୁଲ 'ସାମସଙ୍ଗ ଟ୍ରେଡର୍ସ' ପ୍ରତିଷ୍ଠା କରିଥିଲେ । ପ୍ରଥମେ ଡ୍ରାଏଡ୍ ଫିସ୍ (ଶୁଖୁଆ), ଅଟା, ଚିନି ଓ ନୁଡୁନ୍ସ ବିକ୍ରି କରୁଥିଲା କମ୍ପାନୀ । ଗ୍ରୋସରୀ ବିକ୍ରି କରୁଥିବା କମ୍ପାନୀ ଦିନେ ବିଶ୍ୱପ୍ରସିଦ୍ଧ ହୋଇଯିବ କିଏ ଜାଣିଥିଲା । ପରେ ପରେ ୧୯୫୦ରେ ବାୟୁଙ୍ଗ ଚୁଲ ଜୀବନବୀମା ଓ ଟେକ୍ସଟାଇଲ ବିଜିନେସ୍ ଆରମ୍ଭ କରିଥିଲେ ।
ସେହିପରି ୧୯୬୯ ବେଳକୁ ଟେକ୍ନୋଲୋଜି ଜଗତରେ ପାଦ ଥାପିଥିଲେ ଦୂରଦୃଷ୍ଟି ସମ୍ପନ୍ନ ବାୟୁଙ୍ଗ ଚୁଲ । ଆଉ କମ୍ପାନୀର ନା ରଖିଥିଲେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ । ଏହି ଫିଲ୍ଡରେ ହିଁ ଭବିଷ୍ୟତ ଥିବା ଚିନ୍ତା କରି ୧୯୭୦ରେ ଏକ ଜାପାନୀ କମ୍ପାନୀ ସହ ମିଶି ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ଟିଭି ଲଂଚ କରିଥିଲେ ।
ଟିଭି ପରେ ୧୯୮୦ ପରଠାରୁ ମୋବାଇଲ ତିଆରି ଆରମ୍ଭ କରିଦେଇଥିଲା କମ୍ପାନୀ । ୧୯୮୮ରେ ପ୍ରଥମ ଥର ପାଇଁ ବଜାରକୁ ମୋବାଇଲ ଛାଡ଼ିଥିଲା ସାମସଙ୍ଗ । ହେଲେ ଗ୍ରାହକଙ୍କୁ ସେହି ମୋବାଇଲ ପସନ୍ଦ ଆସିନଥିଲା । ଆଉ ଲୋକଙ୍କ ଅଭିଯୋଗ ଶୁଣିବା ମାତ୍ରେ ବାୟୁଙ୍ଗ ଲକ୍ଷ ଲକ୍ଷ ମୋବାଇଲରେ ନିଆଁ ଲଗାଇ ଦେଇଥିଲେ ଓ ମୋବାଇଲରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାୟୁଙ୍ଗ ଚୁଲଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଲି କୁନଙ୍କ ହାତକୁ ଯାଇଥିଲା କମ୍ପାନୀର ଦାୟିତ୍ବ । ସେ ନିଜର ନୂଆ ଭିଜନ୍ ସହ ସାମସଙ୍ଗକୁ ଆଗେଇ ନେଇଥିଲେ । ଆଉ ଆଜି ସାମସଙ୍ଗ ଏକ ଅପ୍ରତିଦ୍ୱନ୍ଦୀ କମ୍ପାନୀ ହୋଇ ଛିଡ଼ା ହୋଇଛି କହିଲେ ଭୁଲ ହେବ ନାହିଁ ।
ସାମସଙ୍ଗ କେବଳ ସାଉଥ କୋରିଆରରେ ନୁହେଁ ସାରା ବିଶ୍ୱରେ ନିଜର ନାଁ କରିଛି । କୁହାଯାଏ ସାଉଥ କୋରିଆର ପ୍ରେସିଡେଣ୍ଟ ଓ ସାମସଙ୍ଗ କମ୍ପାନୀର ପ୍ରେସିଡେଣ୍ଟଙ୍କ କ୍ଷମତା ଦେଶରେ ପାଖାପାଖି ସମାନ । ଭାରତରେ ଯେପରି ପିଲାମାନେ ଛୋଟ ବେଳୁ ଆଇଆଇଟି, ମେଡିକାଲ ଓ ୟୁପିଏସି ପାଇଁ ପ୍ରସ୍ତୁତ ହୁଅନ୍ତି, ସେହିପରି ସାଉଥ କୋରିଆରେ ସମସ୍ତେ ପିଲାବେଳୁ ସାମସଙ୍ଗ କମ୍ପାନୀରେ ଚାକିରି ପାଇଁ ପ୍ରସ୍ତୁତି କରନ୍ତି ।