Earth Temperature: ଆପଣ ଜାଣନ୍ତି କି କେମିତି ମାପ କରାଯାଏ ପୃଥିବୀର ତାପମାତ୍ରା ? ଥରେ ପଢ଼ନ୍ତୁ...

ଅର୍ଗସ ବ୍ୟୁରୋ: ପୃଥିବୀର ତାପମାତ୍ରା ପ୍ରତିବର୍ଷ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଏବେ ସୁଦ୍ଧା ୨୦୨୪ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ଏବଂ ଗତ ୧୦ ବର୍ଷର ତାପମାତ୍ରାର ରେକର୍ଡ ଭାଙ୍ଗିଥିବା ବୈଜ୍ଞାନିକ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠେ ବୈଜ୍ଞାନିକମାନେ କିପରି ପୃଥିବୀର ତାପମାତ୍ର ଜାଣିପାରନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ବୈଜ୍ଞାନିକମାନେ ପୃଥିବୀର ତାପମାତ୍ରାକୁ କିପରି ମାପ କରନ୍ତି? ତାପାମାତ୍ରା ମାପିବାର ପ୍ରକ୍ରିୟା ଯେତିକି ଜଟିଳ ସେତିକି ରୋଚକ ମଧ୍ୟ ।
ବୈଜ୍ଞାନିକମାନେ ପ୍ରଥମେ ପୃଥିବୀର ବିଭିନ୍ନ ସ୍ଥାନରୁ ତାପମାତ୍ରା ସଂଗ୍ରହ କରନ୍ତି । ସାରା ବିଶ୍ୱରେ ଥିବା ହଜାର ହଜାର ପାଣିପାଗ କେନ୍ଦ୍ରରେ ଲାଗିଥିବା ଥର୍ମୋମିଟର ତାପମାତ୍ରା ରେକର୍ଡ କରିଥାଏ । ସେହିପରି ସମୁଦ୍ରରେ ଚାଲୁଥିବା ଜାହାଜ ସାହାଯ୍ୟର ସମୁଦ୍ରର ତାପମାତ୍ରା ମପାଯାଏ । ଏହି ସମସ୍ତ ତଥ୍ୟ ସଂଗ୍ରହ କରି ହାରାହାରି ବିଶ୍ୱର ତାପମାତ୍ରା ଗଣନା କରାଯାଏ । କିନ୍ତୁ ଏ ପ୍ରକ୍ରିୟା ଏତେ ସହଜ ନୁହେଁ ।
ବୈଜ୍ଞାନିକମାନେ ହାରହାରି ତାପମାତ୍ରା ଉପରେ ଗୁରୁତ୍ୱ ନଦେଇ ତାପମାତ୍ରାର ଅସ୍ୱାଭାବିକତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଏହାର ଅର୍ଥ ଗୋଟିଏ ସ୍ଥାନର ତାପମାତ୍ରା ସେଠାକାର ସାଧାରଣ ଅବସ୍ଥାଠାରୁ କେତେ ଭିନ୍ନ, ତାକୁ ଗଣନାକୁ ନିଆଯାଏ । ନାସାର ବୈଜ୍ଞାକମାନେ ୧୯୫୧-୧୯୮୦ର ହାରାହାରି ତାପମାତ୍ରାକୁ ସ୍ୱାଭାବିକ ବୋଲି ବିବେଚନା କରନ୍ତି ଏବଂ ତାହା ତୁଳନାରେ ତଥ୍ୟ ବିଶ୍ଳେଷଣ କରନ୍ତି ।
ତେବେ କଳ୍ପନା କରନ୍ତୁ... ଏକ ପାହାଡ଼ିଆ ଅଞ୍ଚଳର ତାପମାତ୍ରା ସବୁବେଳେ ସମତଳ ଅଞ୍ଚଳ ତୁଳନାରେ କମ୍ ରହିବ । କିନ୍ତୁ ଯଦି ଉଭୟ ସ୍ଥାନ ସ୍ୱାଭାବିକ ଅପେକ୍ଷା ୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଧିକ ଗରମ, ତେବେ ବୈଜ୍ଞାନିକମାନେ ଏହାକୁ ସମାନ ପରିବର୍ତ୍ତନ ବୋଲି ବିବେଚନା କରନ୍ତି ।
ଦୁନିଆର ପ୍ରତ୍ୟେକ କୋଣରେ ପାଣିପାଗ କେନ୍ଦ୍ର ନାହିଁ । ସାହାରା ମରୁଭୂମି କିମ୍ବା ଆଣ୍ଟାର୍କଟିକାରେ ଯେହେତୁ ବହୁତ କମ୍ ପାଣିପାଗ କେନ୍ଦ୍ର ରହିଛି, ଏଠାରେ ବୈଜ୍ଞାନିକମାନେ ନିକଟସ୍ଥ କେନ୍ଦ୍ରଗୁଡିକର ତଥ୍ୟ ଉପରେ ଆଧାର କରି ତାପମାତ୍ରା ଆକଳନ କରନ୍ତି । ଷ୍ଟେସନ ନିକଟବର୍ତ୍ତୀ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଇ ଆକଳନ କରାଯାଏ ।
ନାସା ବ୍ୟତୀତ ୟୁରୋପର କପରନିକସ୍ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର, ଆମେରିକାର ନୋଆ ଏବଂ ବ୍ରିଟେନର ମେଟ ଅଫିସ୍ ମଧ୍ୟ ତାପମାତ୍ରା ରେକର୍ଡ କରନ୍ତି । ବିଭିନ୍ନ ଉପାୟରେ ଏହି ସମସ୍ତଙ୍କ ଗଣନା କରାଯାଇଥାଏ । କିନ୍ତୁ ସେମାନଙ୍କର ଫଳାଫଳ ପ୍ରାୟ ସମାନ ଆସେ । ଏହା ବ୍ୟତୀତ ଗଛର ରିଙ୍ଗ, ବରଫ ଏବଂ ଚଟାଣ ପରି ପ୍ରାକୃତିକ ପ୍ରମାଣ ମଧ୍ୟ ତାପମାତ୍ରାର ପରିବର୍ତ୍ତନକୁ ନିଶ୍ଚିତ କରେ ।
ନାସା ତଥ୍ୟ ଅନୁସାରେ ୧୯୭୦ ରୁ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୨୦୦୦ ବର୍ଷରେ ଏହି ବୃଦ୍ଧି ସର୍ବାଧିକ । ଏହାର କାରଣ ହେଉଛି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ । ମାତ୍ରାଧିକ ଗରମ, ଜଙ୍ଗଲୀ ନିଆଁ ଓ ବନ୍ୟା ପରି ଏହାର ପ୍ରଭାବ ସବୁଠାରେ ଦୃଶ୍ୟମାନ ହେଉଛି ।