Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

India at UN / ପାକ୍‌ର ମିଛ, ଭାରତର ଜବାବ

Priyanka Panda
Browse all articles by Priyanka Panda
·9 months ago·3 min read
ପାକ୍‌ର ମିଛ, ଭାରତର ଜବାବ

Key Points

ଜାତିସଂଘରେ ଭାରତ ଝିଅଙ୍କ କଡ଼ା ଆଭିମୁଖ୍ୟ

ଆତଙ୍କୀ ଶିବିର ବନ୍ଦ ଓ ଭାରତ ଚାହୁଁଥିବା ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ହିଁ ହେବ ଶାନ୍ତି କଥା

ଶେହବାଜଙ୍କ ଅସଲ ସତ ଜାଣିଲା ବିଶ୍ବ

ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ପଦାରେ ପଡ଼ିଲା ସରିଫଙ୍କ ଭାଷଣର ଅସଲ ସତ। ପରମାଣୁ ଧମକ ଆଡ଼ରେ ଆତଙ୍କବାଦ ବୃଦ୍ଧିକୁ ପ୍ରଶୟ ଦେବନି ଭାରତ। ଜାତିସଂଘରେ ଶେହବାଜ୍ କହିଥିଲେ ଯେ, ତାଙ୍କ ଦେଶ ଭାରତ ଦ୍ବାରା ବିନା କାରଣରେ ଆକ୍ରମଣର ସମ୍ମୁଖୀନ ହୋଇଥିଲା। ହେଲେ ପାକ୍ ସେନା ନିଜର ସାହସିକତା ଓ ଚତୁରତାର ସହ ଆକ୍ରମଣକୁ ପ୍ରତିହତ କରିଥିଲେ। ଭାରତର ଅନେକ ବିମାନକୁ ଖସାଇଦେଇଥିଲେ। ଯାହାର କଡ଼ା ଜବାବ ରଖିଛି ଭାରତ।


ଭାରତ ପକ୍ଷରୁ କୂଟନୀତିଜ୍ଞ ପେଟଲ ଗେହଲଟ କହିଛନ୍ତି, "ଆଜି ସକାଳେ, ସମାବେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏକ ହାସ୍ୟାସ୍ପଦ ନାଟକ ଦେଖାଗଲା, ଯିଏ ପୁଣି ଥରେ ଆତଙ୍କବାଦକୁ ମହିମାନ୍ବିତ କଲେ, ଯାହାକି ତାଙ୍କ ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ। ତଥାପି, ଯେକୌଣସି ନାଟକ ଏବଂ ମିଛ ସତକୁ ଲୁଚାଇ ପାରିବ ନାହିଁ। ତେବେ ଭାରତର ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ୨୫ ଏପ୍ରିଲ ୨୦୨୫ରେ ଜାତିସଂଘ ସୁରକ୍ଷା ପରିଷଦରେ ସୁରକ୍ଷା ଦେବା ଏବଂ ଓସାମା ବିନ୍ ଲାଡେନକୁ କିପରି ପାକ୍ ଆଶ୍ରୟ ଦେଇଥିଲା ତାହା ପର୍ଦ୍ଦାଫାସ କରିଥିଲେ ଗେହଲଟ। ଏସବୁ ଘଟଣାର ତଥ୍ୟ ଦେଇ ଗେହଲଟ କହିଥିଲେ ପାକିସ୍ତାନ ସମସ୍ତଙ୍କ ସାମ୍ନାରେ ଆତଙ୍କବାଦକୁ ବିରୋଧ କରୁଥିବାର ଅଭିନୟ କରିଚାଲିଛି।


ସେହିପରି ଭାରତର ଅପରେସନ ସିନ୍ଦୂର ଦ୍ବାରା ଆସିଥିବା ଆତଙ୍କବାଦୀଙ୍କ ଫଟୋକୁ ନେଇ ମଧ୍ୟ ପାକ୍ କୁ ଘେରିଛନ୍ତି ଭାରତୀୟ କୂଟନୀତିଜ୍ଞ। ସେ କହିଛନ୍ତି, ଗୋଟିଏ ଫଟୋ ଅନେକ କଥା କୁହେ। ପାକର ବରିଷ୍ଠ ସାମରିକ ଏବଂ ବେସାମରିକ ଅଧିକାରୀମାନେ ସାର୍ବଜନୀନ ଭାବରେ ଯେତେବେଳେ କୁଖ୍ୟାତ ଆତଙ୍କବାଦୀଙ୍କୁ ମହିମା ଏବଂ ଶ୍ରଦ୍ଧାଞ୍ଜଳି ଦିଅନ୍ତି ସେତେବେଳେ ଶାସନର ପ୍ରବୃତ୍ତି ବିଷୟରେ କୌଣସି ସନ୍ଦେହ ହୋଇପାରେ କି? ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ କୂଟନୀତିଜ୍ଞ ପେଟଲ ଗେହଲଟ।

ସେପଟେ ପାକ୍ ପିଏମ ନିଜକୁ ମହାନ ଦେଖାଇ ସଂଘର୍ଷର ଏକ ଅଜବ ବିବରଣୀ ଦେଇ କହିଥିଲେ ମେ ୯ ପର୍ଯ୍ୟନ୍ତ, ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଉଥିଲା। କିନ୍ତୁ ମେ ୧୦ ତାରିଖରେ, ସେନା ସିଧାସଳଖ ଆମକୁ ଶତ୍ରୁତା ବନ୍ଦ କରିବାକୁ ଅନୁରୋଧ କରିଥିଲା। ଯାହାର ଉତ୍ତର ଦେଇ ଭାରତୀୟ କୂଟନୀତିଜ୍ଞ କହିଥିଲେ ଭାରତୀୟ ସେନା ଦ୍ୱାରା ଅନେକ ପାକିସ୍ତାନୀ ବାୟୁସେନା ଘାଟିରେ ରନୱେ ନଷ୍ଟ ହୋଇଯାଇଥିଲା ଏବଂ ଅନେକ ହ୍ୟାଙ୍ଗର ପୋଡ଼ି ପାଉଁଶ ହୋଇଯାଇଥିଲା। ଯେଉଁଥିପାଇଁ ପାକିସ୍ତାନ ଯୁଦ୍ଧ ବିରତି ଚାହିଁଥିଲା। ଯାହାର ଫଟୋ ସମସ୍ତଙ୍କ ପାଇଁ ଉପଲବ୍ଧ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏପରି କହି ଗେହଲଟ୍ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, "ଯଦି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ ନଷ୍ଟ ହୋଇଥିବା ରନୱେ ଏବଂ ପୋଡ଼ି ଯାଇଥିବା ହ୍ୟାଙ୍ଗରଗୁଡ଼ିକ ତାଙ୍କ ବିଜୟର ପ୍ରମାଣ, ତେବେ ତାଙ୍କୁ ସେହି ତଥାକଥିତ ବିଜୟ ପାଳନ କରିବାକୁ ଦିଅନ୍ତୁ।" କିନ୍ତୁ ପ୍ରକୃତ ସତ୍ୟ ହେଉଛି ଯେ, ଭାରତରେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ପୁଣି ଥରେ ଦାୟୀ। "ଆମେ ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ଏବଂ ଦେଶକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନେଇଛୁ।"

ତେବେ ଭାରତକୁ ଶାନ୍ତିର କଥା କହିଥିଲେ ପାକ୍ ପିଏମ୍। ଭାରତ ସିଧାସିଧା ଶୁଣାଇଥିଲା ପାକିସ୍ତାନ ଯଦି ଭାରତ ସହ ଶାନ୍ତିର କଥା ହେବାକୁ ଚାହେଁ ତେବେ ତୁରନ୍ତ ସମସ୍ତ ଆତଙ୍କବାଦୀ ଶିବିର ବନ୍ଦ କରି ଭାରତ ଚାହୁଁଥିବା ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବା ଉଚିତ ବୋଲି କହିଥିଲେ ଗେହଲଟ୍। ଏପରି କହି ଗେହଲଟ୍ ନିଜ ଉକ୍ତିରେ ଏହା ମଧ୍ୟ ଯୋଡ଼ିଥିଲେ ଯେ, ବିଡ଼ମ୍ବନାର ବିଷୟ ଯେ ଘୃଣା, ଧର୍ମାନ୍ଧତା ଏବଂ ଅସହିଷ୍ଣୁତାରେ ବିଶ୍ୱାସ କରୁଥିବା ଏକ ଦେଶ ଏହି ସମାବେଶରେ ବିଶ୍ୱାସ ବିଷୟରେ ପ୍ରଚାର କରୁଛି।


ସେହିପରି ଭାରତ ପାକ୍ ମଧ୍ୟରେ ବାକି ଥିବା ଯେକୌଣସି ପ୍ରସଙ୍ଗ ଦ୍ବିପାକ୍ଷିକ ଭାବରେ ସମାଧାନ କରାଯିବ କୌଣସି ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ମଧ୍ୟ କହିଥିଲେ ଭାରତୀୟ କୂଟନୀତିଜ୍ଞ। ଏହି ଉତ୍ତରରେ ଭାରତ ସ୍ପଷ୍ଟ କରିଛି ଯେ, ଆତଙ୍କବାଦୀ ଏବଂ ସେମାନଙ୍କର ପ୍ରାୟୋଜକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ଉଭୟଙ୍କୁ ଦାୟୀ କରାଯିବ। ଭାରତ କେବେ ବି ପରମାଣୁ ବ୍ଲାକମେଲ୍ ଆଡ଼ରେ ଆତଙ୍କବାଦକୁ ବୃଦ୍ଧି ପାଇବାକୁ ଦେବ ନାହିଁ..

Sponsored
India at UN | India Slams Pakistan at UN Over Terror Support and False Claims | Argus News | Argus News