ହାର୍ବିନରେ ଆନ୍ତର୍ଜାତିକ ତୁଷାର ମହୋତ୍ସବ ଆରମ୍ଭ

ଅର୍ଗସ ବ୍ୟୁରୋ: ବରଫ ଦେଖିବାକୁ ସମସ୍ତେ ଭଲ ପାଆନ୍ତି କିନ୍ତୁ ବରଫ ମହୋତ୍ସବର ମଜା ପୁରା ନିଆରା। ଉତ୍ତର-ପୂର୍ବ ଚୀନର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନଠାରେ ହାର୍ବିନ ଆନ୍ତର୍ଜାତିକ ତୁଷାର ମହୋତ୍ସବ ଆରମ୍ଭ ହୋଇଛି। -୧୨ଡିଗ୍ରୀ ସେଲସିୟସରୁ -୨୩ ଡିଗ୍ରୀ ସେଲସିୟସ ତାପମାତ୍ରା ଯାଏ ଖସିଆସୁଥିବା ହାର୍ବିନ ସହରରେ ପ୍ରତିବର୍ଷ ବିଶ୍ବର ବୃହତ୍ତମ ବରଫ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ବରଫ ନିର୍ମିତ ବିଶାଳକାୟ ଭାସ୍କର୍ଯ୍ୟ ଗୁଡ଼ିକ ପ୍ରଦର୍ଶିତ ହୁଏ। ନିକଟସ୍ଥ ସୋଙ୍ଗୁଆ ନଦୀରୁ ସଂଗୃହୀତ ବରଫଖଣ୍ଡରୁ ବିଭିନ୍ନ ପ୍ରକାର ଭାସ୍କର୍ଯ୍ୟ ଓ ଉଚ୍ଚ ଅଟ୍ଟାଳିକା ସମେତ ବିରାଟ ଟାଓ୍ବାର ମଧ୍ୟ ନିର୍ମିତ ହୋଇଛି।
ପ୍ରାୟ ଦେଢ଼ଶହ ଏକର ପରିମିତ ସ୍ଥାନରେ ଆୟୋଜିତ ଏହି ମହୋତ୍ସବ ଆସନ୍ତା ଜାନୁୟାରୀ ୫ ତାରିଖରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଥିବାବେଳେ ତାହାର ୧୨ ଦିନ ପୂର୍ବରୁ ଜନସାଧାରଣ ଉପଭୋଗ କରିବାଲାଗି ଖୋଲାଯାଇଛି। ବିଭିନ୍ନ ରଙ୍ଗର ଏଲଇଡି ଆଲୋକରେ ସେହି ବରଫ ଦୁନିଆକୁ ସଜାଯାଇଛି। ଯାହା ଖୁବ ସୁନ୍ଦର ହୋଇଛି। ଏଥିସହିତ ଆଇସ ହକି, ଆଇସ ଫୁଟବଲ ଓ ସ୍ପିଡ ବୋଟିଂ ପରି ପ୍ରତିଯୋଗିତା ମଧ୍ୟ ଏହି ମହୋତ୍ସବର ଅଂଶବିଶେଷ ହୋଇଥାଏ। ବଡ଼ଦିନ ପର୍ବ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ବରଫ ମହୋତ୍ସବ ଦେଖିବାର ମଜା ନେଇଥାନ୍ତି।
ତେବେ ଚଳିତବର୍ଷ କୋଭିଡ କଟକଣା ନ ଥିବାରୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଇଛି। ତାପମାତ୍ରା ବଢ଼ି ବରଫ ତରଳିବା ଉପରେ ନିର୍ଭର କରି ଆଗାମୀ ମାର୍ଚ୍ଚ ପ୍ରଥମସପ୍ତାହ ଯାଏ ଏହି ମହୋତ୍ସବ ଚାଲିବ ବୋଲି ଅନୁମାନ କରାଯାଉଛି। ତେବେ ୧୯୬୩ ମସିହାରେ ପ୍ରଥମ କରି ଆୟୋଜିତ ଏହି ବରଫ ମହାତ୍ସବ ଚୀନର ସାଂସ୍କୃତିକ ବିପ୍ଳବ ସମୟରେ ବନ୍ଦ ହୋଇଯାଇଥିଲା। ଏବଂ ପରେ ଏହା ୧୯୯୫ ମସିହାରେ ଆରମ୍ଭ ହୋଇଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର