Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲକୁ କଡ଼ା ଜବାବ ଦେଲା ଇରାନ୍, ଛାଡ଼ିଲା ସବୁଠୁ ଅଧିକ ବିଧ୍ବଂସକାରୀ କ୍ଷେପଣାସ୍ତ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଇସ୍ରାଏଲକୁ କଡ଼ା ଜବାବ ଦେଲା ଇରାନ୍, ଛାଡ଼ିଲା ସବୁଠୁ ଅଧିକ ବିଧ୍ବଂସକାରୀ କ୍ଷେପଣାସ୍ତ୍ର

Key Points

ଇସ୍ରାଏଲ ଆକ୍ରମଣର ବଦ୍‌ଲା ନେଉଛି ଇରାନ୍ ।
ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ବି ଚିହ୍ନିପାରିଲାନି ଇରାନ୍‌ର କ୍ଷେପଣାସ୍ତ୍ରକୁ ।

ଇରାନ ଆଜି ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥା ଏହି କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୋଇଛି । ଏକ ଐତିହାସିକ ଇହୁଦୀ ଦୁର୍ଗର ନାମ ଆଧାରରେ ଏହି କ୍ଷେପଣାସ୍ତ୍ରକୁ ‘ଖୈବର ଶାକାନ୍’ ନାମକରଣ କରାଯାଇଛି। ଇରାନ ଏହି କ୍ଷେପଣାସ୍ତ୍ର ପ୍ରୟୋଗ କରି ଇସ୍ରାଏଲକୁ ପ୍ରତୀକାତ୍ମକ ଭାବେ ଚ୍ୟାଲେଞ୍ଜ କରିଛି।

‘ଖୈବର୍‌ ଶାକାନ୍‌’ କ୍ଷେପଣାସ୍ତ୍ର ଅତ୍ୟନ୍ତ ଅତ୍ୟାଧୁନିକ ଏବଂ ଏକ ବିପଜ୍ଜନକ ଅସ୍ତ୍ର । ଏହା ୨୦୦୦ରୁ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସକ୍ଷମ । ସମଗ୍ର ଇସ୍ରାଏଲ ଏବଂ କିଛି ୟୁରୋପୀୟ ଘାଟି ମଧ୍ୟ ଏହାର ପରିସୀମା ମଧ୍ୟରେ ରହିଛି । ଏହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାର ମଲ୍ଟି ୱାର୍‌ହେଡ୍‌ ସିଷ୍ଟମ, ଯେଉଁଥିରେ ଗୋଟିଏ କ୍ଷେପଣାସ୍ତ୍ରରେ ୩ରୁ ୫ଟି ଯୁଦ୍ଧାସ୍ତ୍ର ଲଗାଯାଇପାରିବ ଏବଂ ଏହା ଏକା ସାଙ୍ଗରେ ବିଭିନ୍ନ ସହର କିମ୍ବା ଘାଟି ଉପରେ ଆକ୍ରମଣ କରିବାରେ ସକ୍ଷମ ।

ଏହି କ୍ଷେପଣାସ୍ତ୍ର ଶବ୍ଦର ବେଗଠାରୁ ତିନି ଗୁଣ ଅଧିକ ସୁପରସୋନିକ୍ ବେଗରେ ଗତି କରିଥାଏ, ଯାହା ଦ୍ୱାରା ଶତ୍ରୁ ରାଡାର ଏହାକୁ ଟ୍ରାକ୍ କରିବାରେ ବିଫଳ ହୋଇଥାଏ । ଏଥିରେ କଠିନ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହାଦ୍ୱାରା ଏହାକୁ ତତ୍‌କ୍ଷଣାତ ଏବଂ କମ୍ ସମୟ ମଧ୍ୟରେ ଉତକ୍ଷେପଣ କରାଯାଇପାରିବ ।

କେବଳ ସେତିକି ନୁହେଁ ‘ଖୈବର୍‌ ଶାକାନ୍‌’ ଟର୍ମିନାଲ ପର୍ଯ୍ୟାୟକ୍ରମେ ଦିଗ ବଦଳାଇବାରେ ସକ୍ଷମ ହୋଇଥିବାରୁ ଏହା ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମକୁ ଚକ୍‌ମା ଦେଇ ଧ୍ବଂସଲୀଳା ଘଟାଇବାରେ ସକ୍ଷମ ହୋଇଛି। ଏଭଳି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ଇରାନ ଆଜି ବେନ୍ ଗୁରିଆନ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ବ୍ୟାପକ କ୍ଷତି ପହଞ୍ଚାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran gave a strong response to Israel, launched the most destructive missile | Argus News