Iran / ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦର୍ଶନକାରୀଙ୍କ ଉପରେ ବଳ ପ୍ରୟୋଗ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି।
ଇରାନରେ ମୁଦ୍ରାସ୍ଫୀତି ଓ ସ୍ଥାନୀୟ ମୁଦ୍ରାର ମୂଲ୍ୟ ହ୍ରାସକୁ ନେଇ ଚାଲିଥିବା ସରକାର ବିରୋଧୀ ପ୍ରତିବାଦ ଏବେ ସାରା ଦେଶରେ ଭୟଙ୍କର ଆକାର ନେଇଛି । ତୃତୀୟ ସପ୍ତାହରେ ପ୍ରବେଶ କରିଥିବା ଏହି ଆନ୍ଦୋଳନ ଦେଶର ରାଜନୈତିକ ସ୍ଥିରତାକୁ ଦୋହଲାଇ ଦେଇଛି । ଏପରି ସମୟରେ ଆମେରିକାର କଡ଼ା ବିବୃତି ଏବଂ ଧମକ ଇରାନ, ଆମେରିକା ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦର୍ଶନକାରୀଙ୍କ ଉପରେ ବଳ ପ୍ରୟୋଗ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ସେ ଏହି ପ୍ରତିବାଦକୁ ସ୍ୱାଧୀନତା ପାଇଁ ଆନ୍ଦୋଳନ ବୋଲି କହିବା ସହ ଇରାନବାସୀଙ୍କୁ ସମର୍ଥନ ଜଣାଇଛନ୍ତି। ଏହାର ପ୍ରତିକ୍ରିୟାରେ ଇରାନ ସରକାର କଡ଼ା ଶବ୍ଦରେ ଚେତାବନୀ ଦେଇ କହିଛି, ଆମେରିକା ଆକ୍ରମଣ କଲେ ଇରାନ ସେନା ଜୋରଦାର ପ୍ରତିଶୋଧ ନେବ।
ଇରାନ ସଂସଦ ବାଚସ୍ପତି ସ୍ପଷ୍ଟ କରିଛନ୍ତି ଯେ, ଆକ୍ରମଣ ହେଲେ ଇସ୍ରାଏଲୀ ଓ ଆମେରିକୀୟ ସାମରିକ ଉପସ୍ଥିତି ସହ ସମ୍ପୃକ୍ତ ଅଞ୍ଚଳରେ ଥିବା ଜାହାଜ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯିବ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି, ଇରାନ ସେନା ଏବଂ ଅନ୍ୟାନ୍ୟ ନେତାମାନେ ମଧ୍ୟ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତେହେରାନର କର୍ତ୍ତୃତ୍ୱକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏକ ସମତୁଳିତ ମନ୍ତବ୍ୟ ଦେଇ କହିଛନ୍ତି, ସରକାର ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ, କିନ୍ତୁ ଦଙ୍ଗା ଓ ହିଂସାକୁ କେବେ ମଧ୍ୟ ସହ୍ୟ ଦିଆଯିବ ନାହିଁ। ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ।
ରିପୋର୍ଟ ଅନୁସାରେ, ଇରାନରେ ବିକ୍ଷୋଭକାରୀମାନେ ଖେମିନି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦାବି କରିବା ଆରମ୍ଭ କରିବାର ୧୫ ଦିନ ବିତିଗଲାଣି । ଏହି ପ୍ରତିବାଦ ପ୍ରାୟ ସମଗ୍ର ଦେଶରେ ବ୍ୟାପିଛି। ସୁରକ୍ଷା ବାହିନୀ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଏବଂ ହିଂସା ଏପର୍ଯ୍ୟନ୍ତ ୫୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି। ମୃତକଙ୍କ ମଧ୍ୟରେ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ଜୀବନ ଯାଇଥିବା ୫୦ ସୁରକ୍ଷା କର୍ମୀ ଅଛନ୍ତି।
ଆମେରିକା ଓ ପୂର୍ବତନ ଇରାନୀ ଶାହଙ୍କ ପୁଅ ରେଜା ପହଲାଭିଙ୍କ ମନ୍ତବ୍ୟ ଏହି ଆନ୍ଦୋଳନ ନିଆଁରେ ଘିଅ ଢାଳିବାର କାମ କରୁଛି। ଇରାନର ଶାସନ ବ୍ୟବସ୍ଥା ପାଇଁ ଏହା ଏକ ବଡ଼ ଅଗ୍ନି ପରୀକ୍ଷା ପାଲଟିଛି।
📱 Get Argus News App
✨Related Topics
Explore more stories